ଅର୍ଥମନ୍ତ୍ରାଳୟରେ ହାଲୱା ବାଣ୍ଟିଲେ ଅର୍ଥମନ୍ତ୍ରୀ । ଆଜିଠୁ ଘରକୁ ଯାଇପାରିବେ ନାହିଁ ବଜେଟ୍ ଟିମ୍, ଗୁପ୍ତ ଭାବେ ରହିବ ବଜେଟ୍ ସମ୍ବନ୍ଧିତ ତଥ୍ୟ ।

230

କନକ ବ୍ୟୁରୋ : ଆଗାମୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି କେନ୍ଦ୍ର ବଜେଟ୍‌ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ବଜେଟ୍‌ ଦସ୍ତାବିଜକୁ ମୁଦ୍ରଣ ଲାଗି ପଠାଯାଇଛି । ଏହି ଅବସରରେ ଆଜି ଅର୍ଥ ମନ୍ତ୍ରାଳୟରେ ଅନୁଷ୍ଠିତ ହୋଇଛି ‘ହାଲଓ୍ଵା ଉତ୍ସବ’ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍‌ ଦସ୍ତାବିଜର ଛାପା କାର୍ଯ୍ୟ ଆରମ୍ଭ ହେବା ଦିନ ହାଲଓ୍ଵା ପ୍ରସ୍ତୁତ କରାଯାଇ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି ।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଅବସରରେ ମନ୍ତ୍ରାଳୟର ତଳ ମହଲାରେ ଏକ ବଡ଼ କଡ଼େଇରେ ପ୍ରସ୍ତୁତ ହାଲଓ୍ଵାକୁ ବଜେଟ୍‌ ପ୍ରସ୍ତୁତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଅଂଶଗ୍ରହଣ କରିଛନ୍ତି ।

ତେବେ ଏହି ହାଲଓ୍ଵା ଉତ୍ସବର ଆଉ ଏକ ଗୁରୁତ୍ୱ ହେଲା ମନ୍ତ୍ରାଳୟର କର୍ମଚାରୀ ଓ ଅଧିକାରୀଙ୍କୁ ହାଲଓ୍ଵା ଦିଆଯିବା ସହ ଏହା ସୂଚିତ କରିଦିଆଯାଏ କି ବଜେଟ୍‌ ପ୍ରସ୍ତୁତି ସହ ଜଡ଼ିତ କର୍ମଚାରୀ ଆଉ ଘରକୁ ଯାଇ ପାରିବେ ନାହିଁ କିମ୍ବା କାହା ସହ କୌଣସି ଯୋଗାଯୋଗରେ ରହିପାରିବେ ନାହିଁ । ବଜେଟ୍‌ ଲୋକସଭାରେ ଉପସ୍ଥାପିତ ହେବା ପରେ ହିଁ ସେମାନେ ପରିବାରକୁ ଫେରିବା ସହ ବନ୍ଧୁବାନ୍ଧବଙ୍କ ସହ ସଂପର୍କରେ ଆସିପାରିବେ । ବଜେଟ୍‌ ସଂମ୍ବନ୍ଧିତ ସମସ୍ତ ତଥ୍ୟକୁ ଗୁପ୍ତ ରଖିବା ଲାଗି ଏହି ବ୍ୟବସ୍ଥା ପ୍ରତିବର୍ଷ ଗ୍ରହଣ କରାଯାଇଥାଏ ।

ଆଜି ଅର୍ଥମନ୍ତ୍ରାଳୟ ପକ୍ଷରୁ ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି କି, ବଜେଟ୍‌କୁ ଗୁପ୍ତ ରଖିବା ଲାଗି ଏହାର ପ୍ରସ୍ତୁତିରେ କାର୍ଯ୍ୟ କରିଥିବା କର୍ମଚାରୀ ଓ ଅଧିକାରୀ, ଆଜିଠାରୁ ମନ୍ତ୍ରାଳୟ ବାହାରକୁ ଯାଇପାରିବେ ନାହିଁ କିମ୍ବା କାହା ସହ ଯୋଗାଯୋଗ କରିପାରିବେ ନାହିଁ ।