ମହିଳାଙ୍କୁ ରୋଜଗାର ଦେଉଛି ହସ୍ତତନ୍ତ ଶିଳ୍ପ। ଡିଜାଇନ୍ ଶାଢି, ସାଲ, ବ୍ୟାଗ, ଷ୍ଟଲ ତିଆରି କରୁଛନ୍ତି ଉଦଳା ସୁନାପାଳ ଅଞ୍ଚଳର ମହିଳା।
କନକ ବ୍ୟୁରୋ: ମହିଳାଙ୍କୁ ରୋଜଗାର ଦେଉଛି ହସ୍ତତନ୍ତ ଶିଳ୍ପ । କିଏ ତନ୍ତକୁ ରଙ୍ଗ ଦେବାରେ ବ୍ୟସ୍ତ ତ ପୁଣି କିଏ ଶାଢୀ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ମୟୁରଭଂଜ ଉଦଳା ବ୍ଲକ ସୁନାପାଳ ଠାରେ ଥିବା ହସ୍ତତନ୍ତ ପ୍ରଶିକ୍ଷଣ କେନ୍ଦ୍ରରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଏହି କେନ୍ଦ୍ରରେ ପାଖାପାଖି ୫୦ ଜଣ ମହିଳା ଏକାଠି ହୋଇ ତନ୍ତରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତି କରୁଛନ୍ତି । ତନ୍ତ କାଟିବା ଠାରୁ ଆରମ୍ଭ କରି ତନ୍ତକୁ ନେଇ ବିଭିନ୍ନ ପ୍ରକାର ସାମଗ୍ରୀ ଯେପରିକି ଶାଢୀ, ସାଲ, ବ୍ୟାଗ, ଷ୍ଟଲ ଆଦି ତିଆରି କରୁଛନ୍ତି ମହିଳା । ଏଠାରୁ ଉତ୍ପାଦିତ ହେଉଥିବା ସାମଗ୍ରୀ ଗୁଡିକର ଚାହିଦା ବେଶ୍ ଅଧିକ ରହିଛି । ସ୍ଥାନୀୟ ବଜାର ସହିତ ରାଜ୍ୟର ବିଭିନ୍ନ ସହରରେ ଏହାକୁ ବିକ୍ରି କରାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ତନ୍ତରେ ପ୍ରାକୃତିକ ରଙ୍ଗ ଦେଇ ବିଭିନ୍ନ ଡିଜାଇନରେ ତିଆରି ହେଉଥିବା ଶାଢୀ ବେଶ୍ ଲୋକପ୍ରିୟ ହୋଇପାରୁଛି । କେବଳ ସେତିକି ନୁହେଁ ବିଭିନ୍ନ ପ୍ରଦର୍ଶନୀକୁ ମଧ୍ୟ ଏହି ସାମଗ୍ରୀ ବିକ୍ରି ପାଇଁ ପଠା ଯାଇଥାଏ । ତେବେ ମହିଳା ମାନଙ୍କୁ ନୂତନ ଶିକ୍ଷା ସହିତ ଆଧୁନିକ ଯନ୍ତ୍ରାଂଶ ଯୋଗାଇଦିଆଗଲେ ଅଧିକ ରୋଜଗାରକ୍ଷମ ହୋଇପାରନ୍ତେ ବୋଲି କହିଛନ୍ତି ପ୍ରଶିକ୍ଷକ । ହସ୍ତତନ୍ତ କାମ ଯୋଗୁ ରୋଜଗାରକ୍ଷମ ହେବା ସହ ଉପକୃତ ହୋଇପାରୁଛନ୍ତି ସ୍ଥାନୀୟ ଅଞ୍ଚଳର ମହିଳା । ନିଜର ଅତ୍ୟାବଶ୍ୟକୀୟ ଖର୍ଚ୍ଚ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ମହିଳା ମାନେ ଏବେ ନିଜ ଖର୍ଚ୍ଚ ନିଜେ ଉଠାଇପାରୁଛନ୍ତି । ଏହା ସହିତ ଘର ଖର୍ଚ୍ଚରେ ମଧ୍ୟ କିଛି ସହଯୋଗ କରିପାରୁଛନ୍ତି ।