ହେଲିକପ୍ଟରରେ କନିଆଁଙ୍କୁ ନେବାକୁ ପହଞ୍ଚିଲେ ବର, ନିଆରା ବାହାଘର ଦେଖିବାକୁ ଜମିଲା ଭିଡ ।

167

କନକ ବ୍ୟୁରୋ : ରାଜସ୍ଥାନ କୋଟାରେ ଏକ ନିଆରା ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ କନ୍ୟାଙ୍କୁ ନେବାକୁ ହେଲିକପ୍ଟର ଧରି ଆସିଥିଲେ ବର । ଆଉ ବରଙ୍କୁ ଦେଖିବାକୁ ହଜାର ହଜାର ଲୋକ ଏକାଠି ହୋଇଥିଲେ । କାରଣ ହେଲିକପ୍ଟରରେ ବର ଆସିବାର କେବେ ଦେଖିନଥିଲେ ଅଞ୍ଚଳବାସୀ । ଯେଉଁଥିପାଇଁ ପ୍ରବଳ ଭିଡ଼ ହୋଇଥିଲା । ବରଙ୍କ ବାପା ପୁଅ ପାଇଁ ଏହି ହେଲିକପ୍ଟର ବୁକ୍ କରିଥିଲେ ।

ମିଳିଥିବା ସୂଚନା ମୁତାବକ, ବ୍ୟବସାୟୀ କୃଷ୍ଣମୁରାରୀ ପ୍ରଜାପତିଙ୍କ ପୁଅ ସୁନୀଲଙ୍କ ବିବାହ ଇଟାବାର ରେଖାଙ୍କ ସହ ହୋଇଥିଲା । ବରଯାତ୍ରୀଙ୍କ ସହ କୋଟାରୁ ଇଟାବା ଆସିଥିଲେ ସୁନୀଲ । ମୁରାରୀ କହିଛନ୍ତି ମୋର ଇଚ୍ଛା ଥିଲା ପୁଅ ହେଲିକପ୍ଟରରେ ବସି ବରବେଶରେ ଆସୁ । ଆଉ ଏଥିପାଇଁ ଦିଲ୍ଲୀରୁ ସାଢେ ୭ ଲକ୍ଷ ଟଙ୍କାରେ ହେଲିକପ୍ଟର ବୁକ୍ କରିଥିଲି । ଜିଲ୍ଲା ପ୍ରଶାସନ ଠାରୁ ୨୬ ଓ ୨୭ ତାରିଖ ପାଇଁ ଅନୁମତି ମାଗିଥିଲି । ଆଉ ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲା ପ୍ରଶାସନ ।

ଗୁରୁବାର ଅପରାହ୍ନ ୩ଟା ସମୟରେ କୋଟାରୁ ହେଲିକପ୍ଟର ଉଡାଣ ଭରିଥିଲା । ଆଉ ୧୫ ମିନିଟ୍ ମଧ୍ୟରେ ଇଟାବାରେ ପହଞ୍ଚିଥିଲା । ହେଲିକପ୍ଟରରେ ବରଙ୍କ ସହ ତାଙ୍କର ସର୍ମ୍ପକୀୟ ଆସିଥିଲେ । ହେଲିକପ୍ଟରରେ ବର ଆସୁଥିବା ଖବର ଶୁଣି ପଡିଆରେ ଭିଡ ଜମିଥିଲା । ବରଙ୍କୁ ଛାଡି ହେଲିକପ୍ଟର ଚାଲି ଯାଇଥିବା ବେଳେ ଆଜି ପୁଣିଥରେ ବର-କନିଆଁଙ୍କୁ ନେବାକୁ ଇଟାବାରେ ପହଞ୍ଚିଥିଲା ହେଲିକପ୍ଟର ।