ଗୁଜୁରାଟ ମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍ । ଗତକାଲି ଏକ ସଭାରେ ମଞ୍ଚ ଉପରେ ଅଚେତ୍ ହୋଇପଡ଼ିଥିଲେ ବିଜୟ ରୁପାନୀ ।

91

କନକ ବ୍ୟୁରୋ: ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ କରୋନା ପଜିଟିଭ୍‌ ଚିହ୍ନଟ । ରବିବାର ବଡ଼ୋଦରାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରୁଥିବା ବେଳେ ମଞ୍ଚ ଉପରେ ୬୪ ବର୍ଷୀୟ ମୁଖ୍ୟମନ୍ତ୍ରୀ ରୁପାନୀ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ପରୀକ୍ଷଣ କରାଯାଇ ଆଜି ସକାଳୁ ସେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି ।

ସେ ଅଚେତ ହୋଇ ପଡ଼ିବା ପରେ ରୁପାନୀଙ୍କୁ ଅହମ୍ମଦାବାଦ୍‌ରେ ଥିବା UN‌ ମେହେଟ୍ଟା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ୨୪ ଘଣ୍ଟା ପାଇଁ ନୀରିକ୍ଷଣରେ ରଖାଯିବା ପରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଘୋଷଣା କରିଥିଲେ । ରବିବାର ରାତିରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ରୁପାନୀଙ୍କ ନମୁନା ଗ୍ରହଣ କରାଯାଇ ଆର୍‌ଟି-ପିସିଆର୍‌ ପରୀକ୍ଷା ପାଇଁ ପଠାଯାଇଥିଲା । ଫ‌ଳରେ ସେ କରୋନା ପଜିଟିଭ୍‌ ଥିବା ପରୀକ୍ଷାରୁ ଜାଣିବାକୁ ମିଳିଛି । ତାଙ୍କ ଶରୀରରେ କରୋନା ଲକ୍ଷଣ ପ୍ରାୟତଃ ନ ଥିଲା ବୋଲି ହସ୍ପିଟାଲ୍‌ ସୂତ୍ରରୁ ପ୍ରକାଶ ।

ଏହାବ୍ୟତୀତ ରୁପାନୀଙ୍କର ଅନ୍ୟ ସବୁ ପ୍ରକାରର ରିପୋର୍ଟ ସାଧାରଣ ରହିଛି । ଇସିଜି ଓ ସିଟି ସ୍କାନ୍‌ ଆଦି ସମସ୍ତ ରିପୋର୍ଟ ସାଧାରଣ ଥିବା କଥା ତାଙ୍କୁ ଚିକିତ୍ସା କରୁଥିବା ଡକ୍ଟର ଆର୍‌କେ ପଟେଲ୍‌ ସୂଚନା ଦେବା ସହ ରୁପାନୀଙ୍କ ପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।