ହରିଆଣାରେ ବିରୋଧୀଙ୍କ ମେଳି , ଗୋଟିଏ ମଞ୍ଚରେ ଏକାଠି ହେଲେ ଏହି ସବୁ ନେତା

166

କନକ ବ୍ୟୁରୋ : ୨୦୨୪ ପାଇଁ କେନ୍ଦ୍ରରେ ଶାସନ କରୁଥିବା ବିଜେପି ପ୍ରସ୍ତୁତ ହେଉଛି ତ ଏପଟେ ବିଜେପିକୁ ପରାଜିତ କରିବାକୁ ବିରୋଧୀମାନେ ବଳ ବାନ୍ଧୁଛନ୍ତି । ଏହି କ୍ରମରେ ଆଜି ହରିଆଣାର ଫତେହବାଦ ଠାରେ ବିରୋଧୀମାନଙ୍କର ଏକ ବୈଠକ ଦେଖିବାକୁ ମିଳିଛି । ଇଣ୍ଡିଆନ ନ୍ୟାସନାଲ ଲୋକଦଳର ମହାରାଲିରେ ଏକାଠି ହୋଇଛନ୍ତି ଅନେକ ବିରୋଧୀଦଳର ନେତା । ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପ୍ରମୁଖ ଓମ୍ ପ୍ରକାଶ ଚୌତାଲାଙ୍କ ନିମନ୍ତ୍ରଣରେ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଏନସିପି ମୁଖ୍ୟ ଶରଦ ପାୱାର, ଶିବସେନାର ଅରବିନ୍ଦ ସାୱନ୍ତ, ଶିରୋମଣି ଅକାଳିଦଳର ସୁଖବୀର ବାଦଲ, ବାମଦଳର ସୀତାରାମ ୟେଚୁରୀ ଏକତ୍ରୀତ ହୋଇ ତୃତୀୟ ସାମୁଖ୍ୟର ଝଲକ ଦେଖାଇଛନ୍ତି । ଏନେଇ ଆୟୋଜିତ ହୋଇଥିବା ବୈଠକରେ ବିରୋଧୀ ନେତାମାନେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

ବିହାରରେ ବିଜେପି ଠାରୁ ଅଲଗା ହୋଇ ଏବେ ବିରୋଧୀଙ୍କୁ ଏକଜୁଟ କରିବାକୁ ପ୍ରୟାସ କରୁଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ବୈଠକରେ କହିଛନ୍ତି କି ଏହି ରାଲି କୌଣସି ତୃତୀୟ ସାମୁଖ୍ୟ ଗଠନ କରିବା ଉର୍ଦ୍ଦେଶ୍ୟରେ ନୁହେଁ ହେଲେ ବିରୋଧୀମାନେ ଦେଶବାସୀଙ୍କ ପାଇଁ ଏକାଠି ହେବା ନିହାତି ଜରୁରୀ । ୨୦୨୪ ନିର୍ବାଚନରେ ମୋଦୀ ସରକାରର ବିଲୟ ହେବ, ଏମାନେ କେବଳ ହିନ୍ଦୁ-ମୁସଲମାନ କରି ଦେଶକୁ ବାଣ୍ଟିବାକୁ ପ୍ରୟାସ କରୁଥିବା କଥା ନୀତିଶ ଅଭିଯୋଗ କରିଛନ୍ତି ।

 

ସୂଚନା ଥାଉକି ଇଣ୍ଡିଆନ ନ୍ୟାସନାଲ ଲୋକଦଳର ସଂସ୍ଥାପକ ଦେବୀଲାଲ ଚୌତାଲଙ୍କର ଆଜି ୧୦୯ ତମ ଜୟନ୍ତୀ । ଏହି ଅବସରରେ ଏବେ ଦଳର ପ୍ରମୁଖ ଓମ୍ ପ୍ରକାଶ ଚୌତାଲାଙ୍କ ନିମନ୍ତ୍ରଣରେ ସମସ୍ତ ବିରୋଧୀଦଳମାନେ ହରିଆଣାରେ ପହଂଚିଥିଲେ ।