ସୁଗାର ଫ୍ରି ମିଠାରେ ଚିନିର ଉପାଦାନର ଖୁଲାସା ପରେ ତତ୍ପର: ମିଠା ଦୋକାନୀଙ୍କ ପାଇଁ ଆସିବ ଗାଇଡଲାଇନ୍

157

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଖବର ବାଜିଲା ଖାଦ୍ୟ ନିରାପତା ଆୟୁକ୍ତ ଚେତିଲା । ସୁଗାର ଫ୍ରି ମିଠା ନାଁରେ ଚିନି ମିଶ୍ରିତ ମିଠା ବିକ୍ରି ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହେବା ପରେ ତତ୍ପର ହୋଇଛି ରାଜ୍ୟ ଖାଦ୍ୟ ନିରାପତା ଆୟୁକ୍ତ । ରାଜ୍ୟର ମିଠା ଦୋକାନୀଙ୍କ ପାଇଁ ଆସିବ ଏସଓପି । ସୁଗାରଫ୍ରି ମିଠା ନାଁରେ ଅସାଧୁ ମିଠା ବ୍ୟବସାୟୀ ଜାଲିଆତି କରୁଥିଲେ । ସୁଗାର ଫ୍ରି ମିଠାକୁ ନେଇ ସତ ସାମ୍ନାକୁ ଆସିବା ପରେ ଏନେଇ ଆସନ୍ତା ସପ୍ତାହରେ ନିର୍ଦ୍ଦେଶାବଳୀ ଜାରି କରିବାକୁ ଯାଉଛନ୍ତି ରାଜ୍ୟ ଖାଦ୍ୟ ନିରାପତା ଆୟୁକ୍ତ ।

ଗତ ଗୁରୁବାର ଏହି ଖବର ପ୍ରସାରଣ କରିଥିଲା କନକନ୍ୟୁଜ୍ । ମିଠା ଦୋକାନୀମାନେ ନିଜ ଦୋକାନରେ ପ୍ରସ୍ତୁତ ମିଠାକୁ କେମିତି ସୁଗାର ଫ୍ରି ବୋଲି ଦର୍ଶାଇ ଲୋକମାନଙ୍କୁ ଠକୁଛନ୍ତି ତାର ପ୍ରମାଣ ଦେଖାଇଥିଲୁ । ଖବର ପ୍ରସାରଣ ପରେ ଚେତିଛି ରାଜ୍ୟ ଖାଦ୍ୟ ନିରାପତ୍ତା ଆୟୋଗ । ରାଜ୍ୟର ମିଠା ଦୋକାନୀଙ୍କ ପାଇଁ ଖୁବଶୀଘ୍ର ଜାରି କରିବାକୁ ଯାଉଛନ୍ତି ଏସଓପି । ସୂଚନା ଅନୁସାରେ, ଏଣିକି କୌଣସି ମିଠା ଦୋକାନୀ ନିଜ ଦୋକାନରେ ପ୍ରସ୍ତୁତ ମିଠାକୁ ସୁଗାର ଫ୍ରି ବୋଲି ଲେଖିପାରିବେ ନାହିଁ । ସୁଗାର ଫ୍ରି ବଦଳରେ କମ୍ କ୍ୟାଲୋରୀଯୁକ୍ତ ମିଠା ବୋଲି ଲେଖିବେ । କେଉଁ ମିଠାରେ କେତେ କ୍ୟାଲୋରୀ ଅଛି ସେ ନେଇ ଏକ ତାଲିକା ଲଗାଇବେ ମିଠା ଦୋକାନୀ ।

ଏଥିସହ ଅପମିଶ୍ରିତ ମିଠା ବ୍ୟବସାୟକୁ ରୋକିବ ପାଇଁ ଆଉ କେତେକ କଠୋର ପଦକ୍ଷେପ ନେବାକୁ ନିଷ୍ପତି ନେଇ ଆୟୋଗ । ଅପମିଶ୍ରିତ ମିଠାର ଯାଂଚ ପାଇଁ ରାଜ୍ୟର ସମସ୍ତ ଖାଦ୍ୟ ନିରାପତା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ନିଜ ନିଜ ଅଂଚଳରେ ଥିବା ମିଠା ଦୋକାନରେ ଅତର୍କିତ ଭାବେ ଚଢ଼ାଉ ହେବ । ମିଠାର ମାନ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ । ଯେଉଁମାନେ ଆଇନ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଖାଦ୍ୟ ନିରାପତା ଆୟୋଗର ନିର୍ଦ୍ଦେଶକ ।

ତେବେ ଚିିନି ଯୁକ୍ତ ମିଠା ଖାଇ ବହୁ ମଧୁମେହ ରୋଗୀଙ୍କ ରକ୍ତ ସର୍କରା ପରିମାଣ ଆହୁରି ବଢ଼ିଯାଇଥିବା ଆଶଙ୍କା ରହିଛି । ତେଣୁ ମିଠା ଦୋକାନୀଙ୍କୁ ଲାଇସେନ୍ସ ଦେବା ପରେ ଯାଂଚ ନକରିବା, ଓ ଖାଦ୍ୟ ନିରାପତା ଆୟୋଗରେ ବିଳମ୍ବରେ ଚେତିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ।

ମିଠା ଦୋକାନୀମାନେ ମଧୁମେହ ରୋଗୀଙ୍କ ପାଇଁ ପ୍ରସ୍ତୁତ କରୁଥିବା ମିଠା ସୁଗାର ଫ୍ରି ବୋଲି ଉଲ୍ଲେଖ କରୁଛନ୍ତି । କିନ୍ତୁ କନକ ନ୍ୟୁଜ କରିଥିଲା ବଡ଼ ଖୁଲସା । ପରୀକ୍ଷାଗାରରେ ପରୀକ୍ଷା ପରେ ଜଣାପଡିଥିଲା ଯେ, ସୁଗାର ଫ୍ରି ମିଠାରେ ଚିନି ମିଶିଥିଲା । ରାଜଧାନୀ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମିଠା ଦୋକାନରୁ ସଂଗ୍ରହ କରାଯାଇଥିଲା ସୁଗାର ଫ୍ରି ଛେନାପୋଡ । ଦୋକାନୀ ଦାବି କରିଥିଲେ ଯେ, ଏଥିରେ ସ୍ୱିଟନର ମିଶାଯାଇଛି, ସୁଗାର ବା ଚିନି ଆଦୌ ଦିଆଯାଇ ନାହିଁ । ସୁଗାର ଫ୍ରି ଛେନାପୋଡର ମାନ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରରେ ଦାଖଲ କରାଯାଇଥିଲା । ଫୁଡ ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅଥରଟି ଅଫ୍ ଇଣ୍ଡିଆର ମାନକ ଅନୁଯାୟୀ ଏହି ନମୁନାର ପରୀକ୍ଷା କରାଯାଇଥିଲା । ଆଉ ରିପୋର୍ଟରୁ ଜଣାପଡିଥିଲା ଦିଆଯାଇଥିବା ନମୁନାରେ ସୁଗାର ବା ଚିନିର ସ୍ୱାଦ ଥିଲା । ଯାହା ମଧୁମେୟ ରୋଗୀଙ୍କ ଚିନ୍ତାକୁ ବଢ଼ାଇ ଦେଇଥିଲା ।