କନକ ବ୍ୟୁରୋ: ଘରେ ବସିରହୁଥିବା ମହିଳା ଏବେ ସ୍ୱାବଲମ୍ବୀ । ନିଜେ ଚଳିବା ସହିତ ପରିବାର ପ୍ରତିପୋଷଣରେ କରୁଛନ୍ତି ସହଯୋଗ । ପ୍ରଥମେ କାମ ଶିଖିଲେ ଏବେ ସେହି କାମ ବଳରେ ଦି ପଇସା ରୋଜଗାର କରୁଛନ୍ତି । ହସ୍ତତନ୍ତ ଶିଳ୍ପ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ ।

Advertisment

କିଏ ସୂତାରେ ରଙ୍ଗ ଦେବାରେ ବ୍ୟସ୍ତ ତ ପୁଣି କିଏ ସୁତାକୁ ଅରଟରେ ଲଗାଇବାରେ ବ୍ୟସ୍ତ । ଆଉ କିଏ ସୂତାକୁ ତନ୍ତରେ ଲଗାଇ ଲୁଗା ବୁଣିବାରେ ବ୍ୟସ୍ତ । ଆପଣ ଦେଖୁଥିବା ଏହି ଦୃଶ୍ୟ ହେଉଛି ଉଦଳା ବ୍ଲକ ଜୁଆଳିଆ ଠାରେ ଥିବା ହସ୍ତତନ୍ତ କେନ୍ଦ୍ରର । ଏହି କେନ୍ଦ୍ରରେ ଏବେ ୬୦ରୁ ଅଧିକ ମହିଳା କାମ କରୁଛନ୍ତି ।

ବିଭିନ୍ନ ପ୍ରକାର ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଯେପରିକି ବ୍ୟାଗ, ମୁଣା, ମସିଣା ଭଳି ବିଭିନ୍ନ ସାମଗ୍ରୀ ତିଆରି ସ୍ୱାବଲମ୍ବୀ ହୋଇଛନ୍ତି । ଏହା ସହିତ ତନ୍ତୁରୁ ମଧ୍ୟ ଶାଢୀ ତିଆରି ଚାଲିଛି । ହର୍ବାଲ ରଙ୍ଗ ବ୍ୟବହାର କରି ଟସର ସୂତାକୁ ରଙ୍ଗ କରି ପାରମ୍ପାରିକ ଆଦିବାସୀ, ସମ୍ବଲପୁରୀ ସହିତ ବିଭିନ୍ନ ଡିଜାଇନର ଶାଢି, ସାଲ ପ୍ରସ୍ତୁତ କରୁଛନ୍ତି ।

ମହିଳାଙ୍କୁ ଏହି କାମରେ ସହଯୋଗର ହାତ ବଢ଼ାଇଛି ମଉନ ଧ୍ୱନି ଫାଉଣ୍ଡେସନ । ମାତ୍ର ୮ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂସ୍ଥାରେ ଏବେ ୫୦୦ରୁ ଅଧିକ ଲୋକ ଯୋଡ଼ି ହେଲେଣି । ଆଖପାଖ ଅଂଚଳର ୧୨ଟି ଗାଁର ମହିଳା ମାନେ ଏହା ଦ୍ୱାରା ଉପକୃତ ହୋଇପାରୁଛନ୍ତି । ମହିଳା ମାନେ ପ୍ରତେକ ଦିନ ଘର କାମ ସାରି ଏଠାରେ ଏକାଠି ହୁଅନ୍ତି । ସମସ୍ତେ ଭିନ୍ନ ପ୍ରକାର ଦାୟିତ୍ୱରେ ରହିଥିବାବେଳେ ଏଠାରୁ ବିଭିନ୍ନ କିସମର ଶାଢୀ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ରୋଜଗାର ହେଉଥିବା ଟଙ୍କାରେ ନିଜେ ଚଳିବା ସହିତ ପରିବାର ପ୍ରତିପୋଷଣରେ ମଧ୍ୟ ସହାୟତା କରିପାରୁଛନ୍ତି । ମହିଳା ମାନେ ତିଆରି କରୁଥିବା ଶାଢୀ, ସାଲ, ବ୍ୟାଗ ସହିତ ବିଭିନ୍ନ ଆସବାବପତ୍ର ରାଜ୍ୟ ତଥା ରାଜ୍ୟ ବାହାରେ ବିକ୍ରୀ କରାଯାଉଛି । ଯାହାଦ୍ୱାରା ସେମାନେ ଆତ୍ମନିର୍ଭର ହୋଇପାରୁଛନ୍ତି ।

ବଜାରରେ ବିଭିନ୍ନ କେମିକାଲ ଯୁକ୍ତ ରଙ୍ଗରେ ଶାଢ଼ି ପ୍ରସ୍ତୁତ କରାଯାଉଛି । କିନ୍ତୁ ଏଠାରେ ମହିଳା ମାନେ ବିନା କେମିକାଲ ଯୁକ୍ତ ରଙ୍ଗରେ ଶାଢ଼ି ଓ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଯାହାର ବଜାରରେ ବେଶ ଅଧିକ ଚାହିଦା ରହିଛି ।