କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମନବୀଙ୍କ ବଡ ଘୋଷଣା । ଜମ୍ମୁ-କାଶ୍ମୀର ଫେରିବି, ନିଜର ନୂଆ ଦଳ ଗଢିବି ।

494

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମନବୀ ଆଜାଦ କଂଗ୍ରେସରୁ ଇସ୍ତଫା ଦେବା ପରେ ଏକ ବଡ ଘୋଷଣା କରିଛନ୍ତି । ଗୁଲାମନବୀ କହିଛନ୍ତି, ପୁଣିଥରେ ଜମ୍ମୁ-କାଶ୍ମୀର ଫେରିବି ଓ ନିଜର ଏକ ନୂଆ ରାଜନୈତିକ ଦଳ ଗଠନ କରିବି । ଏହାସହ ବିଜେପିରେ ସାମିଲ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଗୁଲାମନବୀ ଆଜାଦ ଖୁବଶୀଘ୍ର ନୂଆ ଦଳ ଗଠନ କରିବେ । ଏହାସହ ଜାତୀୟ ରାଜନୀତିରୁ ଜମ୍ମୁ-କାଶ୍ମୀର ରାଜନୀତିକୁ ଫେରିବାକୁ ସଂକେତ ଦେଇଛନ୍ତି । ଆଜାଦ କହିଛନ୍ତି, ମୁଁ ଜମ୍ମୁ ଯିବି, କାଶ୍ମୀର ମଧ୍ୟ ଯିବି । ଜମ୍ମୁ-କାଶ୍ମୀରରେ ନିଜର ଏକ ନୂଆ ଦଳ ଗଠନ କରିବି । ଏହାସହ ଆଜାଦ କହିଛନ୍ତି, ବିରୋଧୀ ମାନେ ୩ ବର୍ଷ ହେବ ମୁଁ ବିଜେପିରେ ସାମିଲ ହେବେ ବୋଲି କହି ଆସୁଛନ୍ତି । ଏପରିକି ମୁଁ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତି ପଦରେ ବସିବି ବୋଲି ମଧ୍ୟ ଚର୍ଚ୍ଚା କରିଛନ୍ତି ।

ତେବେ ବିଜେପିରୁ ଫୋନ୍ ଆସିଛି କି ନାହିଁ ପ୍ରଶ୍ନର ଉତ୍ତରରେ ଗୁଲାମନବୀ କହିଛନ୍ତି, ମୋତେ ବିଜେପି ନେତା କାହିଁକି ଫୋନ୍ କରିବେ, ମୁଁ କଣ ଏବେ ବିଜେପିରେ ଅଛି କି? ମୋର ସମସ୍ତ ଦଳ ସହ ଭଲ ସମ୍ପର୍କ ରହିଛି । ମୁଁ କାହାକୁ କେବେ ବି ଅପଶବ୍ଦ କହିନାହିଁ । ସବୁ ଦଳକୁ ସମ୍ମାନ କରିଛି ଏବଂ ପ୍ରତିବଦଳରେ ସମ୍ମାନ ପାଇଛି ।  ତେବେ ଗାନ୍ଧୀ ପରିବାର ସହ ମୋର ଭଲ ସମ୍ପର୍କ ରହିଛି । ଏହାକୁ ବ୍ୟକ୍ତିଗତ ସମ୍ପର୍କ ସହ ଯୋଡିବା ଠିକ୍ ନୁହେଁ । ଆମେ କଂଗ୍ରେସର ଅବନତିକୁ ନେଇ ଆଲୋଚନା କରୁଛୁ । କାରଣ କଂଗ୍ରେସରେ ୫୦ ବର୍ଷ ବିତାଇ ସାରିଲାଣି ସେ ଜାଣିଛି ତାହା ପାଇଁ ଏହା କେତେ କଷ୍ଟଦାୟକ ।

ଏହାପୂର୍ବରୁ ନିଜ ଇସ୍ତଫାପତ୍ରରେ ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଥିଲେ ଗୁଲାମନବୀ ଆଜାଦ । ରାହୁଲ ଗାନ୍ଧୀ ରାଜନୀତିକୁ ଆସିବା ସହ ଦଳର ଉପାଧ୍ୟକ୍ଷ ହେବା ପରେ କଂଗ୍ରେସର ପୂର୍ବରୁ ଚାଲିଥିବା କାର୍ଯ୍ୟ କରିବାର ଶୈଳୀକୁ ଏକପ୍ରକାର ଶେଷ କରି ଦେଇଥିଲେ । ଦଳରେ ପରାମର୍ଶଦାତା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ କରି ଦିଆଯାଇଥିଲା । ଏପରିକି ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ଅଧ୍ୟାଦେଶକୁ ଚିରିଦେବା ରାହୁଲ ଗାନ୍ଧୀଙ୍କ ଅପରିପକ୍ୱତାକୁ ଦର୍ଶାଇଥିଲା । ଏହାଛଡା କଂଗ୍ରେସର ନେତୃତ୍ୱ ଭାର ସୋନିଆ ଗାନ୍ଧୀଙ୍କ ହାତରେ ଥିଲେ ମଧ୍ୟ ଅସଲ ନିଷ୍ପତ୍ତି ନେଉଥିଲେ ରାହୁଲ । କେବଳ ଏତିକି ନୁହେଁ ରାହୁଲଙ୍କ ପିଏ ଓ ସୁରକ୍ଷାକର୍ମୀ ମଧ୍ୟ ଏଥିରେ ମୁଣ୍ଡ ଖେଳାଉଥିଲେ । ଯେଉଁଥିପାଇଁ ଦଳକୁ ୨୦୨୪ରେ ପରାଜୟର ସାମ୍ନା କରିବାକୁ ପଡିଲା । ଜି-୨୩ ଗ୍ରୁପ୍ କଂଗ୍ରେସ କାର୍ଯ୍ୟଶୈଳୀ ଓ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବା ସହ ଏଥିରେ ପରିବର୍ତ୍ତନର ଆବଶ୍ୟକତା ବୋଲି କହିଥିଲେ । କିନ୍ତୁ ସେମାନଙ୍କ କଥା ଶୁଣିବା ପରିବର୍ତ୍ତେ ଜି-୨୩ରେ ଥିବା ସମସ୍ତ ନେତାଙ୍କୁ ଦଳୀୟ ଅପମାନିତ କରାଯାଇଥିଲା ।