ଓଡିଶାରେ ‘ବୁଲବୁଲ’ର ତାଣ୍ଡବ: ବର୍ଷା ଓ ପବନ ମାଡରେ କେଉଁଠି ଭାଙ୍ଗିଲା ଘର ତ ପୁଣି କେଉଁଠି ରାସ୍ତା ସାରା ପଡି ରହିଛି ଶହ ଶହ ଗଛ; ଚାନ୍ଦବାଲିରେ ୧୧୦କୁ ଛୁଇଁଲା ପବନର ବେଗ

1,727

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ  ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ୍ କରିବ ବୁଲବୁଲ୍ । ପାରାଦୀପଠାରୁ ଏବେ ମାତ୍ର ୧୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୁତ ହେଉଛି ବାତ୍ୟା  ବୁଲବୁଲ । ଘଂଟା ପ୍ରତି ୧୩ କିଲୋମିଟର ବେଗରେ ଗତି କରୁଛି ବୁଲବୁଲ ।  ତେବେ ଆଜି ମଧ୍ୟାହ୍ନ ସୁଦ୍ଧା ବାତ୍ୟା ବୁଲବୁଲ ଓଡିଶା ଅତିକ୍ରମ କରିବା ନେଇ କହିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଓଡିଶାରେ ଦେଖିବାକୁ ମିଳିଛି ବୁଲବୁଲର ଗଭୀର ପ୍ରଭାବ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ପବନର ବେଗ ମଧ୍ୟ ଧିରେ ଧିରେ ବଢିବାରେ ଲାଗିଛି । ଫଳରେ ଯାତାୟତ ବାଧାପ୍ରାପ୍ତ ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

ଏପଟେ, ବୁଲବୁଲ ପ୍ରଭାବରେ ଭଦ୍ରକରେ ବର୍ଷା ସାଙ୍ଗକୁ ଆରମ୍ଭ ହୋଇଯାଇଛି ପବନ । ଚାନ୍ଦବାଲିରେ ବର୍ତ୍ତମାନ ୧୧୦ କିଲୋମିଟର ବେଗରେ ପବନ ବହୁଥିବା ବେଳେ ପବନ ଯୋଗୁଁ ବଡ ବଡ ଗଛ ମାନ ଉପୁଡି ରାସ୍ତା ଉପରେ ଶୋଇରହିଛି ।  ପଞ୍ଚୁଟିକିରି-ପଳାସପୁର-ନାଲଗୁଣ୍ଡା ଗାଁରେ ମଧ୍ୟ ବୁଲବୁଲ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।  ସେହିଭଳି ବିଦ୍ୟୁତ୍ ଖୁଣ୍ଟ ଓ କିଛି ଘରର ଛାତ ଉଡିଯାଇଥିବା ମଧ୍ୟ ଖବର ଆସିଛି । ବୁଲବୁଲ୍ ଯୋଗୁଁ ବାଲେଶ୍ୱର ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଛି । ବାଲେଶ୍ୱର, ଭୋଗରାଇ,ଜଳେଶ୍ୱର,ବାଲିଆପାଳରେ ପ୍ରବଳ ବର୍ଷା ହେବା ସହ ଉଦୟପୁର ଓ ତାଳସରି ବେଳାଭୂମିର ଝାଉଁବଣ ଧରାଶାୟୀ ହୋଇପଡିଥିବା ଦେଖିବାକୁ ମିଳିଛି । ସେହିଭଳି ଭଦ୍ରକର ତୁହାକୁ ତୁହା ବର୍ଷା ହେଉଛି । ବର୍ଷା ସାଙ୍ଗକୁ ଧାମରାରେ ଘଂଟାପ୍ରତି ୯୦ କିମି ବେଗରେ ପବନ ବହୁଛି । ବାସୁଦେବପୁର, ତିହିଡିରେ ୬୦ରୁ ୭୦ କିମି ବେଗରେ ପବନ ବହୁଛି । ତେବେ ସ୍ଥିତି ସ୍ୱାଭାବିକ ରହିଛି ବୋଲି ସୂଚନା ଦେଇଛନ୍ତିି ଜିଲ୍ଲା ଜରୁରୀକାଳିନ ଅଫିସର ।

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବିଶେଷକରି ମହାକାଳପଡା , ରାଜନଗର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପ୍ରବଳ ବର୍ଷା ଲାଗି ରହିଛି । ମହାକାଳପଡାରେ ପବନ କମିଥିବାବେଳେ ରାଜନଗରର, ରାଜକନିକା ଓ ପଟ୍ଟାମୁଣ୍ଡାଇ ଅଂଚଳରେ ପବନ ଲାଗି ରହିଛି । ଏହାର ପ୍ରଭାବରେ ବହୁ ଗଛ ଭାଙ୍ଗି ପଡିଛି । କେତେକ ସ୍ଥାନରେ ଘର ଉପରେ ମଧ୍ୟ ଗଛ ପଡିଥିବା ଜଣାପଡିଛି । ପରିସ୍ଥିତିକୁ ନଜରରେ ରଖି ୨ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଅସ୍ତରଙ୍ଗରେ ତୁହାକୁ ତୁହା ଲାଗି ରହିଛି ବର୍ଷା । ବାତ୍ୟା ବୁଲବୁଲ ପ୍ରଭାବରେ ଲାଗି ରହିଛି ବର୍ଷା । ଏହା ସହିତ ଘଂଟାପ୍ରତି ୬୦ କିମି ବେଗରେ ପବନ ବହୁଛି । ସମୁଦ୍ର ମଧ୍ୟ ଅଶାନ୍ତ ରହିଛି ।

ସେପଟେ, ବାତ୍ୟା ପ୍ରଭାବରେ ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ଏବଂ ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ବେଳେବେଳେ ପବନର ବେଗ ଘଂଟାପ୍ରତି ୯୦ କିଲୋମିଟର ରହିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ରାଜ୍ୟର ୬ରୁ ୧୦ଟି ଜିଲ୍ଲାରେ ବୁଲବୁଲ ପ୍ରଭାବରେ ବର୍ଷା ହେବ ।  ଉତର ଉପକୂଳ ଓଡିଶା ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଳାରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏହି ସମୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବି ବୋହିବ ।