କନକ ବ୍ୟୁରୋ : ଭାରତ-ବାଂଲାଦେଶ ମହିଳା ଟିମ ମଧ୍ୟରେ ହୋଇଥିବା ଦିନିକିଆ ସିରିଜକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ । ଉଭୟ ଟିମ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଥିବା ବେଳେ ତୃତୀୟ ମ୍ୟାଚ୍ ଅମୀମାଂସିତ ରହିଲା । ଫଳରେ ସିରିଜଟି ଡ୍ର ରହିଥିଲା । କିନ୍ତୁ ତୃତୀୟ ଦିନିକିଆରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ ଭାରତୀୟ ମହିଳା ଦଳର ଅଧିନାୟିକା ହରମନପ୍ରୀତ କୌର । ହରମନପ୍ରୀତଙ୍କୁ ବାଂଲାଦେଶ ଅମ୍ପାୟାର ଏଲବିଡବ୍ଲ୍ୟୁ ଆଉଟ ଦେବାରୁ ରାଗରେ ଷ୍ଟମ୍ପକୁ ପିଟିବା ସହ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ ହରମନପ୍ରୀତ । କେବଳ ଏତିକି ନୁହେଁ ମ୍ୟାଚ୍ ଶେଷ ହେବା ପରେ ମଧ୍ୟ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଆଲୋଚନା କରିଥିଲେ ହରମନପ୍ରୀତ । ଆଉ ଏହି ଘଟଣା ପରେ ଏବେ ଆଇସିସି ହରମନପ୍ରୀତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରେ ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ହରମନପ୍ରୀତଙ୍କୁ ବିଶୃଙ୍ଖଳ ଆଚରଣ ପାଇଁ ଦଣ୍ଡ ଭୋଗିବାକୁ ପଡିପାରେ । ଷ୍ଟମ୍ପକୁ ପିଟିବା କାରଣରୁ ୩ ଡିମେରିଟ୍ ପଏଣ୍ଟ ମିଳିଥିବା ବେଳେ ମ୍ୟାଚ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ କାରଣରୁ ଗୋଟିଏ ଡିମେରିଟ୍ ପଏଣ୍ଟ ମିଳିଛି । ୪ ଡିମେରିଟ୍ ପଏଣ୍ଟ କାରଣରୁ ହରମନପ୍ରୀତଙ୍କ ଉପରେ ୨ଟି ମ୍ୟାଚର ପ୍ରତିବନ୍ଧକ ଲଗାଇପାରେ ଆଇସିସି । ତେବେ ଏନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ଆଇସିସି ନେଇନଥିବା ବେଳେ ବିସିସିଆଇ ପକ୍ଷରୁ ଆଲୋଚନା ଆରମ୍ଭ ହୋଇଛି ।

ଆଇସିସି ନିୟମ ଅନୁଯାୟୀ, କୌଣସି ଖେଳାଳୀଙ୍କୁ ଯଦି ୨୪ ମାସ ମଧ୍ୟରେ ୪ଟି ଡିମେରିଟ ପଏଣ୍ଟ ମିଳେ ତେବେ ତାଙ୍କୁ ଦଣ୍ଡସ୍ୱରୂପ କିଛି ମ୍ୟାଚରୁ ନିଲମ୍ବନ କିମ୍ବା ବ୍ୟାନ୍ କରିବାକୁ ପଡିଥାଏ । ଯଦି ଆଇସିସି ପକ୍ଷରୁ ଏହି ଦଣ୍ଡ ଦିଆଯାଏ ତେବେ ହରମନପ୍ରୀତ୍ ଲେବଲ-୨ ଅନୁଯାୟୀ ଦଣ୍ଡିତ ହୋଇଥିବା ପ୍ରଥମ ମହିଳା କ୍ରିକେଟର ହେବେ ।