ସ୍ୱାଧୀନତା ଦିବସରେ ମନେ ପଡେ ଦୁଇ ଓଡିଆ ବୀରଙ୍କ କାହାଣୀ । ସହିଦ ସୁଧୀର ଟୁଡ଼ୁ ଓ ଦେବାଶିଷ ସେଠୀଙ୍କୁ ମିଳିବ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ।

176
  • ମନେ ରହିବ ସହିଦ ସୁଧୀରଙ୍କ ବଳିଦାନ
  • ଉତ୍ସର୍ଗୀକୃତ ସେବାକୁ ସମ୍ମାନ

ସହିଦ ସୁଧୀର କୁମାର ଟୁଡୁଙ୍କ ବଳିଦାନକୁ ଭୁଲିପାରିବ ନାହିଁ ଦେଶ । ୨୦୨୦, ସେପ୍ଟେମ୍ବର ୯ରେ କଳାହାଣ୍ଡି ଜିଲ୍ଲା ସିର୍କା ଗାଁ ପାଖ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଲଢେଇ । ସାହାସର ସହ ମାଓ କ୍ୟାମ୍ପରେ ପଶି ମାଓବାଦୀଙ୍କୁ ନିପାତ କରି ସାଥୀ କମାଣ୍ଡୋଙ୍କ ଜୀବନ ବଞ୍ଚାଇଥିଲେ ମୟୂରଭଞ୍ଜ ଶୁଳିଆପଦା ବ୍ଲକ ଅନ୍ତର୍ଗତ ସାଲଭଦୁଆ ଗାଁର ବୀର ପୁତ୍ର ସୁଧୀର । ସୁଧୀରଙ୍କ ପରାକ୍ରମ ପାଇଁ ସାଥୀଙ୍କୁ ସିନା ସୁରକ୍ଷା ମିଳିଲା କିନ୍ତୁ ତାଙ୍କ ଦେହକୁ ଭେଦ କରିଯାଇଥିଲା ମାଓବାଦୀଙ୍କ ଗୁଳି ।

  • ସହିଦ ଦେବାଶିଷଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର
  • ଜିଲ୍ଲା ପାଇଁ ଗର୍ବ ଆଣିଲା ସହିଦ ପୁଅର ବଳିଦାନ

ସେଦିନ ସେହି ଲଢେଇରେ ସାମିଲ ଥିଲେ ଆଉ ଜଣ ବୀର ଓଡିଆ,ଏସଓଜି ଯବାନ ଦେବାଶିଷ ସେଠୀ । ମାଓଗଡରେ ପଶି ମାଓବାଦୀଙ୍କୁ ନିପାତ କରିବା ସହ ସେମାନଙ୍କ ଗୁଳିର ସାମ୍ନା କରିଥିଲେ ଅନୁଗୁଳ ଜିଲ୍ଲା ଅଙ୍ଗପଡା ଗାଁର ଲଢୁଆ ପୁଅ ଦେବାଶିଷ ସେଠୀ । ଦେଶ ଆଜାଦୀର ୭୫ ତମ ଅମୃତ ଉତ୍ସବ ଅବସରରେ ସହିଦଙ୍କ ପରିବାରକୁ ସମ୍ମାନିତ କରିଛି ଜିଲ୍ଲା ପ୍ରଶାସନ । ଦେବାଶିଷଙ୍କ ବାପା-ମାଆଙ୍କୁ ୧୦ ଡେସିମିଲ୍ ଜାଗା ପଟ୍ଟା ପ୍ରଦାନ କରାଯାଇଛି । ସେପଟେ ସହିଦ ଦେବାଶିଷ ସେଠୀଙ୍କ ବଳିଦାନକୁ ସମ୍ମାନ ଜଣାଇ ଶୌର୍ଯ୍ୟଚକ୍ର ସମ୍ମାନ ମିଳିବା ନେଇ ଘୋଷଣା ହେବା ପରେ ଗର୍ବ କରୁଛି ପୁରା ଜିଲ୍ଲା ।

ତେବେ ଦୁଇ ଓଡ଼ିଆ ସହିଦ ଯବାନଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ମିଳିବା ରାଜ୍ୟ ପାଇଁ ଗର୍ବ ଓ ଗୌରବର ବିଷୟ । ଦୁହିଁଙ୍କ ବୀରତ୍ୱ ଓ ପରାକ୍ରମର ତୁଳନା ନାହିଁ, ସେମାନଙ୍କ ବଳୀଦାନ ସର୍ବଦା ଦେଶପ୍ରେମର ଗୌରବ ଗାଥା ବହନ କରୁଥିବ ବୋଲି ଟୁଇଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।