ଚାଷୀଙ୍କୁ ଋଣ ଛାଡ, ମାଗଣା ବିଜୁଳି ଓ ୫୦୦ ଟଙ୍କାରେ ଗ୍ୟାସ । ଗୁଜରାଟ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା ।

318

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା । ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ ଘୋଷଣା କରିଛନ୍ତି । ଅହମ୍ମଦାବାଦ ସହରରେ ହେଉଥିବା ପରିବର୍ତ୍ତନ ରାଲିରେ ଯୋଗ ଦେଇ ରାହୁଲ କହିଛନ୍ତି, ଯଦି ଗୁଜରାଟରେ କଂଗ୍ରେସର ସରକାର ଆସେ ତେବେ ତୁରନ୍ତ ଚାଷୀ ଭାଇମାନଙ୍କର ଋଣ ଛାଡ କରାଯିବ । ସେହିପରି ଏଲପିଜି ସିଲିଣ୍ଡର ଦାମ କମ କରାଯାଇ ଏହାକୁ କେବଳ ୫ ଶହ ଟଙ୍କାରେ ଦିଆଯିବ ବୋଲି ରାହୁଲ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ କୃଷକମାନଙ୍କୁ ମାଗଣାରେ ବିଜୁଳି ପ୍ରଦାନ କରିବ । ତା ସହିତ ସାଧାରଣ ଉପଭୋକ୍ତାଙ୍କୁ ୩ ଶହ ୟୁନିଟ୍ ମାଗଣା ବିଜୁଳି ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ଗାନ୍ଧୀ । ଏବେ ଯେଉଁ ଗ୍ୟାସ ହଜାରେ ଟଙ୍କାରେ ମିଳୁଛି ସେହି ଗ୍ୟାସକୁ ୫ ଶହ ଟଙ୍କାରେ ଉପଲବ୍ଧ କରାଯିବ । ଯାହା ଫଳରେ ସାଧାରଣ ଲୋକଟିଏ ମହଙ୍ଗା ମାଡରୁ ମୁକ୍ତି ପାଇବ ବୋଲି ରାହୁଲ କହିଛନ୍ତି ।

ଗୁଜରାଟରେ କଂଗ୍ରେସ ସରକାର ଗଠନ କରିବା ପରେ ମହାମାରୀରେ ପ୍ରାଣ ହରାଇଥିବା ଲୋକଙ୍କୁ ମଧ୍ୟ ତୁରନ୍ତ କ୍ଷତିପୂରଣ ଦିଆଯିବ । ମହାମାରୀ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗକୁ ୪ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ । ସେହିପରି ଗୁଜରାଟରେ ୩ ହଜାର ଇଂରାଜୀ ମିଡିୟମ୍ ସ୍କୁଲ ଖୋଲାଯିବ ବୋଲି ରାହୁଲ ଗାନ୍ଧୀ ନିର୍ବାଚନ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଗୁଜରାଟରେ ପରିବର୍ତ୍ତନ ଆଣିବା ପାଇଁ ରାହୁଲ ଗାନ୍ଧୀ ଆଜି ଅନେକ ବଡ ବଡ ଘୋଷଣା କରିଛନ୍ତି । ଯାହା ଭିତରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ଔଷଧ ସେବା । ଚାଷୀଙ୍କ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ । କର୍ପୋରେଟିଭ୍ ସୋସାଇଟରେ ଦୁଗ୍ଧ ଉପରେ ୫ ଟଙ୍କା ପ୍ରତି ଲିଟର ସବସିଡି ଆଦି ରହିଛି ।

ସୂଚନାଯୋଗ୍ୟ ଯେ, ଗୁଜରାଟରେ ଚଳିତବର୍ଷ ବିଧାନସଭା ନିର୍ବାଚନ ହେବାକୁ ଅଛି । ଯେଉଁଠି ବିଜେପିକୁ ମାତ୍ ଦେଇ କଂଗ୍ରେସ ଶାସନ କ୍ଷମତା ଅକ୍ତିଆର କରିବା ଲକ୍ଷ୍ୟରେ ରହିଛି । ଅନ୍ୟପଟେ ଆମ୍ ଆଦମୀ ପାର୍ଟି ମଧ୍ୟ ଗୁଜରାଟରେ ଜୋରସୋରରେ ପ୍ରଚାର ଅଭିଯାନ ଜାରି ରଖିଛି ।