ଦେଶରେ କରୋନା ଭୟ ଭିତରେ କେମିତି ଖୋଲିବ ସ୍କୁଲ ? ଖୁବଶୀଘ୍ର କେନ୍ଦ୍ର ସରକାର ଜାରି କରିପାରନ୍ତି ନୂଆ ଗାଇଡ଼ଲାଇନ୍

627

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଏପରି ସ୍ଥିତିରେ ସ୍କୁଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ସରକାର ଖୁବ୍ ଶୀଘ୍ର ଗାଇଡ଼ଲାଇନ୍ ଜାରି କରିପାରନ୍ତି । କରୋନା କଟକଣା କଡ଼ାକଡ଼ି ପାଳନ ସହ ସ୍କୁଲ ଖୋଲିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ୧୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦିଆଯାଉଥିବାର ସ୍କୁଲ ଖୋଲିବା ପାଇଁ ସରକାର ଯୋଜନା କରୁଛନ୍ତି ।

ସାରା ଦେଶରେ ସ୍କୁଲ ଖୋଲିବା ପାଇଁ ଜାତୀୟ ପରାମର୍ଶଦାତା କମିଟିର ମତାମତ ଲୋଡିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ । କରୋନା ମହାମାରୀ ସବୁ ବର୍ଗର ପିଲାଙ୍କୁ ପ୍ରଭାବିତ କରିଛି । ହେଲେ ପିଲାଙ୍କ କ୍ଷେତ୍ରରେ ମୃତ୍ୟୁ ହାର ଓ ଗୁରୁତର ସଂଖ୍ୟା କମ୍ ରହିଛି । ତେଣୁ ଏବେ ପିଲାଙ୍କ ପାଇଁ ସ୍କୁଲ ଖୋଲିବାର ସମୟ ଆସି ଯାଇଛି ବୋଲି ମତ ଦେଉଛନ୍ତି ଶିକ୍ଷାବିତ୍ । କରୋନା ମହାମାରୀ ଆସିବା ପରଠାରୁ ମାର୍ଚ୍ଚ ୨୦୨୦ରୁ ସାରା ଦେଶରେ ଶ୍ରେଣୀଗୃହ ପାଠପଢା ବନ୍ଦ ରହିଛି । ଏହାରି ଭିତରେ କିଛି ରାଜ୍ୟ ଆଂଶିକ ସ୍କୁଲ ଖୋଲୁଛନ୍ତି ।

କିନ୍ତୁ ସଂକ୍ରମଣ ବଢିବା ପରେ ପୁଣି ସ୍କୁଲ ବନ୍ଦ କରି ଦେଉଛନ୍ତି । ସ୍କୁଲ ଖୋଲିବା ପାଇଁ ରାଜ୍ୟମାନେ ସଂପୂର୍ଣ୍ଣ ପ୍ରସ୍ତୁତ କି ନୁହଁ ତାହା ସୁନିଶ୍ଚିତ କରିବାକୁ ପଡ଼ିବ ବୋଲି କୁହାଯାଇଛି । ଦେଶରେ ଏବେ ଟିକାକରଣକୁ ଜୋରଦାର କରାଯାଇଛି । ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକାକରଣ ଆରମ୍ଭ ହୋଇଛି । ବର୍ତମାନ ସୁଦ୍ଧା ଦେଶରେ ୯୫ ପ୍ରତିଶତ ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି ।