ପୁଣି ଝୁଲିଲା ଆପାର୍ଟମେଣ୍ଟ ପଞ୍ଜୀକରଣ । ବିଧାନସଭାରେ ଆଗତ ବିଲକୁ ପ୍ରତ୍ୟାହାର କରିନେଲେ ସରକାର

1,247

କନକ ବ୍ୟୁରୋ: ୬ ତାରିଖ ଯାଏଁ ଚାଲିବାକୁ ଥିବା ବିଧାନସଭା ଅଧିବେଶନକୁ ୪ ଦିନ ପୂର୍ବର୍ରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ମୁଲତବି ଘୋଷଣା କରଛନ୍ତି ବାଚସ୍ପତି । ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିଥିଲା । ସରକାର ଗୃହରେ ଉପସ୍ଥାପିତ କରଥିବା ୩ଟି ବିଲକୁ ପ୍ରତ୍ୟାହାର କରିନେଇଛନ୍ତି । ଏଥିମଧ୍ୟରେ ରହିଛି ଓଡିଶା ଆପାର୍ଟମେଣ୍ଟ ବିଲ୍ । ଏହି ବିଲ୍ ଏଥର ବିଧାନସଭାରେ ପାରିତ ହେବାର ଥିଲା । ଗ୍ରାହକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବିଲକୁ ଆଗତ କରିଥିଲେ ନଗର ଉନ୍ନୟନମନ୍ତ୍ରୀ ଉଷା ଦେବୀ । ଏହି ବିଲ୍ ପାସ୍ ହେଲେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିବ ବୋଲି କୁହାଯାଉଥିଲା । ମାମଲା ହାଇକୋର୍ଟ ଯିବା ପରେ ଗତବର୍ଷଠାରୁ ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ବନ୍ଦ ଥିଲା । କିନ୍ତୁ ବିନା ଆଲୋଚନାରେ ବିଲକୁ ପ୍ରତ୍ୟାହାର କରିନେଇଛନ୍ତି ସରକାର ।

ବିମଳେନ୍ଦୁ ପ୍ରଧାନ ନାମକ ଭୁବନେଶ୍ୱରର ଜଣେ ଆପାର୍ଟମେଣ୍ଟ ମାଲିକ, ୨୦୨୧ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆମେଣ୍ଡମେଣ୍ଟ ରୁଲ୍ସକୁ ଚ୍ୟାଲେଞ୍ଜ୍ କରିିଥିଲେ । ଏହା ରିଅଲ୍ ଇଷ୍ଟେଟ୍ ରେଗୁଲେସନ୍ ଓ ଡେଭେଲୋପ୍ମେଣ୍ଟ ଆକ୍ଟ-୨୦୧୬ ବା ରେରାର ବିରୋଧାଚରଣ କରୁଥିବା ଅଭିଯୋଗ କରି ହାଇକୋର୍ଟରେ ପିଟିସନ୍ ଦାୟର କରିଥିଲେ । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ମୋହିତ ଅଗ୍ରୱାଲ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ଗତ ବର୍ଷ ମେ’ ମାସରେ ସାଧାରଣ ସ୍ଥାନଗୁଡ଼ିକୁ ଆପାର୍ଟମେଣ୍ଟ ମାଲିକ ସଂଘକୁ ହସ୍ତାନ୍ତର କରାନଗଲେ ସେଲ୍ ଡିଡ୍ ପଂଜିକରଣକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

ବିଧାନସଭା ଅଧିବେଶନରେ ରେରା-କମ୍ପ୍ଲିଆଣ୍ଟ ଆପାର୍ଟମେଣ୍ଟ ବିଲ୍ ଆଣିବାକୁ ରାଜ୍ୟ ସରକାରଙ୍କୁ କହିଥିଲେ ହାଇକୋର୍ଟ । ୬ ଦିନ ପୂର୍ବରୁ ବିଧାନସଭାକୁ ବନ୍ଦ କରିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ କକ୍ଷତ୍ୟାଗ କରିଥିବାବେଳେ ବିଜେପି ଗାନ୍ଧିମୂର୍ତି ତଳେ ଧାରଣା ଦେଇଥିଲେ । ବିଜେଡି କହିଛି ଗୃହରେ ଗୁରୁତ୍ୱପୂଣ୍ଣ କାର୍ଯ୍ୟ ନଥିବାରୁ ବିଧାନସଭାକୁ ବନ୍ଦ କରାଯାଇଛି ।