୨୯ରେ ଲଘୁଚାପ : ପ୍ରଭାବରେ ସପ୍ତାହେ ଯାଏଁ ଲଗାଣ ବର୍ଷା

1,078

କନକ ବ୍ୟୁରୋ :  ଅଗଷ୍ଟ ୨୯ ବେଳକୁ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ପ୍ରଭାବରେ ଆସନ୍ତା ୪ ଦିନ ଧରି ଓଡ଼ିଶାରେ ବର୍ଷା ଲାଗିରହିବ ।  ୨୮ ଓ ୨୯ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ୩୦ ତାରିଖ ବେଳକୁ ବର୍ଷା ପରିମାଣ ବଢ଼ିବ । କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ଓ ୩୧ ତାରିଖ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସମ୍ଭାବ୍ୟ ବର୍ଷା ଓ ଜଳବନ୍ଦୀ ପରିସ୍ଥିତି ଉପରେ ଦୃଷ୍ଟି ରଖିବାକୁ କୁହାଯାଇଛି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୨୮ ତାରିଖ ମଧ୍ୟାହ୍ନ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଭଦ୍ରକ, ଜଗତ୍‌ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ସେଭଳି ବର୍ଷା ନାହିଁ। ତେବେ ଏହାପରେ ପାଗରେ ପରିବର୍ତନ ଆସିବ । ଉତ୍ତର ଓଡ଼ିଶା ସମେତ କଟକ, ନୟାଗଡ଼, ନବରଙ୍ଗପୁରରେ ପ୍ରବଳ ବର୍ଷା ହୋଇପାରେ ।

୩୦ରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଓଡ଼ିଶାର ଅଧିକାଂଶ ସ୍ଥାନ‌ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ବରଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, ପୁରୀ, ଖୋର୍ଧା, ଗଜପତି, ରାୟଗଡ଼ା ଓ ସମ୍ବଲପୁରରେ ପ୍ରବଳ ବର୍ଷା ଲାଗିରହିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ରାଜସ୍ଥାନରୁ ଓଡ଼ିଶା ପର୍ଯ୍ୟନ୍ତ ଏକ ବିସ୍ତୃତ ଘୂର୍ଣ୍ଣିବଳୟ ରହିଛି, ମଙ୍ଗଳବାର ଏହା ମଧ୍ୟପ୍ରଦେଶ ଉପରେ ରହିଥିଲା । ଏବେ ରାଜସ୍ଥାନ ଆଡ଼କୁ ମୁହାଁଉଛି । ଏହି ଘୂର୍ଣ୍ଣିବଳୟ ୩୧ ତାରିଖ ପର୍ଯ୍ୟନ୍ତ ରହିବ । ‌ତେବେ ୨୯ ତାରିଖ ଅପରାହ୍ନରେ ଏହି ଘୂର୍ଣ୍ଣିବଳୟର ପୂର୍ବ ଭାଗରେ ଏକ ଦୁର୍ବଳ ଲଘୁଚାପ ସୃଷ୍ଟି ହେବ । ଫଳରେ ୩୦ ଓ ୩୧ ତାରିଖରେ ବର୍ଷା ହେବ। ୨୮ ଓ ୨୯ ତାରିଖରେ ବିଶେଷ ବର୍ଷା ନାହିଁ । କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବାକୁ ଥିବା ବେଳେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବ ।

ତେବେ ପାଗ ମୁଖ୍ୟତଃ ମେଘୁଆ ରହିବ । ୩୦ ତାରିଖରେ ଅନେକ ସ୍ଥାନରେ ସ୍ବଳ୍ପ ବର୍ଷା ଓ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ୩୧ରେ ବର୍ଷାର ପ୍ରକୋପ ବଢ଼ିବ । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ସେପ୍ଟେମ୍ବର ୧ରେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଫଳରେ ୨ରୁ ୪ ତାରିଖ ଯାଏ ଓଡ଼ିଶାରେ ବର୍ଷା ହେବ । ବାଲୁଗାଁଠାରୁ ଭବାନୀପାଟଣା ପର୍ଯ୍ୟନ୍ତ ସଂଲଗ୍ନ ସରଳରେଖାର ଦକ୍ଷିଣରେ ଥିବା ଅଞ୍ଚଳ ଯଥା ଅବିଭକ୍ତ ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟର ବିସ୍ତୃତ ଅଞ୍ଚଳରେ ବର୍ଷା ହେବ । କେତେକ ସ୍ଥାନରେ ଅତିପ୍ରବଳ ବର୍ଷା ହୋଇପାରେ। ମୋଟାମୋଟି ଭାବେ ରାଜ୍ୟରେ ଉପକୂଳରେ ସ୍ବାଭାବିକ କିମ୍ବା ତା’ଠାରୁ ଅଧିକ ବର୍ଷା ହେବାକୁ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ବର୍ଷା କମ ରହିବ ।