ଷ୍ଟିଙ୍ଗ୍ ଅପରେସନରେ ଧରାପଡିଲା ସାଂଘାତିକ ସତ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜିମ ଟ୍ରେନର ଦେଉଛନ୍ତି ଘୋଡା ଔଷଧ ।

599

କନକ ବ୍ୟୁରୋ : ସୁନ୍ଦର ସ୍ୱାସ୍ଥ୍ୟ ପଛରେ ଧାଇଁଛନ୍ତି ଯୁବପିଢି । କମ୍ ସମୟରେ ଆକର୍ଷଣୀୟ ଚେହେରା ବନାଇବା ପାଇଁ ଜିମ୍ ମୁହାଁ ଯୁବ ସମାଜ । ଯୁବକଙ୍କ ଏହି ଇଚ୍ଛାର ଫାଇଦା ଉଠାଉଛନ୍ତି ଜିମ୍ ମାଲିକ । ରାଜ୍ୟର ବଡ-ବଡ ସହରରେ ପୁଳାପୁଳା ଜିମ୍ ଖୋଲି ଯୁବକଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ପ୍ରକାର ଔଷଧ ଓ ଇଂଜେକସନ୍ ଦେଉଛନ୍ତି । ଯେଉଁଥିରେ ଷ୍ଟେରଏଡ୍ ଭଳି ମାରାତ୍ମକ କେମିକାଲ ରହୁଛି । ଏହା ଖୁବ୍ କମ୍ ସମୟରେ ଶରୀରରେ ଆକର୍ଷଣୀୟ ମସଲ୍ସ କରିବାରେ ସହାୟକ ହେଉଛି । କିନ୍ତୁ ଏହା ମଣିଷ ଶରୀର ପାଇଁ ହାନିକାରକ ବୋଲି ମତ ଦେଉଛନ୍ତି ଡାକ୍ତର ।

ବାଲେଶ୍ୱର ସହରରେ ୩୩ଟି ଜିମ୍ ରହିଛି । କିନ୍ତୁ ଗୋଟିଏ ବି ହେଲେ ଜିମ୍ ପଞ୍ଜିକୃତ ନୁହେଁ । ଏସବୁ ଜିମରେ କିଭଳି ଚାଲିଛି କାରବାର । କଣ ରହିଛି ସୁନ୍ଦର ସ୍ୱାସ୍ଥ୍ୟର ସହସ୍ୟ ତାହା ଜାଣିବା ପାଇଁ ଷ୍ଟିଂଗ୍ ଅପରେସନ କରିଥିଲେ ଆମର ପ୍ରତିନିଧି । ଆଉ ଏହି ଷ୍ଟିଙ୍ଗ ସମୟରେ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ମଣିଷକୁ ଜିମ୍ ମାଲିକମାନେ ଘୋଡା ଖାଉଥିବା ଔଷଧ ଦେଉଥିବା କଥା ସାମ୍ନାକୁ ଆସିଛି ।

ମାସେ ଭିତରେ ଓଜନ କମାଇବା ପାଇଁ ଗ୍ରାହକଙ୍କୁ ଥ୍ରେଡ୍ ୱାନ୍ ଫୁଡ୍ ସପ୍ଲିମେଂଟ ଦେଉଛନ୍ତି ଜିମ୍ ଟ୍ରେନର । ଯାହା ମଣିଷ ଶରୀରକୁ ଶୁଷ୍କ କରିଦିଏ । ଏକଥା ବି ଗ୍ରାହକଙ୍କୁ ଜଣାଇ ଦେଉଛନ୍ତି ଜିମ୍ ମାଲିକ । ନିଜ ଯୁକ୍ତିକୁ ଦୃଢ କରିବା ପାଇଁ ଡାକ୍ତରମାନେ ଏହି ଫୁଡ ସପ୍ଲିମେଂଟ ବ୍ୟବହାର କରୁଥିବା ଉଦାହରଣ ମଧ୍ୟ ଦେଉଛନ୍ତି । ଏପରିକି ଗ୍ରାହକଙ୍କ ବିଶ୍ୱାସ ଜିଣିବା ପାଇଁ ନିଜ ଭାଇ ମାନେ ଏଭଳି ଥ୍ରେଡୱନ ବ୍ୟବହାର କରୁଥିବାରା କହିଛନ୍ତି ଜିମ ମାଲିକ ମାନେ ।

ବାଲେଶ୍ୱର ସହରରେ ବେଆଇନ ଭାବେ ୩୩ଟି ଜିମ୍ ଚାଲିଥିବା ବେଳେ ଏନେଇ ପ୍ରଶାସନର ପାଖରେ ଖବର ନାହିଁ । ପ୍ରଶାସନ ଆଖି ବୁଜି ଦେଇଥିବା ବେଳେ ଜିମ୍ ମାଲିକମାନେ ଯୁବପିଢିଙ୍କୁ ଶୋଷଣ କରି ମାଲାମାଲ ହେଉଛନ୍ତି ।