୬୫ ବର୍ଷରେ ପାଦ ଥାପିଲେ ବଲିଉଡର ଏଭର୍ ଗ୍ରୀନ୍ ଅଭିନେତ୍ରୀ ରେଖା ! ଶୁଭେଚ୍ଛା ଜଣାଇଲେ ବଲିଉଡ୍ କଳାକାର ।

439

ବଲିଉଡ୍ ର ଏଭର୍ ଗ୍ରୀନ୍ ଅଭିନେତ୍ରୀ ରେଖା ଆଜି ୬୫ ବର୍ଷରେ ପାଦ ରଖିଛନ୍ତି । ତାଙ୍କ ଜନ୍ମଦିନରେ ବଲିଉଡର ନାମୀଦାମୀ କଳାକାର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୁନ୍ଦରତାରେ ବଲିଉଡର ଆଗଧାଡିର ହିରୋଇନ୍ ଙ୍କୁ ପଛରେ ପକାଉଥିବା ରେଖାଙ୍କ ବୟସ ୬୫ ବର୍ଷ ହେଲେ ମଧ୍ୟ ସେ ଖୁବ୍ ଯୁବା ଜଣାପଡନ୍ତି । ରେଖାଙ୍କ ଅସଲ ନାଁ ହେଉଛି ଭାନୁରେଖା ଗଣେଶନ୍ । ବ୍ୟକ୍ତିଗତ ଜୀବନ ହେଉ କିମ୍ବା ପେସା ରେଖା ସବୁବେଳେ ଲାଇମ୍ ଲାଇଟରେ ରହିବା ସହ ଖୁବ୍ ସଂଘର୍ଷ ମଧ୍ୟ କରିଛନ୍ତି । ଅକ୍ଟୋବର ୧୦ , ୧୯୫୪ ରେ ଚେନ୍ନାଇରେ ଜନ୍ମ ହୋଇଥିବା ରେଖାଙ୍କ ପିତା ପ୍ରସିଦ୍ଧ ତାମିଲ୍ ଅଭିନେତା ଜେମନି ଗଣେଶନ୍ ଏବଂ ମାତା ପୁଷ୍ପାବଳୀ ତେଲୁଗୁ ଅଭିନେତ୍ରୀ ଥିଲେ । ପିଲାବେଳୁ ହିଁ ବାପାଙ୍କ ଠାରୁ ଦୂରେଇ ରହୁଥିବା ରେଖା ଏକ ସାକ୍ଷାତକାରରେ କହିଥିଲେ , ମୋ ଜୀବନରେ ଫାଦର୍ ଶବ୍ଦର ଅର୍ଥ କେବଳ ଗୀର୍ଜାର ଫାଦର , ବ୍ୟକ୍ତିଗତ ଜୀବନରେ ମୁଁ ଏହି ଶବ୍ଦର ଅର୍ଥ ହିଁ ଜାଣିନାହିଁ ।

ପ୍ରଥମଥର ୧୯୬୬ ରେ ତେଲୁଗୁ ସିନେମା “ରଙ୍ଗୁଲା ରତ୍ନମ୍” ରୁ ଅଭିନୟ ଆରମ୍ଭ କରିଥିବା ରେଖା ଏହି ସିନେମାରେ ଶିଶୁ କଳାକାର ରୂପେ ନଜର ଆସିଥିଲେ । ରେଖା କେବେବି ସିନେମାରେ ଅଭିନୟ କରିବାକୁ ଚାହୁଁନଥିଲେ କିନ୍ତୁ ଘରର ଆର୍ଥୀକ ପରିସ୍ଥିତି ଖରାପ ହେବାରୁ ତାଙ୍କୁ ଏହି ପେସାକୁ ଆପଣାଇବାକୁ ପଡିଥିଲା । କିଛି ସାଉଥ୍ ସିନେମାରେ କାମ କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ହିନ୍ଦୀ ସିନେମାରେ ଭାଗ୍ୟ ପରୀକ୍ଷା କରିଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” (୧୯୭୦) ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କଲେ ଏବଂ ରାତାରାତି ଷ୍ଟାର୍ ମଧ୍ୟ ପାଲଟିଗଲେ । ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ରେଖା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି । ଅମିତାଭ୍ ବଚ୍ଚନଙ୍କ ସହ ପ୍ରେମସଂପର୍କକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ଥିଲେ ।