ଗୋଟିଏ ଗୋଡ଼ରେ କୋଟିଏ କାମ । ଦୁର୍ଘଟଣା ପରେ ବି ଭାଙ୍ଗି ପଡି ନାହାନ୍ତି ଯୁକ୍ତ ୨ ଛାତ୍ର । ଗୋଟିଏ ଗୋଡରେ କୋଡି କୋଦାଳ ଧରି କରୁଛନ୍ତି ଚାଷ ।

92

କନକ ବ୍ୟୁରୋ: ଦଇବ ଛଡାଇ ନେଲା ଗୋଡ । ଦିବ୍ୟାଙ୍ଗ ହୋଇ ଚାଲିଛି ଛାତ୍ର ଜୀବନ । ପାଠ ପଢିବାର ଇଚ୍ଛା ଓ ପରିବାରର ବୋଝ ଏମିତି ଆତ୍ମବଳ ଭରିଦେଲା ଯେ, ଗୋଟିଏ ଗୋଡରେ ଚାଷ କରି ପରିବାର ପୋଷିବା ସହ ଯୁକ୍ତ ଦୁଇ ପାଠପଢା ଜାରି ରଖିଛନ୍ତି ମାଲକାନଗିରି ଜିଲ୍ଲାର ୨୧ ବର୍ଷୀୟ ଯୁବକ । ଆଉ ବିଡମ୍ବନା, କେବଳ ୫୦୦ ଟଙ୍କା ଦିବ୍ୟାଙ୍ଗ ଭତ୍ତାକୁ ବାଦ ଦେଲେ କୌଣସି ସରକାରୀ ସୁବିଧା ପାଇ ନାହାନ୍ତି ଏହି ଦିବ୍ୟାଙ୍ଗ ଓ ତାଙ୍କ ପରିବାର ।

ହାତରେ କୋଡି କୋଦାଳ । ବିଲରେ ହାଡ ଭଙ୍ଗା ପରିଶ୍ରମ କରୁଛନ୍ତି ଜଣେ ଦିବ୍ୟାଙ୍ଗ ଛାତ୍ର । ଆଉ ଗୋଟିଏ ଗୋଡରେ, ଏ ବିଲରୁ ସେ ବିଲ ଲମ୍ଫ ମାରି ଚାଷ କାମ କରୁଥିବା କଥା, ଆପଣଙ୍କ ଆଖି ଓଦା କରିଦେବ । ନିଜ ଅକ୍ଷମତାକୁ ସକ୍ଷମତାରେ ପରିଣତ କରିଥିବା ଏହି ଯୁବକ ଜଣକ ହେଲେ ମାଲକନଗିରି ପୌରାଂଚଳ ସ୍ଥିତ ଏମଭି ୪୩ ଗାଁର ଅଜୟ ନମୋ । ଘରର ବଡ ପୁଅ, ଦୁର୍ଘଟଣାରେ ସିନା ଗୋଟିଏ ଗୋଡ ହରେଇଛନ୍ତି କିନ୍ତୁ ନିଜର ମନବଳ ଭାଙ୍ଗି ନାହାନ୍ତି । ବାପାଙ୍କ ବୋଝକୁ ହାଲୁକା କରିବା ପାଇଁ ଦିବ୍ୟାଙ୍ଗ ହୋଇ ବି ବିଲରେ କାମ କରୁଛନ୍ତି । ଚାଷ କରି ପୋଟଳ, ଗାଜର ସହ ଭଳିକି ଭଳି ଶାଗ ଚାଷ କରୁଛନ୍ତି । ଆଉ ସେଥିରୁ ରୋଜଗାର ହେଉଥିବା ଟଙ୍କାରେ ନିଜେ ପାଠ ପଢିବା ସହ ସାନ ଭାଇର ପଢା ଖର୍ଚ ତୁଲାଉଛନ୍ତି ଅଜୟ ।

୨୦୧୬ ମସିହାରେ ଏକ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ ଅଜୟ । ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ୩ ବର୍ଷ ଧରି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଇ ସର୍ବସ୍ୱାନ୍ତ ହୋଇ ଗଲେ ଅଜୟଙ୍କ ପରିବାର । ଶେଷରେ ଗୋଡ ଭଲ ହେଲା ନାହିଁ, ତେଣୁ ୨୦୧୯ରେ ଡାହାଣ ଗୋଡଟି କଟା ହେଲା । ତଥାପି ନିଜର ଆତ୍ମବଳ ଯୋଗୁଁ ଆସି ଅକ୍ଷମ ନୁହେଁ ସକ୍ଷମ ହୋଇ ପାରିଛନ୍ତି ଯୁକ୍ତ ୨ରେ ପାଠପଢୁଥିବା ଅପରାଜୟ ଅଜୟ ।