କୃଷକ ଆନ୍ଦୋଳନକୁ ବିଜେପିର ସହଯୋଗୀ ଦଳଙ୍କ ସମର୍ଥନ । ଆରଏଲପି କହିଲା ୨୬ ରେ ଦିଲ୍ଲୀ ଆସିବେ ୨ ଲକ୍ଷ କୃଷକ । ଏନଡିଏ ଛାଡିବା ନେଇ ସେହିଦିନ ହେବ ନିଷ୍ପତ୍ତି

322

କନକ ବ୍ୟୁରୋ : କେନ୍ଦ୍ରୀୟ କୃଷି କାନନୁ ମୁଦ୍ଦାକୁ ନେଇ ଗୋଟିଏ ପଟେ ଭାରତୀୟ ଜନତା ପାର୍ଟି କୃଷକ ମାନଙ୍କୁ ବୁଝାଇବାକୁ ଦେଶ ସାରା ସମାବେଶ କରୁଥିବା ବେଳେ ତା’ର ସହଯୋଗୀ ଦଳ ଏହି ଆଇନ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ଏନଡିଏର ସହଯୋଗୀ ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (ଆରଏଲପି) ର ସଂଯୋଜକ ତଥା ରାଜସ୍ଥାନ ନାଗୋର ସାଂସଦ ହନୁମାନ ବେନିବାଲ ଘୋଷଣା କରିଛନ୍ତି କି କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଡିସେମ୍ବର ୨୬ ତାରିଖ ଦିନ ୨ ଲକ୍ଷ କୃଷକଙ୍କୁ ଧରି ସେ ଦିଲ୍ଲୀ ପହଂଚିବେ । କେବଳ ଏତିକି ନୁହେଁ ହନୁମାନ ଆହୁରି କହିଛନ୍ତି କି ଦିଲ୍ଲୀ ପହଂଚିବା ପରେ ତାଙ୍କ ପାର୍ଟି ଏନଡିଏରେ ରହିବ କି ସମର୍ଥନ ପ୍ରତ୍ୟାହାର କରିବ ତାହା ଉପରେ ସେହିଦିନ ନିଷ୍ପତ୍ତି ନିଆଯିବ ।

ହନୁମାନ ବେନିବାଲ ଏହା ପୂର୍ବରୁ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ସଂସଦର ତିନି ସମିତି ସଦସ୍ୟତା ପଦରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ର ଲୋକସଭା ଅଧ୍ୟକ୍ଷ ଓମ ବିର୍ଲାଙ୍କ ନିକଟକୁ ପଠାଇ ଦେଇଥିଲେ । ଯେଉଁଥିରେ କି ସେ ସଂସଦ ଉଦ୍ୟୋଗ ସମ୍ବନ୍ଧିୟ ସ୍ଥାୟୀ ସମିତି, ଯାଚିକା ସମିତି ଓ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ପରାମର୍ଶ ସମିତିରୁ ଇସ୍ତଫା ଦେଇଥିବା କଥା ଉଲ୍ଲେଖ କରିଥିଲେ । ସୂଚନା ଥାଉ କି ବେନିବାଲ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ ଟି ଯାକ କୃଷି ଆଇନକୁ ଲଗାତର ଭାବେ ବିରୋଧ କରିଆସୁଛନ୍ତି । ଏହା ପୂର୍ବରୁ ସେ କହିଥିଲେ କି କୃଷକ ମାନଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱାମୀନାଥନ୍ କମିଟିର ସୁପାରିଶ ଲାଗୁ ହେବା ଦରକାର । ହେଲେ ଶନିବାର ଦିନ ବେନିବାଲ ଘୋଷଣା କରିଛନ୍ତି କି କୃଷି ଆଇନକୁ ବିରୋଧ କରି ରାଜସ୍ଥାନରୁ ୨ ଲକ୍ଷ କୃଷକଙ୍କୁ ଧରି ସେ ଦିଲ୍ଲୀ ମାର୍ଚ୍ଚ କରିବେ । ବେନିବାଲ କହିଛନ୍ତି କି ଯଦି କେନ୍ଦ୍ରସରକାର କୃଷି ଆଇନକୁ ପ୍ରତ୍ୟାହାର ନକରନ୍ତି ତେବେ ଏନଡିଏ ସହିତ ତାଙ୍କର ସମର୍ଥନ ରହିବ କି ନାହିଁ ତାହା ଉପରେ ବିଚାର କରିବେ । ଏହା ସହ ତୁରନ୍ତ କୃଷି ଆଇନ ପ୍ରତ୍ୟାହାର କରିବାକୁ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ବି ଏକ ପତ୍ର ଲେଖିଥିବା ଜଣାପଡିଛି ।