୩୧ ବର୍ଷ ପରେ ହାସିମପୁରା ନରସଂହାର ମାମଲାରେ ଆସିଲା ରାୟ : ସମସ୍ତ ୧୬ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଲେ ଦିଲ୍ଲୀ ହାଇକୋର୍ଟ

୧୯୮୭ରେ ଜଘନ୍ୟ କାଣ୍ଡ ଘଟାଇଥିଲେ ୧୬ ଜଣ ପିଏସି ଯବାନ !

146

କନକ ବ୍ୟୁରୋ : ହାସିମପୁରା ନରସଂହାର ମାମଲାରେ ଆସିଲା ରାୟ । ଦୀର୍ଘ ୩୧ ବର୍ଷ ପରେ ପୀଡିତଙ୍କୁ ମିଳିଛି ନ୍ୟାୟ । ମାମଲାର ସମସ୍ତ ୧୬ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ । ୧୯୮୬ ମସିହାରେ ବାବରୀ ମସଜିଦ୍ ତାଲା ଖୋଲିବାକୁ ତତ୍କାଳୀନ କେନ୍ଦ୍ର ସରକାର ଆଦେଶ ଦେଇଥିଲେ । ଏହା ପରେ ପରେ ଉତ୍ତରପ୍ରଦେଶରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପରେ ୧୯୮୭ ମସିହା ମେ ମାସ ୨୨ ତାରିଖରେ ଘଟିଥିଲା ଏହି ଜଘନ୍ୟ କାଣ୍ଡ । ଦିଲ୍ଲୀ ହାପୁଡ ରୋଡ୍ ଗୁଲମର୍ଗ ସିନେମା ସାମନାରେ ହାସିମପୁରା ମୋହଲ୍ଲାରେ ସେନା ଓ ପିଏସି ଯବାନମାନଙ୍କ ମିଳିତ ସର୍ଚ୍ଚ ଅପରେସନ୍ ହୋଇଥିଲା । ଯେଉଁଠୁ ଶତାଧିକ ଲୋକଙ୍କୁ ଟ୍ରକରେ ଭର୍ତ୍ତି କରି ପୋଲିସ ଲାଇନକୁ ନିଆଯାଇଥିବା ଅଭିଯୋଗ ହୋଇଥିଲା ।

ତେବେ ସନ୍ଧ୍ୟା ହେବା ପରେ ଗୋଟିଏ ଟ୍ରକକୁ ପିଏସି ଯବାନମାନେ ଦିଲ୍ଲୀ ରୋଡ଼୍ ସ୍ଥିତ ମୁରାଦନଗର ଗଙ୍ଗ ନାଳ ପାଖକୁ ନେଇଯାଇଥିଲେ । ଏହି ଟ୍ରକରେ ପ୍ରାୟ ୫୦ ଜଣ ଲୋକ ଥିଲେ । ନାଳ ପାଖରେ ଟ୍ରକରୁ ଓହ୍ଲାଇ ଯବାନମାନେ ଗୁଳି କରି ହତ୍ୟା କରିଥିଲେ । ଆଉ ମୃତଦେହ ଗୁଡିକୁ ଗଙ୍ଗ ନାଳରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ଆଉ କିଛି ଲୋକଙ୍କୁ ଟ୍ରକରେ ଗୁଳିମାରି ହତ୍ୟା କରିବା ପରେ ଗାଜିଆବାଦ ସ୍ଥିତ ହିଣ୍ଡନ୍ ନଦୀକୁ ନିଆଯାଇ ସେଠାରେ ମୃତଦେହକୁ ଫିଙ୍ଗି ଦିଆଯାଇଥିଲା । ଏହି ଘଟଣା ସେତେବେଳେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ମାମଲାର ବିଚାର ଦୀର୍ଘ ବର୍ଷ ଧରି ଚାଲିବା ପରେ ଦିଲ୍ଲୀର ତିସହଜାରି କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷମୁକ୍ତ କରିଥିଲେ । କିନ୍ତୁ ଏହି ରାୟ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରାଯାଇଥିଲା । ଆଉ ଆଜି ଏହି ମାମଲାର ରାୟ ପ୍ରକାଶ ପାଇବା ସହ ଦୋଷୀଙ୍କୁ ଆଜୀବନ କାରା ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ ।