ଆଇପିଏଲ : ନୂଆ ଦଳର ନୂଆ ଅଧିନାୟକ, ମହାନିଲାମୀ ପୂର୍ବରୁ ଷ୍ଟାର ଖେଳାଳୀଙ୍କୁ ଦଳରେ ସାମିଲ କଲେ ଅହମ୍ମଦାବାଦ ଓ ଲକ୍ଷ୍ନୌ ।

314

କନକ ବ୍ୟୁରୋ : ଆଇପିଏଲ ମହାନିଲାମୀ ପୂର୍ବରୁ ଦୁଇ ନୂଆ ଟିମ ୩ ଜଣ ଖେଳାଳୀଙ୍କୁ ନିଜ ଟିମରେ ସାମିଲ କରିଛନ୍ତି । ଏନେଇ ଉଭୟ ଦଳର ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୩ ଖେଳାଳୀଙ୍କ ସହ ଦଳର ଅଧିନାୟକଙ୍କ ନାଁ ମଧ୍ୟ ଘୋଷଣା କରିଛନ୍ତି ଉଭୟ ଲକ୍ଷ୍ନୌ ଓ ଅହମ୍ମଦାବାଦ ଫ୍ରାଞ୍ଚାଇଜ । ଅହମ୍ମଦାବାଦ ଭାରତୀୟ ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ ବାଛିଥିବା ବେଳେ ଲକ୍ଷ୍ନୌ ଟିମ୍ କେ.ଏଲ ରାହୁଲଙ୍କୁ ନିଜ ଦଳର ଅଧିନାୟକ ଭାର ଦେଇଛି ।

ଅହମ୍ମଦାବାଦ ହାର୍ଦ୍ଦିକ ପାଣ୍ଡ୍ୟା, ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍ ଓ ଶୁଭମାନ୍ ଗିଲଙ୍କୁ ଦଳରେ ସାମିଲ କରିଛି । ଉଭୟ ହାର୍ଦ୍ଦିକ ଓ ରସିଦଙ୍କୁ ୧୫ କୋଟି ଟଙ୍କା ପାରିଶ୍ରମିକରେ ଦଳରେ ସାମିଲ କରିଥିବା ବେଳେ ଗିଲଙ୍କୁ ୮ କୋଟି ଟଙ୍କାରେ ଦଳରେ ସାମିଲ କରିଛି ଅହମ୍ମଦାବାଦ । ସେହିଭଳି ଲକ୍ଷ୍ନୌ ଟିମ କେ.ଏଲ ରାହୁଲଙ୍କୁ ୧୭ କୋଟି, ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ୯ କୋଟି ଓ ରବି ବିଷ୍ଣୋୟୀଙ୍କୁ ୪ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ଅହମ୍ମଦାବାଦ ଓ ଲକ୍ଷ୍ନୌ ୩ ଜଣ ଲେଖାଏଁ ଖେଳାଳୀଙ୍କୁ ଦଳରେ ସାମିଲ କରିବା ପରେ ଏବେ ମହାନିଲାମୀ ପାଇଁ ବାଟ ଫିଟିଛି । ଆସନ୍ତା ଫେବ୍ରୁଆରୀରେ ଆଇପିଏଲ ମହାନିଲାମୀ ହେବାକୁ ଯାଉଛି । ଏହାପୂର୍ବରୁ ଅନ୍ୟ ୮ଟି ଦଳ ମହାନିଲାମୀ ପୂର୍ବରୁ ଖେଳାଳୀଙ୍କୁ ରିଟେନ ରଖିଥିଲେ ।