ମହାରାଷ୍ଟ୍ରରେ ଜୋରଦାର ହନୁମାନ ଚାଳିଶା ରାଜନୀତି । ସାଂସଦ ନବନୀତ ଏବଂ ବିଧାୟକ ସ୍ୱାମୀଙ୍କ ବିରୋଧରେ ରାଜଦ୍ରୋହ ମାମଲାକୁ ଉଦ୍ଦେଶ୍ୟମୂଳକ କହିଲେ ଫଡନାଭିସ

134

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ମହାରାଷ୍ଟ୍ରର ସାଂସଦ ନବନୀତ । ହାଇକୋର୍ଟରେ ତାଙ୍କ ବିରୋଧରେ ଆଗତ ଆବେଦନ ଖାରଜ ହେବା ପରେ ଏପରି ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢିବେ ବୋଲି କହିଥିଲେ । ଏହାପରେ ପୁଲିସ ସାଂସଦ ଏବଂ ତାଙ୍କ ବିଧାୟକ ସ୍ୱାମୀଙ୍କୁ ପୁଲିସ ଗିରଫ କରିଛି । ଏଥିସହ ଦୁଇ ଜଣଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ କରିଛି । ଯାହାକୁ ନେଇ ବିଜେପି ସରକାର ଉପରେ ବର୍ଷିଛି ।

  • ‘ହନୁମାନ ଚାଳିଶା’କୁ ନେଇ ତେଜିଲା ରାଜନୀତି
  • ସରକାର ବିରୋଧୀ ମୁହାଁମୁହିଁ

ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ୱାମୀ ବିଧାୟକ ରବି ରାଣା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିସା ପଢିବେ ବୋଲି କହିବା ପରେ ଏବେ ଜେଲ୍ ଯାଇଛନ୍ତି । ଧର୍ମୀୟ ଭାବନକୁ ଉସକାଇବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରିଛି । ହେଲେ ବିରୋଧୀ ଏହାକୁ ଖାରଜ କରିଛନ୍ତି । ସରକାର ବ୍ୟକ୍ତିଗତ ଆକ୍ରୋଶ ରଖି ସାଂସଦ ଏବଂ ତାଙ୍କ ସ୍ୱାମୀଙ୍କ ବିରୋଧରେ ରାଜଦ୍ରୋହ ଭଳି ଦଫା ଲଗାଇଛନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହଛନ୍ତି । ଯଦି ଆମ ଦେଶରେ ଜଣେ ହନୁମାନ ଚାଳିସା ନପଢିବ ତାହେଲେ କଣ ପାକିସ୍ତାନରେ ଜଣେ ହନୁମାନ ଚାଳିସା ପଢିବ କି ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି ଜେଲରେ ମହିଳା ସାଂସଦଙ୍କୁ ପାଣି ସହିତ ବାଥରୁମ ବ୍ୟବହାର କରିବାକୁ ସୁଯୋଗ ଦିଆଯାଉନି ବୋଲି ଫଡନାବିସ କହିଛନ୍ତି ।

  • ନବନୀତ ରାଣାଙ୍କୁ ଝଟକା
  • ବମ୍ବେ ହାଇକୋର୍ଟରେ ଆବେଦନ ଖାରଜ

ସାଂସଦ ଏବଂ ତାଙ୍କ ସ୍ୱାମୀ ରବି ରାଣା ଏଫଆଇଆର ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ବମ୍ବେ ହାଇକୋର୍ଟ ଆବେଦନକୁ ଖାରଜ କରିଛନ୍ତି । ସେପଟେ ନବନୀତ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖି ଘଟଣାକ୍ରମ ବାବଦରେ ଅବଗତ କରାଇଛନ୍ତି । ଏମିତିକି ଜେଲରେ କିଭଳି ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସହ ବ୍ୟବହାର ହେଉଛି କହିଛନ୍ତି । ଏବେ ଲୋକସଭା ସେକ୍ରେଟେରୀ ଏହାକୁ ନେଇ ଜବାବ ତଲବ କରିଥିବା ସୂଚନା ରହିଛି ।

ଅନ୍ୟପଟେ କିଛି ଦିନ ହେବ ରାଜ୍ୟରେ ଯେଉଁଭଳି ସ୍ଥିତି ଉପୁଜିଛି ସମସ୍ୟାର ସମାଧାନ ପାଇଁ ସବ ର୍ଦଳୀୟ ବୈଠକ ଡାକିଥିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦିଲ୍ଲୀପ ୱାଲସେ ପାଟିଲ । ଏହି ବୈଠକରେ କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଯୋଗ ଦେଇନଥିବା ବେଳେ ବିରୋଧୀ ବିଜେପି ମଧ୍ୟ ବୈଠକକୁ ବୟକଟ କରିଛି । ସେପଟେ ସାଂସଦ ନବନୀତ ଏବଂ ବିଧାୟକ ରବି ରାଣା ଥିବା ଜେଲକୁ ଯିବା ବେଳେ ବିଜେପି ନେତା କିରଟ ସୌମୟା ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣ ପଛରେ ଶିବସେନା ରହିଛି ବୋଲି ସେ ଅଭିଯୋଗ କରିଛନ୍ତି । କିନ୍ତୁ ପୁଲିସ ଏଫଆଇଆର ନରଖିବା ପରେ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ଗୃହ ସଚିବଙ୍କୁ ଭେଟିଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ ବିରୋଧରେ ପୁଲିସ କମିଶନର ଫେକ୍ ଏଫଆଇଆର ରୁଜୁ କରିଥିବା କିରଟ କହିଛନ୍ତି ।