ସୁରକ୍ଷା ପାଇଁ ସିସିଟିଭି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ହାଥରସ ପୀଡିତା ପରିବାରକୁ କଡା ସୁରକ୍ଷା । ଘରେ ଲାଗିଲା ମେଟାଲ ଡିଟେକ୍ଟର ଓ ସିସି କ୍ୟାମେରା ।

549

କନକ ବ୍ୟୁରୋ: କୋର୍ଟଙ୍କ ତାଗିଦ ପରେ କଡା ସୁରକ୍ଷା । ପୀଡିତାଙ୍କ ଘରେ ଲାଗିଲା ସିସିଟିଭି କ୍ୟାମେରା । ଉତ୍ତରପ୍ରଦେଶ ହାଥରସ ପୀଡିତାଙ୍କ ପରିବାରର ସୁରକ୍ଷା ନେଇ ସୁପ୍ରିମକୋର୍ଟଙ୍କ ପ୍ରଶ୍ନର ଦିନକ ପରେ ବୁଲଗଢିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ପୀଡିତା ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ୟୁପି ପୁଲିସ ବ୍ୟାପକ ଫୋର୍ସ ମୁତୟନ କରିବା ସହ ଘରେ ମେଟାଲ ଡିଟେକ୍ଟକର ଓ ସିସିଟିଭି କ୍ୟାମେରା ଲଗାଇଛି । ଖୋଦ ଏଡିଏମ ଘଟଣାସ୍ଥଳରେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।

ହାଥରସ ଗଣଦୁଷ୍କର୍ମ ଘଟଣାରେ ଦେଶବ୍ୟାପୀ ହୋ ହଲ୍ଲା ହେଉଛି । ଅନ୍ୟପଟେ ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଆହୁରି ୧୦ ଦିନର ମହଲତ ମିଳିଛି । ପ୍ରଥମେ ୭ ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ନିର୍ଦ୍ଦେଶ ଦିଆଯାଇଥିଲା । ଯାହାର ଅବଧି ବୁଧବାର ପୁରା ହେଉଥିଲା । ତେବେ ଏସଆଇଟି ତଦନ୍ତ ପାଇଁ ଆହୁରି ୧୦ ଦିନ ମାଗିବା ପରେ ମଂଜୁର କରିଛନ୍ତି ଯୋଗୀ ସରକାର । ୟୁପି ଗୃହ ସଚିବ ଭଗବାନ ସ୍ୱରୂପଙ୍କ ନେତୃତ୍ୱରେ ୩ ଜଣିଆ ଏସଆଇଟି ଟିମ୍ ଏହି ମାମଲାର ତଦନ୍ତ କରୁଛି ।

ହାଥରସ ପୀଡିତାଙ୍କୁ ନ୍ୟାୟ ଦାବି ଭିତରେ ନୂଆ ଟ୍ୱିଷ୍ଟ ଆସିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି କଲ ଡିଟେଲସ ଯାଂଚ ବେଳେ ଜାଣିବାକୁ ପାଇଛି ୟୁପି ପୁଲିସ । ୨୦୧୯ ଅକ୍ଟୋବରରୁ ପୀଡିତାଙ୍କ ଭାଇଙ୍କ ନାମରେ ଥିବା ଏକ ଫୋନ ନଂବରରୁ ଅଭିଯୁକ୍ତ ସନ୍ଦୀପଙ୍କ ସହ ଶହେରୁ ଅଧିକ ଥର କଥାବାର୍ତା ହୋଇଛି । ଏଥିମଧ୍ୟରୁ ୬୨ଟି କଲ୍ ପୀଡିତାଙ୍କ ପରିବାର ପକ୍ଷରୁ କରାଯାଇଥିବାବେଳେ ଅଭିଯୁକ୍ତ ସନ୍ଦୀପ ୪୨ ଥର ପୀଡିତାଙ୍କ ପରିବାରକୁ ଫୋନ କରିଛି । ଏହି ଫୋନ ଡିଟେଲ୍ସ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ହାଥରସ ମାମଲା ସମୟ ବଢିବା ସହ ଅଡୁଆ ସୁତାର ଖିଅ ଭିତରେ ଛନ୍ଦି ହେଲା ଭଳି ଲାଗୁଛି । ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଏପଟେ ଯୋଗୀ ସରକାର ତଦନ୍ତ ପାଇଁ ଏସଆଇଟିକୁ ଆହୁରି ୧୦ ଦିନ ସମୟ ଦେଇଛନ୍ତି । ହାଥରସର ସତ କେବେ ଉନ୍ମୋଚିତ ହେବ, କେବେ ପୀଡିତାଙ୍କୁ ନ୍ୟାୟ ମିଳିବ । କାରଣ କଥାରେ ଅଛି ବିଳମ୍ବିତ ନ୍ୟାୟ, ନ୍ୟାୟ ନୁହେଁ ।