ଭାରତରେ ରହିଛି ଏଭଳି ହୋଟେଲ । ଏଠାରେ ଖାଆନ୍ତୁ ପେଟ ପୁରାଇ କିନ୍ତୁ ବିଲ୍ ଦିଅନ୍ତୁ ନିଜ ଇଚ୍ଛାରେ

369

କନକ ବ୍ୟୁରୋ : ଥରେ ଭାବନ୍ତୁ ତ ଆପଣ ଗୋଟିଏ ଦାମୀ ରେଷ୍ଟୁରାଣ୍ଟରେ ପହଂଚିଲେ । ସେଠାରେ ମିଳୁଥିବା ସମସ୍ତ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଲେ । ହେଲେ ଯେତେବେଳେ ଆପଣ ବିଲ୍ ପୈଠ କରିବାକୁ ଯାଉଛନ୍ତି ତ ଆପଣଙ୍କୁ କୁହାଯିବ ଆପଣଙ୍କ ଇଚ୍ଛା ଯେତିକି ହେଉଛି ସେତିକି ବିଲ ପୈଠ କରନ୍ତୁ । ଏହାକୁ ଆପଣ ବିଶ୍ୱାସ କରିପାରିବେ ତ ! ହଁ ଆଜ୍ଞା ଏଭଳି ହୋଟେଲ ବା ରେଷ୍ଟୁରାଣ୍ଟ ଅନ୍ୟ କେଉଁଠି ନୁହେଁ ବରଂ ଆମ ଦେଶରେ ରହିଛି । ଆସନ୍ତୁ ଜାଣିବା ଏହି ହୋଟେଲ ବାବଦରେ ।

ସିଏଟ ଟାୟାର ନିର୍ମାଣକାରୀ କମ୍ପାନୀ ଆପିଜି ଗ୍ରୁପର ପ୍ରମୁଖ ହର୍ଷ ଗୋଏନକା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଏଭଳି ଏକ ହୋଟେଲ ବାବଦରେ ଟ୍ୱିଟ କରିଛନ୍ତି । ଗୋଏନକା ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ଯେଉଁ ହୋଟେଲର ଫଟୋ ଦେଇଛନ୍ତି ତାହା ମୁମ୍ବାଇର ପଶ୍ଚିମ ବାନ୍ଦ୍ରାରେ ଅବସ୍ଥିତ । ଏହି ହୋଟେଲର ନାମ ଗ୍ରାଟିଟ୍ୟୁଡ ହାଉସ ଅଫ କାଫେ । ଏହି ରେଷ୍ଟୁରାଣ୍ଟର ସ୍ୱତନ୍ତ୍ରତା ହେଉଛି କି, ଏଠାରେ ଗ୍ରାହକମାନଙ୍କୁ ଅର୍ଗାନିକ ଫୁଡ ପ୍ରଦାନ କରାଯାଇଥାଏ । ଏହାସହ ଏହି ରେଷ୍ଟୁରାଣ୍ଟ ୨୪ ଘଂଟା ଖୋଲା ରହିଥାଏ । ହେଲେ ଆପଣ ଯାହା ବି ଖାଆନ୍ତୁ ଓ ଯେତେ ପରିମାଣର ଖାଇଲେ ବି ଆପଣଙ୍କୁ ସଠିକ୍ ବିଲ ଦେବାକୁ ବାଧ୍ୟ କରାଯାଏ ନାହିଁ । ଆପଣ ଖାଇସାରିବା ପରେ ଆପଣଙ୍କ ଇଚ୍ଛା ଯେତିକି ହେବ ଆପଣ ସେତିକି ଅର୍ଥ ଦେଇ ଆସିପାରିବେ ।