ଆଇପିଏଲ ମହାସମର : ପଞ୍ଜାବକୁ ହରାଇଲା ଗୁଜରାଟ

154

କନକ ବ୍ୟୁରୋ : ଆଇପିଏଲ ମହାସମର । ଗୁଜରାଟ ଟାଇଟନ୍ସ ୬ ୱିକେଟ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ ପାଇଥିବା ପଞ୍ଜାବ ୮ ୱିକେଟ୍‌ ବିନିମୟରେ ୧୫୩ ରନ୍‌ କରିଥିଲା ବେଳେ ଟାଇଟନ୍ସ ଗୋଟିଏ ବଲ୍‌ ବାକି ଥାଇ ୪ ୱିକେଟ୍‌ ବିନିମୟରେ ଲକ୍ଷ୍ୟ ହାସଲ କରିଥିଲା । ଏହି ବିଜୟ ବଳରେ ଟାଇଟନ୍ସ ପଏଣ୍ଟ ତାଲିକାର ତୃତୀୟ ସ୍ଥାନକୁ ଉଠିଛି । ଟସ୍‌ ଜିତି ହାର୍ଦ୍ଦିକ ପାଣ୍ଡ୍ୟା କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା ବେଳେ ପଞ୍ଜାବ ପ୍ରଥମରୁ ବିପର୍ଯ୍ୟୟର ସାମ୍ନା କରିଥିଲା ।

ପ୍ରଥମ ଓଭରରେ ପ୍ରଭସିମ୍ରନ ସିଂହଙ୍କୁ ମହମ୍ମଦ ସାମି ଓ ଚତୁର୍ଥ ଓଭରରେ ଅଧିନାୟକ ଶିଖର ଧାୱନଙ୍କୁ ଜୋସ୍‌ ଲିଟିଲ୍‌ ଆଉଟ୍‌ କରି ଟାଇଟନ୍ସକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ବିଗ୍‌ ବାସ୍‌ ଲିଗ୍‌ର ଶ୍ରେଷ୍ଠ ଖେଳାଳି ମାଥ୍ୟୁ ସର୍ଟ ପ୍ରଥମ ଥର ଲୟରେ ଆସିଥିଲା ବେଳେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ରସିଦ ଖାନ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ । ଶୀର୍ଷ ତିନିଜଣ ଆଉଟ୍‌ ହେବାରୁ ଭାନୁକା ରାଜପକ୍ଷ, ଜିତେଶ ଶର୍ମା, ସାମ୍‌ କରଣ ରକ୍ଷଣାତ୍ମକ ଖେଳିଥିଲେ ।

ତଳଭାଗରେ ଶାହରୁଖ ଖାନ୍‌ ୯ ବଲ୍‌ରୁ ଦ୍ରୁତ ୨୨ ରନ୍‌ ସଂଗ୍ରହ କରି ଦଳକୁ ୧୫୦ ପାର୍‌ କରାଇଥିଲେ। ମ୍ୟାଚ୍‌ ପୂର୍ବରୁ ‌୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ମୋହିତ ଶର୍ମା ପ୍ରଥମ ଥର ପାଇଁ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳିବାକୁ ଯାଇଥିବାରୁ ତାଙ୍କୁ ବରିଷ୍ଠ ଖେଳାଳି ମହମ୍ମଦ ସାମି ଦଳର କ୍ୟାପ୍‌ ଦେଇଥିଲେ । ମୋହିତ ମ୍ୟାଚ୍‌ର ପୂର୍ଣ୍ଣ କୋଟାରୁ ୪.୫୦ ଇକୋନୋମିରେ ଦଳପାଇଁ ସବୁଠୁ କମ୍‌ ରନ୍‌ ବ୍ୟୟ କରିବା ସହ ୨ ୱିକେଟ୍‌ ନେଇଥିଲେ ।