ରୋହିତ ଓ ବିରାଟଙ୍କୁ ନେଇ ବଡ ବୟାନ ଦେଲେ ପୂର୍ବତନ କ୍ରିକେଟର ହରଭଜନ ସିଂ । କହିଲେ…

508

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ଶେଷ ହେବା ପରେ ମଧ୍ୟ ଏବେ ବି ଟିମ୍ ଇଣ୍ଡିଆକୁ ପ୍ରଶ୍ନବାଣର ଶିକାର ହେବାକୁ ପଡୁଛି । ଆଉ ଏହି ତାଲିକାରେ ଯୋଡି ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ । ପୂର୍ବତନ ଭାରତୀୟ ସ୍ପିନର ହରଭଜନ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ଏପରିକି ଏହି ୨ ଷ୍ଟାର କ୍ରିକେଟରଙ୍କୁ ପରାମର୍ଶ ଦେଇ ହରଭଜନ କହିଛନ୍ତି, ଉଭୟ ରୋହିତ ଓ କୋହଲି ଟି-୨୦ ଫର୍ମାଟରେ ନିଜର ଷ୍ଟ୍ରାଇକ ରେଟ୍ ବଢାଇବାର ଆବଶ୍ୟକତା ରହିଛି । ହରଭଜନ କହିଛନ୍ତି, ଟି-୨୦ କ୍ରିକେଟରେ ପ୍ରଥମ ୬ ଓଭର ଟିମ୍ ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ଟି-୨୦ ଫର୍ମାଟରେ ଆମର ପ୍ରଦର୍ଶନକୁ ବଦଳାଇବାର ଆବଶ୍ୟକତା ରହିଛି । ଯଦି ପ୍ରଥମ ୬ ଓଭରରେ ରନ୍ ସ୍କୋର କମ ହେଉଛି ତେବେ ୨୦ ବଲରେ ୫୦ ରନ୍ କରିବାକୁ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଭରସା କରିବାକୁ ପଡିବ, ଯାହା ସବୁବେଳେ ସମ୍ଭବ ନୁହେଁ ।

ହରଭଜନଙ୍କ କହିବା ଅନୁଯାୟୀ, ଯଦି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଫ୍ଲପ୍ ହେଉଛନ୍ତି ତେବେ କଥା ସରିଲା । ଆଉ ଏହାର ଝଲକ ଟି-୨୦ ବିଶ୍ୱକପରେ ମଧ୍ୟ ଦେଖିବାକୁ ମିଳିଛି । ଟି-୨୦ ବିଶ୍ୱକପରେ ପ୍ରଥମ ୬ ଓଭରରେ ଓପନିଂ ଯୋଡି ସେଭଳି ବଡ ସ୍କୋର କରିବାରେ ସଫଳ ହୋଇନଥିଲେ । କେଉଁ ମ୍ୟାଚରେ ରୋହିତ ଶର୍ମା ତ ପୁଣି କେଉଁ ମ୍ୟାଚରେ କେ.ଏଲ ରାହୁଲ ଫ୍ଲପ୍ ହେଉଥିଲେ । ଓପନିଂ ଯୋଡି ଠାରୁ ବଡ ସ୍କୋର ଦେଖିବାକୁ ମିଳିନଥିଲା । ଯାହାର ଚାପ ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପଡୁଥିଲା । ଇଂଲଣ୍ଡ ଟିମ୍ ନିଜର ଖେଳିବାର ଷ୍ଟାଇଲ ବଦଳାଇବାରୁ ୨ଟି ବିଶ୍ୱକପ ଜିତିବାରେ ସକ୍ଷମ ହେଲା । ଆଉ ଟି-୨୦ରେ ଏମିତି ହିଁ ଖେଳିବାର ଆବଶ୍ୟକତା ରହିଛି । ତେଣୁ ଟପ୍-୩ ବ୍ୟାଟର ରାହୁଲ, ରୋହିତ ଓ ବିରାଟଙ୍କୁ ନିଜର ଷ୍ଟ୍ରାଇକ ରେଟ୍ ବଢାଇବା ସହ ବଡ ସ୍କୋର କରିବାର ଆବଶ୍ୟକତା ରହିଛି ।