କମୁଛି ଭୂତଳ ଜଳ, ଚିନ୍ତାରେ କେନ୍ଦ୍ର ସରକାର । ବିନା ପଞ୍ଜୀକରଣରେ ବ୍ୟବହାର କରିପାରିବେନି ଭୂତଳ ପାଣି 

196

କନକ ବ୍ୟୁରୋ: ଦେଶରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ତଳକୁ ତଳକୁ ଖସି ଚାଲିଛି । ଏପରିକି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କଲେଣି ଯେ, ହୁଏତ ୧୦ ବର୍ଷରେ ପିଇବା ପାଣି ଟିକିଏ ପାଇବା କଷ୍ଟକର ହୋଇପଡ଼ିବ  । ଏସବୁକୁ ଦୃଷ୍ଟିରେ ରଖି ଭୂତଳ ଜଳ ବ୍ୟବହାର ଉପରେ କଟକଣା ଲଗାଇଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତିରେ ଭୂତଳ ଜଳସ୍ତରର ବ୍ୟବହାର ପ୍ରସଙ୍ଗରେ ନିର୍ଦ୍ଦେଶନାମା ରହିଛି  । ଏଣିକି ଭାରତ ସରକାରଙ୍କ ଜଳଶକ୍ତି ମନ୍ତ୍ରାଳୟ ଅଧିନରେ ଥିବା କେନ୍ଦ୍ରୀୟ ଭୂତଳ ଜଳ କର୍ତୃପକ୍ଷ- ‘ସିଜିଡବ୍ଲୁଏ’ର ବିନା ଅନୁମତିରେ ବ୍ୟବହାର କରିହେବନି ଭୂତଳ ଜଳ । ଆପାର୍ଟମେଂଟ, ହାଉସିଂ ସୋସାଇଟଇ, ସହରାଂଚଳରେ ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା, ବହୁ ପରିମାଣରେ ପାଣି ଯୋଗାଣ, ଶିଳ୍ପ ସଂସ୍ଥା, ଭିତିଭୁମି ସଂସ୍ଥା, ଖଣି ପ୍ରକଳ୍ପ ପାଇଁ ଭୂତଳ ଜଳ ଯୋଗାଣ କ୍ଷେତ୍ରରେ ଏହି କଟକଣା ଲଗାଯାଇଛି ।

ଏପରିକି ସୁଇମିଂ ପୁଲ କରିବା ପାଇଁ ଭୂତଳ ଜଳ ବ୍ୟବହାର କରିବାକୁ ଚାହୁଁଥିଲେ ମଧ୍ୟ ସିଜିଡବ୍ଲୁଏର ଅନୁମତି ନେବାକୁ ପଡିବ । ଏଥିପାଇଁ ୧୦ହଜାର ଟଙ୍କାର ପଞ୍ଜୀକରଣ ଫି ଦାଖଲ କରିବାକୁ କୁହାଯାଇଛି । ଏପରିକି  ସିଜିଡବ୍ଲୁଏର ଅନୁମତି ନନେଇ ଭୂତଳ ଜଳ ବ୍ୟବହାର କରୁଥିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ରାଜ୍ୟରେ ଭୂତଳ ଜଳସ୍ତର ମଧ୍ୟ ତଳକୁ ଖସୁଛି  । ନଜର ପକାନ୍ତୁ ଏହି ତଥ୍ୟ ଉପରେ…

  • ରାଜ୍ୟର ୪୬ ବ୍ଲକରେ ଉତ୍କଟ ହେଉଛି ସ୍ଥିତି
  • ୬ଟି ବ୍ଳକ ବାଲିଆପାଳ, କୋରେଇ,ଗରଦପୁର, ଭୁବନେଶ୍ୱର, ବୋଲଗଡ଼ ଓ ନୂଆପଡ଼ା ବ୍ଳକରେ ସ୍ଥିତି ସାଂଘାତିକ
  • ବାଲିଆପାଳ ଓ କୋରେଇ ବ୍ଲକରେ ୮୬ ପ୍ରତିଶତ ଭୂତଳ ଜଳ ଖର୍ଚ୍ଚ ହେଉଛି
  • ନୂଆପଡ଼ାରେ ୭୫ ପ୍ରତିଶତ ଓ ଗରଦପୁର ବ୍ଳକରେ ୭୪ ପ୍ରତିଶତ ଭୂତଳ ଜଳ ବ୍ୟବହାର ହେଉଛି
  • ଭୁବନେଶ୍ୱର ଓ ବୋଲଗଡ଼ ବ୍ଲକରେ ମାଟି ତଳୁ ୮୦ ପ୍ରତିଶତ ପାଣି କଢ଼ା ଯାଉଛି
  • ୬ଟି ବ୍ଳକରେ ଭୂତଳ ଜଳ ସ୍ଥିତି ସଂକଟଜନକ ଥିବାବେଳେ ୪୬ଟି ବ୍ଲକ ବିପଦ ଆଡକୁ ମୁହାଁଉଛି
  • ଏହିସବୁ ବ୍ଳକରେ ୬୦ରୁ ୭୦ ପ୍ରତିଶତ ଭୂତଳ ଜଳ ବ୍ୟବହାର ହେଉଛି