ସିଲ୍ ହେଲା ରାୟଗଡ଼ା ନାଗାବଳୀ ଝୁଲାପୋଲ । ସୁରକ୍ଷା ଦେଇ ନପାରି, ପୋଲକୁ ଦୋଷ ଦେଇ ବନ୍ଦ କରିଦେଲା ପ୍ରଶାସନ

87

କନକ ବ୍ୟୁରୋ: ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ନିକଟରେ ବାରମ୍ବାର ଦୁର୍ଘଟଣା ଘଟିବା ଓ ପର୍ଯ୍ୟଟକ ଭାସିଯିବା ପରେ ଶେଷରେ ନିଜେ ସୁରକ୍ଷା ଦେଇ ନପାରି, ପୋଲକୁ ଦୋଷ ଦେଇ ବନ୍ଦ କରି ଦେଇଛି ପ୍ରଶାସନ ।

  • ସିଲ୍ ହେଲା ରାୟଗଡାର ନାଗାବଳୀ ଝୁଲାପୋଲ
  • ଯାତାୟତ ବନ୍ଦ, ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ

ବାରମ୍ବାର ଦୁର୍ଘଟଣା ଘଟିବା ପରେ, ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ରାୟଗଡା ଜିଲ୍ଲାର ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ବନ୍ଦ କରି ଦେଇଛି ଜିଲ୍ଲା ପ୍ରଶାସନ । ପୋଲର ପ୍ରବେଶ ପଥରେ ନୋଟିସ୍ ଲଗାଯିବା ସହ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହି ପୋଲ ନିକଟରେ ୫ ବର୍ଷରେ ୨୭ରୁ ଅଧିକ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି ।

ପୋଲଠାରୁ ଅଳ୍ପ ଦୂରରେ ରହିଛି ମା ମଝି ଘରିଆଣୀଙ୍କ ମନ୍ଦିର । ଯାହା ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କୁ ଟାଣି ଆଣିଥାଏ । ହେଲେ ଦୁର୍ଭାଗ୍ୟର ବିଷୟ ଏହି ପୋଲକୁ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଅସାବଧାନତା ଯୋଗୁଁ ଅନେକ ସମୟରେ ନାଗାବଳୀର ଗଭୀର ସ୍ରୋତରେ ଭାସି ଯାଇଥାନ୍ତି ।

– ୨୦୧୭ରେ ଝୁଲାପୋଲ ବୁଲିବାକୁ ଆସିଥିବା ୬ ଜଣ ପର୍ଯ୍ୟଟକ ନାଗାବଳୀରେ ଭାସିଯାଇ ମୃତ୍ୟୁବରଣ କରିଥିଲେ

– ୨୦୧୮ରେ ୮ଜଣ, ୨୦୧୯ରେ ୬ଜଣ, ୨୦୨୦ରେ ଜଣେ, ୨୦୨୧ରେ ୨ଜଣ ଓ ୨୦୨୨ରେ ୨ଜଣ ପର୍ଯ୍ୟଟକଙ୍କର ଜୀବନ ଯାଇଛି 

ତେବେ ଏହି ପୋଲ ଉପରେ ପାଖ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭର କରୁଥିବାରୁ ସମ୍ପୂର୍ଣ୍ଣ ବନ୍ଦ ନକରି ଲୋକଙ୍କୁ ସଚେତନ କରି ଖୋଲିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଉପ ଜିଲ୍ଲାପାଳ କହିଛନ୍ତି ପୋଲକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇନାହିଁ । ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

ନଦୀ ଆରପଟେ ଥିବା ୮ଟି ମାଓପ୍ରବଣ ପଞ୍ଚାୟତକୁ ସଂଯୋଗ ପାଇଁ ୨୦୧୧ରେ ଏହି ଝୁଲାପୋଲର ନିର୍ମାଣ ଆରମ୍ଭ ହୋଇଥିଲା । ୨୦୧୨ରେ ପୋଲ ନିର୍ମାଣ ସରିଥିଲା । ୧୦୦ ଫୁଟ ଉଚ୍ଚରେ ନିର୍ମିତ ୧୫୧ ମିଟର ଲମ୍ବର ଝୁଲାବ୍ରିଜ୍ ସମ୍ପୂର୍ଣ୍ଣ ଲୁହା ତାରରେ ନିର୍ମିତ ହୋଇଥିଲା । ଯାହା ଦେଖିବା ପାଇଁ ଲୋକଙ୍କ ଭିତରେ ଆଗ୍ରହ ରହିଥାଏ ।