ଲାଞ୍ଚ ନେଇ ଘରେ ଟଙ୍କା ଲୁଚାଇଥିଲେ ତହସିଲଦାର, ଚଢାଉ ପାଇଁ ଘରେ ପହଞ୍ଚିଲେ ଅଫିସର । କିନ୍ତୁ ନିଜ ପାପକୁ ଲୁଚାଇବା ପାଇଁ ୨୦ ଲକ୍ଷ ଟଙ୍କା ପୋଡି ପାଉଁଶ କରିଦେଲେ ସରକାରୀ ବାବୁ ।

175

କନକ ବ୍ୟୁରୋ : ପାପ ଧନ ଲୁଚାଇବାକୁ ପୋଡା ଚାଲିଥିଲା ଲକ୍ଷ ଲକ୍ଷ ଟଙ୍କା । ଗ୍ୟାସ ଚୁଲାରେ ଟଙ୍କା ଜଳୁଥିଲା, ବାହାରେ ପୂରା ଘଟଣାର ସୁଟିଂ ଚାଲିଥିଲା । କିନ୍ତୁ କାହାରିକୁ ଖାତିର ନକରି ଗୋଟିଏ ପରେ ଗୋଟିଏ ୫୦୦ ଓ ୨୦୦୦ ଟଙ୍କିଆ ବିଡା ପୋଡି ଚାଲିଥିଲେ ସରକାରୀ ବାବୁ । ଆଉ ଏଥିରେ ପୂରା ସହଯୋଗ କରୁଥିଲେ ତାଙ୍କର ପତ୍ନୀ । ପାପର ଧନକୁ ପାଉଁଶ କରିବାକୁ ଯେପରି ତତ୍ପର ହୋଇ ଉଠିଥିଲେ ସ୍ୱାମୀ-ସ୍ତ୍ରୀ । ଥରେ ଦେଖନ୍ତୁ ଟଙ୍କା ପୋଡା ଯାଉଥିବାର ସେହି ଭିଡ଼ିଓକୁ ।

ବାହାରୁ ଟଙ୍କା ନ ପୋଡିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ଶୁଣୁନଥିଲେ ସରକାରୀ ବାବୁ । କାରଣ ବାବୁ ଜଣକ ଜାଣିଥିଲେ ଯଦି ଟଙ୍କା ପୋଡି ପାଉଁଶ ନକରନ୍ତି ତେବେ ତାଙ୍କ ଦେହରେ ଦୁର୍ନୀତିର ଯେଉଁ ଦାଗ ଲାଗିବ ତାହା ଲିଭିବା ଅସମ୍ଭବ । ତେଣୁ କବାଟ ବନ୍ଦ କରି ବିଡା ବିଡା ୫୦୦ ଓ ୨୦୦୦ ଟଙ୍କିଆ ନୋଟ ପୋଡି ଚାଲିଥିଲେ ବାବୁ । କିନ୍ତୁ ଅଧା ଟଙ୍କା ପୋଡିଯିବା ପରେ ଆଣ୍ଟି କରପସନ ବ୍ୟୁରୋ ଜାଲରେ ପଡିଥିଲେ ବାବୁ । ଆଉ ଦୁର୍ନୀତଖୋର ବାବୁଙ୍କ କଳା ସାମ୍ରାଜ୍ୟ ଉପରୁ ପରଦା ହଟିଥିଲା । କିନ୍ତୁ ଧରାପଡିବା ପୂର୍ବରୁ ପ୍ରାୟ ୨୦ ଲକ୍ଷ ଟଙ୍କା ନିଆଁରେ ସ୍ୱାହା କରି ସାରିଥିଲେ ସରକାରୀ ବାବୁ ।

ଏଭଳି ଏକ ଘଟଣା ରାଜସ୍ଥାନରେ ଦେଖିବାକୁ ମିଳିଛି । ପିଣ୍ଡୱାଡାର ରେଭିନ୍ୟୁ ଇନସପେକ୍ଟର ପରୱତ ସିଂଙ୍କୁ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଥିଲା ଆଣ୍ଟି କରପସନ ବ୍ୟୁରୋ । ଆଉ ପରୱତ କହିଥିଲେ, ଏହି ଲାଞ୍ଚ ସେ ପିଣ୍ଡୱାଡାର ତହସିଲଦାର କଳ୍ପେଶ ଜୈନଙ୍କ ପାଇଁ ଆଦାୟ କରୁଥିଲେ । ଆଉ ଏହି ଖବର ଜଣାପଡିବା ପରେ କଳ୍ପେଶଙ୍କ ଘରେ ଚଢାଉ କରିବାକୁ ପହଞ୍ଚିଥିଲା ଆଣ୍ଟି କରପସନ ବ୍ୟୁରୋ । କିନ୍ତୁ ଚଢାଉ ବାବଦରେ ପୂର୍ବରୁ ସୂଚନା ପାଇ ସାରିଥିଲେ କଳ୍ପେଶ । ଆଉ ଆଣ୍ଟି କରପସନ ବ୍ୟୁରୋ ଟିମ୍ ପହଞ୍ଚିବା ପୂର୍ବରୁ ଘରର କବାଟ ଭିତର ପଟୁ ଦେଇ ଘରେ ଥିବା ଲକ୍ଷ ଲକ୍ଷ ଟଙ୍କାର ନୋଟ ବିଡା ପୋଡିବା ଆରମ୍ଭ କରିଥିଲେ କଳ୍ପେଶ । ଯେପରି ଚଢାଉ ପୂର୍ବରୁ ନିଆଁର ଆଁରେ ତାଙ୍କର ସବୁ ଦୁର୍ନୀର୍ତିର ପ୍ରମାଣ ଜଳିଯିବ । ଆଉ ଏଥିରେ କଳ୍ପେଶଙ୍କୁ ସହଯୋଗ କରିଥିଲେ ତାଙ୍କର ପତ୍ନୀ ।

ଗୋଟିଏ ପଟେ ଆଣ୍ଟି କରପସନ ବ୍ୟୁରୋ କବାଟ ଠକ୍ ଠକ କରୁଥିଲା ଆଉ ଅନ୍ୟପଟେ ଗ୍ୟାସ ଚୁଲାରେ ଜଳୁଥିଲା ବିଡା ବିଡା ଟଙ୍କା । ତେବେ ହଠାତ୍ ଘର ଭିତରୁ ଧୂଆଁ ବାହାରୁଥିବାର ଦେଖି ଆଣ୍ଟି କରପସନ ବ୍ୟୁରୋ ଅଧିକାରୀ ଯେତେବେଳେ ଝରକା ବାଟେ ଘରର ଦୃଶ୍ୟ ଦେଖିଲେ ତାହା ସେମାନଙ୍କୁ ତାଜୁବ କରି ଦେଇଥିଲା । କାରଣ ଭିତରେ ଜଳୁଥିଲା ଲାଞ୍ଚ୍ରୁଆ ଅଫିସରଙ୍କ ଲକ୍ଷ ଲକ୍ଷ ଲାଞ୍ଚ ଟଙ୍କା । ଏମିତି ନ କରିବାକୁ କହିଥିଲେ ମଧ୍ୟ ଶୁଣିବା ମୁଡରେ ନଥିଲେ କଳ୍ପେଶ । ଆଉ ଶେଷରେ ଘର କବାଟ ଭାଙ୍ଗି ଭିତରକୁ ପଶିଥିଲେ ଆଣ୍ଟି କରପସନ ବ୍ୟୁରୋ ଅଧିକାରୀ । ଆଉ ଅଧାପୋଡା ଟଙ୍କାକୁ ଉଦ୍ଧାର କରିବା ସହ କଳ୍ପେଶଙ୍କୁ ଗିରଫ କରିଥିଲେ ଅଧିକାରୀ ।