ଗୌରବ ଆଣିଲେ ଜ୍ଞାନେଶ୍ୱରୀ । ବିଶ୍ୱ ଦରବାରରେ ରୌପ୍ୟ ଜିତିଲେ ଇଲେକ୍ଟ୍ରିସିଆନଙ୍କ ଝିଅ ଜ୍ଞାନେଶ୍ୱରୀ ଯାଦବ

88

ଇତିହାସ ରଚିଲେ ଛତିଶଗଡ଼ର ଝିଅ ଜ୍ଞାନେଶ୍ୱରୀ ଯାଦବ । ଗ୍ରୀସର ହେରାକ୍ଲିଓନ୍ ସହରରେ ଚାଲିଥିବା ଜୁନିଅର୍ ୱର୍ଲ୍ଡ ୱେଟ୍ ଲିଫ୍ଟିଙ୍ଗ୍ ଚ୍ୟାମ୍ପିୟନସିପରେ ରାଜନାନ୍ଦଗାଓଁର ଜ୍ଞାନେଶ୍ୱରୀ ଯାଦବ ରୌପ୍ୟ ପଦକ ଜିତି ସାରା ଦେଶ ପାଇଁ ସୁନାମ ଆଣି ଦେଇଛନ୍ତି । ଏହି ପ୍ରତିଯୋଗିତାରେ ଜ୍ଞାନେଶ୍ୱରୀ ୪୯ କିଲୋଗ୍ରାମ୍ ବର୍ଗରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରି ୧୫୬ କିଲୋର ଓଜନ ଉଠାଇ ରୌପ୍ୟ ପଦକ ନିଜ ନାଁରେ କରିଛନ୍ତି । କେବଳ ଜ୍ଞାନେଶ୍ୱରୀ ନୁହଁନ୍ତି ଏହି ପ୍ରତିଯୋଗିତାରେ ଭାରତର ୨ ଜଣ ୱେଟଲିଫ୍ଟର୍ ମଧ୍ୟ ପଦକ ଜିତିଛନ୍ତି । ଛତିଶଗଡ଼ର ୨ ଝିଅଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ୍ ବଘେଲ୍ ଅଭିନନ୍ଦନ ଜଣାଇଛନ୍ତି । ଏହା ପୂର୍ବରୁ ୪୫ କିଲୋର ୱେଟ୍ ଉଠାଇ ହର୍ଷଦା ଶରଦ୍ ଗରୁଡ଼ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେବେ ଏଜାବତ୍ ୱର୍ଲ୍ଡ ଚ୍ୟାମ୍ପିୟନସିପରେ ଭାରତକୁ ୩ ଟି ପଦକ ମିଳିସାରିଲାଣି ଯାହା ସର୍ବଶ୍ରେଷ୍ଠ ପ୍ରଦର୍ଶନ ।


ବଣମଲ୍ଲୀ ଗାଁରେ ଫୁଟି ବିଦେଶ ମାଟିରେ ବାସ୍ନା ବିଛାଇଦେଲା ଭଳି ଜ୍ଞାନେଶ୍ୱରୀଙ୍କ ପ୍ରତିଭା ଖାଲି ଛତିଶଗଡ଼ରେ ନୁହଁ ସାରା ଦେଶ ପାଇଁ ଗୌରବ ଆଣିଦେଇଛି । ପେଶାରେ ଇଲେକ୍ଟ୍ରିସିଆନ୍ ଥିବା ପିତା ଦୀପକ ଯାଦବ ଘରର ଆର୍ଥିକ ସଂକଟ ପାଇଁ ଘରୋଇ ସଂସ୍ଥାମାନଙ୍କରେ ବେଳେବେଳେ କାମ କରିଥାନ୍ତି । ଏଭଳି ଅନଟନ ଭିତରେ ଥାଇ ବି ସେ ଝିଅକୁ କେବେ ଖେଳ ଠାରୁ ଦୂରେଇ ରଖିନାହାନ୍ତି । ଝିଅର ରୁଚିକୁ ସମ୍ମାନ ଜଣାଇ ୱେଟଲିଫ୍ଟିଙ୍ଗ୍ ଭଳି କଷ୍ଟସାଧ୍ୟ ଅଭ୍ୟାସ କରିବାକୁ ସେ ପ୍ରୋତ୍ସାହିତ କରିଆସୁଥିଲେ । ଧାରକରଜ କରି ସେ ଝିଅକୁ ଅଭ୍ୟାସ ପାଇଁ ନେଇ ଯାଉଥିଲେ । ଅର୍ଥର ଅଭାବ ସତ୍ୱେ ଜ୍ଞାନେଶ୍ୱରୀଙ୍କ ଅଭ୍ୟାସର ଆଶା କିନ୍ତୁ କେବେ ମଉଳିନଥିଲା ବରଂ ସେ ଆହୁରି କଠିନ ପରିଶ୍ରମ କରିବାରେ ଲାଗିଥିଲେ ।


ବର୍ତ୍ତମାନ ଦେଶ ପାଇଁ ରୌପ୍ୟ ପଦକ ଜିତିଲା ବେଳେ ଗର୍ବରେ ପିତାଙ୍କ ଛାତି କୁଣ୍ଢେମୋଟ ହୋଇଯାଉଛି । ସରକାରୀ ପ୍ରୋତ୍ସାହନ ଏବଂ ଉଚିତ୍ ପ୍ରଶିକ୍ଷଣ ମିଳିଲେ ତାଙ୍କ ଝିଅ ଦେଶ ପାଇଁ ଅନେକ ମେଡାଲ୍ ଆଣିବ ବୋଲି ସେ ଖୁସିରେ କହୁଛନ୍ତି । ୨୦୨୨ ରେ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଓପନ୍ ଜୁନିୟର୍ ୱେଟଲିଫ୍ଟିଙ୍ଗ୍ ଚ୍ୟାମ୍ପିୟନସିପରେ ଜ୍ଞାନେଶ୍ୱରୀ ରୌପ୍ୟ ପଦକ ଜିତି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଚୟନ ହୋଇଥିଲେ ।