କନକ ବ୍ୟୁରୋ : ଆଜିଠାରୁ ବାଜିବ ମହିଳା ପ୍ରିମିୟର ଲିଗ୍ ବିଗୁଲ । ୨୩ ଦିନିଆ ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୫ ଦଳ ଗୁଜରାଟ ଜାଏଣ୍ଟସ୍‌, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପରସ୍ପର ମଧ୍ୟ‌ରେ ୨ଟି ଲେଖାଏଁ ଲିଗ୍‌ ମ୍ୟାଚ୍‌ ଖେଳିବେ । ଗୋଟିଏ ଦଳ ଲିଗ୍‌ ପର୍ଯ୍ୟା‌ୟରେ ୮ ମ୍ୟାଚ୍‌ ଖେଳିବ । ଲିଗ୍‌ ପରେ ଟେବୁଲର ଶୀର୍ଷ ଦଳ ସିଧାସଳଖ ଫାଇନାଲ୍‌କୁ ‌ଯୋଗ୍ୟତା ଅର୍ଜନ କରିବ। ଦ୍ବିତୀୟ ଓ ତୃତୀୟ ଦଳ ମଧ୍ୟରେ ଏଲିମିନେଟର ଖେଳାଯିବ ।

Advertisment

ଏହାର ବିଜେତା ଦ୍ବିତୀୟ ଦଳ ଭାବେ ଫାଇନାଲ୍‌ରେ ପ୍ରବେଶ କରିବ । ମହରାଷ୍ଟ୍ରର ଦୁଇ ଷ୍ଟାଡିୟମ୍‌ ମୁମ୍ବାଇର ବ୍ରାବୋର୍ଣ୍ଣ ଏବଂ ନଭି ମୁମ୍ବାଇସ୍ଥିତ ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଫାଇନାଲ୍‌, ଗୋଟିଏ ଏଲିମିନେଟର ଓ ୨୦ ଲିଗ୍‌ ମ୍ୟାଚ୍‌ ସହ ମୋଟ ୨୨ଟି ମ୍ୟାଚ୍‌ ଖେଳାଯିବ । ପ୍ରତ୍ୟେକ ମ୍ୟାଚ୍‌ ରାତି ୭.୩୦ରେ ଖେଳାଯିବାକୁ ଥିଲା ବେଳେ ଯେଉଁଦିନ ଦୁଇଟି ମ୍ୟାଚ୍‌ ଥିବ ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଆରମ୍ଭ ହେବ । ଉଦ୍‌ଘାଟନୀ ମୁକାବିଲାରେ ଗୁଜରାଟ ଜାଏଣ୍ଟସ୍‌ ଭେଟିବ ମୁମ୍ବାଇ ଇଣ୍ଡିଆନ୍ସକୁ ।

ଗୁଜରାଟର ନେତୃତ୍ବ ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍‌ ବିଜେତା ଅଷ୍ଟ୍ରେଲିଆ ବ୍ୟାଟର ବେଥ ମୁନି ନେଉଛନ୍ତି । ଭାରତର ତାରକା ଖେଳାଳି ହର୍ଲିନ ଦେଓଲ ଓ ସ୍ନେହା ରଣା ଏହି ଦଳରେ ରହିଛନ୍ତି । ଏମାନଙ୍କ ସହ ଦଳରେ ମହିଳା ବିଶ୍ବକପ୍‌ ବିଜେତା ଦଳର ଆସ୍‌ଲେ ଗାର୍ଡନର, ଜର୍ଜିଆ ୱାରେହାମ, ୱେଷ୍ଟ୍‌ଇଣ୍ଡିଜ୍‌ର ଦେନ୍ଦ୍ରା ଡଟିନ, ଇଂଲଣ୍ଡର ସୋଫିଆ ଡଙ୍କ୍‌ଲେଙ୍କ ଭଲି ତାରକା ଖେଳାଳି ରହିଛନ୍ତି । ପୂର୍ବତନ ଭାରତୀୟ ଅଧିନାୟିକା ମିତାଲି ରାଜ ଏହି ଦଳର ମାର୍ଗଦର୍ଶକ ଓ ପରାମର୍ଶଦାତା ଅଛନ୍ତି । ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ବ ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌରଙ୍କୁ ମିଳିଛି ।