ଆତଙ୍କୀ ଗୁଳିରେ ଚାଲିଗଲା ଜେଜେଙ୍କ ଜୀବନ । ଜେଜେ ଉଠ କ୍ଷୀର ଆଣିବାକୁ ଯିବା…କହି କହି ଥକିଗଲା କୁନିପାଟି । କାଶ୍ମୀର କୋଳରୁ ଶୁଭିଲା କଅଁଳ କଢିର କଇଁ କଇଁ କାନ୍ଦ ।

1,686

କନକ ବ୍ୟୁରୋ : ଘାଟିରେ ସବୁବେଳେ ଆତଙ୍କୀଙ୍କ ସହ ଲଢେଇ ହେଉଛି । ଏହି ଲଢେଇରେ କେତେବେଳେ ଆତଙ୍କୀ ନିପାତ ହେଉଛନ୍ତି ତ କେବେ ଯବାନ ସହିଦ ହୁଅନ୍ତି । ଏମିତି ଖବର ପ୍ରାୟ ସବୁବେଳେ ସାମ୍ନାକୁ ଆସେ । ହେଲେ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ବିଚଳିତ କରିଦେବ । କୁନି ଶିଶୁର ସାମ୍ନାରେ ଘଟିଛି ରକ୍ତପାତ । ଆଉ ରକ୍ତାକ୍ତ ସଂଘର୍ଷରେ ଆତଙ୍କୀଙ୍କ ଗୁଳିର ଶିକାର ହୋଇଛନ୍ତି କୁନି ଶିଶୁର ଜେଜେ । ଆଉ ଜେଜେଙ୍କ ଶବ ଉପରେ ବସି କଇଁ ଧରି କାନ୍ଦୁଛି ନାତି ।

ଛାତିଥରା ଘଟଣାକୁ ହୃଦୟ ବିଦାରକ ଚିତ୍ର । ରକ୍ତ ଲଢ଼େଇର ମୂକସାକ୍ଷୀ ନିଷ୍ପାପ ଶିଶୁ । ଆଖିରେ ଆଖିଏ ଲୁହ । କାନ୍ଦରେ କଇଁ ଉଠିଛି । ଖନି ମାରି ଯାଉଥିବା ପାଟିରେ ଘର ଲୋକଙ୍କୁ ଖୋଜୁଛି ଏହି ନିଷ୍ପାପ ଶିଶୁ । ଏହି ଘଟଣା କୌଣସି ଚଳଚିତ୍ରର ନୁହେଁ, ବରଂ ଆତଙ୍କୀ ଖେଳର ହୃଦୟ ବିଦାରକ ଚିତ୍ର । ଦୁନିଆକୁ ବୁଝିନଥିବା ଶିଶୁଟି ଆଜି ଜାଣି ପାରିଛି ତା ଜେଜେବାପା ଆଉ ତା ପାଖକୁ ଫେରିବେନି । ଦିନେ ଜେଜେବାପାଙ୍କ କୋଳରେ ତାର ଦିନ ବିତି ଯାଉଥିଲା । ଆଜି ଜେଜେବାପାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉପରେ ବସି କଇଁ କଇଁ କାନ୍ଦୁଛି । ସତେ ଯେମିତି କହୁଛି ଜେଜେ ଉଠ.. କ୍ଷୀର ଆଣିବାକୁ ଯିବା.. । ବିଚ୍ ରାସ୍ତାରେ ଟଳି ପଡ଼ିଥିବା ଜେଜେ ଛାତିରେ ବସି ଉଠେଇବାକୁ ଚେଷ୍ଟା କରୁଛି । ହେଲେ ଜେଜେ ଉଠୁନାହାନ୍ତି ।

ଆତଙ୍କୀ ଗୁଳିରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି କୁନି ଶିଶୁର ଜେଜେ । ସୀମାରେ ନୀତି ସଂଘର୍ଷ ହୁଏ । କେତେବେଳେ ସଇତାନ ସାଜି ଆସିଥିବା ଶତ୍ରୁ ଗୁଳି ଖାଏ ତ ଆଉ କେତେବେଳେ ସହିଦ ହୁଅନ୍ତି ଭାରତୀୟ ଯବାନ । ହେଲେ ଏଠି ଚାଲି ଯାଇଛି ନିରୀହ ଜୀବନ । ଆତଙ୍କୀ ଗୁଳିରେ ୩ବର୍ଷର କଅଁଳ ଶିଶୁଟି ତାର ଅତି ଆପଣାର ମଣିଷକୁ ସବୁଦିନ ପାଇଁ ହରାଇ ଦେଇଛି । ଆଉ ସେହି ଛାତିଥରା ଘଟଣାର ଜ୍ୱଳନ୍ତ ମୂଖସାକ୍ଷୀ ବନିଛି ।

ଘଟଣା ସ୍ଥଳରୁ ଶିଶୁଟିକୁ ସୁରକ୍ଷା ବାହିନୀ ସୁରକ୍ଷିତ ଉଦ୍ଧାର କରିଛନ୍ତି । ତାକୁ ସୁରକ୍ଷା ବାହିନୀ ଗାଡ଼ିରେ ବସେଇ ନେଇଥିଲେ ସେନା । ଆଉ ଗାଡ଼ିରେ ଜେଜେଙ୍କୁ ମନେ ପକାଇ କଇଁ କଇଁ କାନ୍ଦୁଥିଲା ଏହି କୁନି ଛୁଆଟି । ଭୁଲି ପାରୁନଥିଲା ସେହି ସମୟର ଘଟଣାକୁ । ଗାଡି଼ରେ ସୁରକ୍ଷା ବାହିନୀ ପିଲାଟିକୁ ବୁଝାଉଥିଲେ.. ହେଲେ ତାର ମନ କୋଉ ବୁଝିବ, ଝୁରି ହେଉଥିଲା ତା ଜେଜେବାପାଙ୍କୁ । ନିଷ୍ପାପ ଶିଶୁଟିକୁ ସୁରକ୍ଷିତ ଭାବେ ତା ଘର ଲୋକକୁ ହସ୍ତାନ୍ତର କରିଛି ସେନା ।