ବୟସ୍କ ମହିଳାଙ୍କ ମୃତ୍ୟୁ ପରେ ଚାଲିଥିଲା ଅନ୍ତିମ ସଂସ୍କାର । ପୁଣି ଜୀବିତ ହେଲେ ୧୦୨ ବର୍ଷୀୟ ବୃଦ୍ଧା । ଆଶ୍ଚର୍ଯ୍ୟ ହେଲେ ଲୋକ…

391

କନକ ବ୍ୟୁରୋ: ସମସ୍ତେ କାନ୍ଦୁଥିଲେ, ଗାଁର ଶତାୟୁ ମହିଳାଙ୍କ ମୃତ୍ୟୁ ପରେ ଶୋକବ୍ୟକ୍ତ କରୁଥିଲେ । ଗୋଟିଏ ପଟେ ପରିବାରର ଲୋକ ଦୁଃଖରେ ଭାଙ୍ଗି ପଡୁଥିଲେ, ଅନପଟେ ପଡୋଶୀ ଲୁହ ଗଡାଉଥିଲେ । ଆଉ ଏତିକି ବେଳେ ଘଟିଲା ଚମକ୍ରାର । କିଛି ସମୟ ପୂର୍ବରୁ ଯେଉଁ ବୃଦ୍ଧାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ, ସେ ଉଠିବା ସହିତ ଜୀବିତ ଥିବାର ପ୍ରମାଣ ଦେଇଥିଲେ ।

ଉତ୍ତରାଖଣ୍ଡର ରୁଡକିରୁ ପାଖପାଖି ୨୨ କିଲୋମିଟର ଦୂରରେ ନାରସନ୍ କର୍ବେରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କର ବୟସ ଥିଲା ୧୦୨ ବର୍ଷ । ଗାଁର ସବୁଠୁ ବୟସ୍କ ମହିଳାଙ୍କ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ପରିବାର ଲୋକ ମଧ୍ୟ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ, ହେଲେ ଏତିକି ବେଳେ ସେ ପୁଣି ଜୀବିତ ହେବା ସହିତ ଗାଁରେ ଖୁସିର ଲହଡି ଖେଳିଯାଇଥିଲା ।

ମିଳିଥିବା ସୂଚନା ମୁତାବକ, ନାରସନ୍ ଅଞ୍ଚଳର ବିନୋଦଙ୍କ ମା ଜ୍ଞାନ ଦେବୀ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ । ସକାଳୁ ହଠାତ୍ ସେ ମୁର୍ଛା ହୋଇଯିବା ସହ କୌଣସି କଥାବାର୍ତ୍ତା କରିନଥିଲେ । ଏହାପରେ ଡାକ୍ତର ଆଣି ତାଙ୍କର ଚିକିତ୍ସା କରିବାରୁ, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଜ୍ଞାନଦେବୀଙ୍କ ମୃତ୍ୟୁ ପରେ ସମସ୍ତେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ ହେଉଥିଲେ, ଆଉ ଏତିକି ବେଳେ ତାଙ୍କ ଶରୀରରେ ହଲଚଲ ଦେଖିବାକୁ ମିଳିଲା ।

ଜ୍ଞାନ ଦେବୀଙ୍କ ମର ଶରୀରରେ ହଲଚଲ୍ ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଥିଲେ । ବାସ୍…ଏହାପରେ ଲୋକମାନେ ଖୁସି ମନେଇବା ସହିତ ଜ୍ଞାନଦେବୀ ଜୀବିତ ଥିବା ଜଣାପଡିଥିଲା । ତେବେ ଏହାକୁ କିଛି ଲୋକ ଭଗବାନଙ୍କ ଆର୍ଶୀବାଦ କହୁଥିବାବେଳେ, ଅନ୍ୟ କିଛି ଲୋକ ଚମତ୍କାର ବୋଲି ମଧ୍ୟ କହୁଛନ୍ତି ।