କନକ ବ୍ୟୁରୋ:  ଏ ପାଦ ନିଇତି ଚାଲୁଛି ୭୦ରୁ ୮୦ କିଲୋମିଟର ବାଟ । ତଥାପି ଥକୁନି । କଷ୍ଟ ହେଲେ ବି ସେ କଷ୍ଟକୁ ପଛରେ ପକାଇ ଆଗକୁ ମାଡି ଚାଲିଛି ଏ ପାଦ । କାରଣ ଆଖି ଆଗରେ ପରା ନାଚି ଯାଉଛି ସ୍ତ୍ରୀ ପିଲାଛୁଆଙ୍କ ମୁହଁ । ଏମିତି ଚାଲି ଚାଲି ବେପାର କରି ଦି ପଇସା ପାଇଲେ ସେମାନଙ୍କ ପେଟରେ ଦାନା ଦିଟା ପଡିବ । ଯଦି ସେ ଥକିଯାନ୍ତି ଏ ସଂସାର ଚାଲିବ କେମିତି? ସତରେ ଆଜି ପୁରା ସମାଜ ପାଇଁ ଜଣେ ପ୍ରେରଣା ପାଲଟିଛନ୍ତି ବୃନ୍ଦାବନ ।

Advertisment

ଗୋଟିଏ ହାତ ନାହିଁ । ହେଲେ କୌଣସି କାମ ପାଇଁ କାହାରି ଉପରେ ନିର୍ଭର କରିନାହାଁନ୍ତି । ଦୁଃଖ ଭିତରେ କେମିତି ହସି ବଞ୍ଚି ହୁଏ । ସଂଘର୍ଷ ଭିତରେ କିପରି ଜୀବନ ଯୁଦ୍ଧକୁ ଜିତିବାକୁ ହୁଏ, ତାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ବୃନ୍ଦାବନ ବେହେରା । ପ୍ରତିଦିନ ୭୦ରୁ ୮୦ କିଲୋମଟିର ବାଟ କାଲି ଚାଲି ମାଛ ବେପାର କରୁଛନ୍ତି ବୃନ୍ଦାବନ । କି ଖରା, କି ବର୍ଷା ସବୁବେଳେ ଚାଲିଥାଏ ଏ ପାଦ ଦୁଇଟି । ମାସକୁ ମାତ୍ର ୭/ ୮ ହଜାର ଭିତରେ ଯାହା ରୋଜଗାର ହୁଏ । ସେଥିରେ ପୁଣି ଭଡାଘର , ପିଲାଙ୍କ ପାଠପଢା । ଭାରି କଷ୍ଟ ହୁଏ ପରିବାର ଚଳାଇବାକୁ । ସରକାରୀ ସହାୟତା ପାଇଁ ବୃନ୍ଦାବନ ପ୍ରଶାସନକୁ ଗୁହାର କରିଥିଲେ ବି ମାତ୍ର ୫୦୦ ଟଙ୍କା ଭତ୍ତା ଛଡା ଆଉ କିଛି ବି ତାଙ୍କୁ ଏଯାଏଁ ମିଳିନାହିଁ ।

 ଭଗବାନ୍ ଗୋଟିଏ ହାତ ସିନା ଦେଲେନି ହେଲେ ମନରେ ତାଙ୍କର ଭରି ଦେଇଛନ୍ତି ବଞ୍ଚିବାର ଅପାର ଇଚ୍ଛା । ଦୁଃଖ କଷ୍ଟ ପରେ ବି ବଞ୍ଚିବାକୁ ତ ହେବ ଏଇ ବାର୍ତ୍ତା ଦେଉଛନ୍ତି ବୃନ୍ଦାବନ । ଗୋଟିଏ ହାତରେ ତ ସେ ଚଳାଇ ଆସୁଛନ୍ତି ୪ ପ୍ରାଣୀ କୁଟୁମ୍ବ । ତାଙ୍କର ଏପରି ଇଚ୍ଛା ଶକ୍ତି ଦେଖି ସ୍ଥାନୀୟ ଲୋକେ ତାଙ୍କର ବାହାବା କରୁଛନ୍ତି ।

ବିଶ୍ୱାସ ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ପ୍ରଶାସନ ବୃନ୍ଦାବନଙ୍କ ଦୁଃଖ ନିଶ୍ଚୟ ଶୁଣିବେ ।