ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଦେହାନ୍ତ । ଟୁଇଟ୍ କରି ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ।

78

କନକ ବ୍ୟୁରୋ: ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଦିବଂଗତ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଓଡ଼ିଶୀ ନୃତ୍ୟର ପ୍ରସାର ଓ ପ୍ରଚାରରେ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ମହାନ୍‌ ଅବଦାନ ବିଷୟରେ ସ୍ମୃତିଚାରଣ କରିବା ସହ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାସହ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତା ୮୬ ବର୍ଷୀୟ ଲକ୍ଷ୍ମୀପ୍ରିୟାଙ୍କର ଗତ ରାତିରେ ଦେହାନ୍ତ ହୋଇଥିଲା। ଓଡ଼ିଶୀ ନୃତ୍ୟାଙ୍ଗନା ଲକ୍ଷ୍ମୀପ୍ରିୟାଙ୍କ ଦେହାନ୍ତ ଯୋଗୁଁ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକ ବାର୍ତ୍ତାରେ ଶ୍ରୀ ଜେନା କହିଛନ୍ତି, ମହାନ୍‌ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ କେଳୁଚରଣ ମହାପାତ୍ରଙ୍କର ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗ ଖବର ପାଇ ମୁଁ ଦୁଃଖିତ। ଓଡ଼ିଶୀ ନୃତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।

କିମ୍ବଦନ୍ତୀ ଓଡିଶୀ ନୃତ୍ୟଗୁରୁ ସ୍ୱର୍ଗତ କେଳୁଚରଣ ମହାପାତ୍ରଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କର ଗତକାଲି ରାତି ପ୍ରାୟ ୧୧ଟା ୧୦ରେ ପରଲୋକ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିବାବଳେ, ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ଓଡିଶୀ ନୃତ୍ୟକୁ ସମୃଦ୍ଧ କରିବା କ୍ଷେତ୍ରରେ ତାଙ୍କର ଅବଦାନ ସ୍ମରଣୀୟ ହୋଇ ରହିବ ବୋଲି ତାଙ୍କ ଶିଶ୍ୟମାନେ ମତ ରଖିଛନ୍ତି । ଲକ୍ଷ୍ମୀପ୍ରିୟାଙ୍କ ଅନ୍ତିମ ଦର୍ଶନ ପାଇଁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ତାଙ୍କ ବାସଭବନରେ ଅନେକ ସୁନାମଧନ୍ୟ ଓଡିଶୀ ନୃତ୍ୟଗୁରୁ ଏକାଠି ହୋଇଥିଲେ ।