ସରକାର ତମେ କେଡେ ନିଷ୍ଠୁର? ସଙ୍କଟ ସମୟରେ ସଂସାର ଉଜାଡି ଦେଲେ ସରକାର ! ସରକାରୀ ଜାଗାରେ ଘର କରିଥିଲେ ବୋଲି ସୁଖକୁ ସହିପାରିଲାନି ପ୍ରଶାସନ । ଏପଟେ କରୋନା ପାଇଁ ଘରେ ରହିବାକୁ କହୁଛ, ସେପଟେ ବୁଲଡୋଜର ଚଢାଇ ଘର ଭାଙ୍ଗି ଦେଉଛ । ତମେ ଏମିତି କେମିତି କଲ ତହସିଲଦାର…???

1,932

କନକ ବ୍ୟୁରୋ: କାଲି ଏଇଠି ଗଢି ଉଠିଥିଲା ହସଖୁସିର ହିମାଳୟ । ଭଲରେ ଭଲରେ କଟୁଥିଲା ଭଲପାଇବାର ଦିନ । ହେଲେ ଆଜି ମାଟି ପାଲଟିଛି ମରୁଭୂମି, ସମ୍ପର୍କର ସାକ୍ଷୀ ଶ୍ମଶାନ ପାଲଟିଛି । ମାଟିରେ ମିଶିଯାଇଛି ଘରଦ୍ୱାର, ପୋତି ଯାଇଛି ଅତୀତ-ବର୍ତ୍ତମାନ ଓ ଭବିଷ୍ୟତ । କରୋନା ପାଇଁ ଘରେ ରହିବାକୁ ସରକାର ପରାମର୍ଶ ଦେଉଥିବା ବେଳେ ଏଠି କିନ୍ତୁ ଖୋଦ୍ ସରକାରଙ୍କ ବାବୁମାନେ ଭାଙ୍ଗିଦେଇଛନ୍ତି ଘର, ବଞ୍ଚିବାର ନିଡ ଉପରେ ପ୍ରଶାସନ ଚଢାଇ ଦେଇଛି ନିଷ୍ଠୁରତାର ବୁଲଡୋଜର । ଜୀବନ ଉପରେ ସିନା ଜେସିବି ଛଢିନି, ହେଲେ ଜେସିବିର ଚକା ତଳେ ଚାପି ହୋଇଯାଇଛି ସବୁ ସ୍ୱପ୍ନ । ଆଉ ସଂସାର ଉଜାଡି ସରକାର କରିଦେଇଛନ୍ତି ସର୍ବହରା…

କେନ୍ଦ୍ରାପଡା ଜିଲ୍ଲା ଡେରାବିଷ ଓଲଡି ଗାଁର ଧୃବଚରଣ ବେହେରା । ୫ ବର୍ଷ ତଳେ ଜଣେ ମୁସଲମାନ ଯୁବତୀଙ୍କୁ ବିବାହ କରିଥିଲେ । କିନ୍ତୁ ଭିନ୍ନ ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ଗାଁରୁ ବାସନ୍ଦ ହେବାକୁ ପଡିଥିଲା । ପ୍ରେମ ଆଗରେ ବାସନ୍ଦକୁ ବାଏ ବାଏ କରି ନିଜ ଜୀବନ ସାଥୀ ସହ ଗାଁ ପାଖ ଏକ ସରକାରୀ ଜମିରେ ନୂଆ ଜୀବନ ଆରମ୍ଭ କରିଥିଲେ । ମୁଲ ଲାଗି, ଛୋଟ ଦୋକାନଟେ କରି କଷ୍ଟେମଷ୍ଟେ ହସଖୁସିରେ ଥିଲେ ସ୍ୱାମୀସ୍ତ୍ରୀ ଓ ଛୁଆ ।

ହେଲେ କରୋନା କାଳରେ ସେମାନଙ୍କ ସୁଖର ସଂସାର ଉପରେ ପଡିଲା ସରକାରଙ୍କ କୋପ । ସରକାରୀ ଜମି ଛାଡିବାକୁ ତହସିଲଦାର ନୋଟିସ ଦେଇଥିଲେ । ଆଉ ଘରେ କେହି ନଥିବା ବେଳେ ସେମାନଙ୍କ ଘର ଉପରେ ବୁଲଡୋଜର ଚଢାଇଦେଲେ । ତେବେ ମେଡିକାଲରୁ ଫେରିବା ପରେ ଘର ନଥିବା ଦେଖି ସ୍ୱାମୀସ୍ତ୍ରୀ ଦୁହେଁ ସ୍ଥାଣୁ ପାଲଟିଯାଇଥିଲେ । ଯେତେ ନେହୁରା ହେଲେ ବି ତହସିଲଦାର ଶୁଣିନଥିଲେ । ପୋଲିସର ଦାଦାଗିରି ଆଉ ସରକାରୀ କଳବଳ କୌଶଳ ଲଗାଇ ଆଖି ସାମ୍ନାରେ ସୁନାର ସଂସାରକୁ ଶ୍ମଶାନ କରିଦେଲେ ।

ସେପଟେ ସରକାର ସବୁ ଭାଙ୍ଗିଦେଇ ଯିବାପରେ ମାଟିରେ ମିଶିଥିବା ଘର ଭିତରୁ ସ୍ମୃତି ସାଉଁଟୁଛନ୍ତି ସ୍ୱାମୀ ସ୍ତ୍ରୀ । ଭଙ୍ଗା ହାଣ୍ଡି, ଲୁଗାପଟା, ବ୍ୟାଙ୍କ ଖାତା ଏମିତିକି ପେଟ ପାଇଁ ମୁଠାଏ ଚାଉଳ ବି ଛାଡିଲାନି ପ୍ରଶାସନ । ସବୁକିଛି ପୋତିଦେଲା । ତେବେ ତହସିଲଦାର ନିଷ୍ଠୁରତାର ତାଣ୍ଡବ ରଚିଯିବା ପରେ ଏବେ ପାଲ ହିଁ ଏମାନଙ୍କ ସାହା ଭରସା । କରୋନା ବେଳେ ଏ ଅସହାୟ ପରିବାର କୁଆଡେ ଯିବେ ? କଟକଣା ପାଇଁ ବିଦେଶ ଯିବା ମନା, ସନ୍ଦେହ ପାଇଁ ସମ୍ପର୍କୀୟଙ୍କ ଘର ବି ମନା । ତେଣୁ ବାଧ୍ୟ ହୋଇ ବାଉଁଶ ବୁଦା ମୂଳେ ମୁଣ୍ଡ ଗୁଞ୍ଜିଛନ୍ତି ଏମାନେ ।

ତେବେ ପ୍ରଶ୍ନ ଉଠୁଛି ସଙ୍କଟ ସମୟରେ ସରକାର କେମିତି ଏତେ ନିଷ୍ଠୁର ପାଲଟିଲେ ? ଜଣେ ଘରେ ନଥିଲା ବେଳେ କେମିତି ତାଙ୍କ ଘର ଉପରେ ପ୍୍ରଶାସନ ଜେସିବି ଚଢାଇଦେଲା ? ସରକାରୀ ଜମି ଉପରେ ଅନେକ ରହିଛନ୍ତି, ହେଲେ ୟାଙ୍କ ଉପରେ ରାଗ ସୁଝାଇ ପ୍ରଶାସନ କି ସନ୍ଦେଓ ଦେଲା ? ମରାମାରୀ ବେଳେ ଖାଲି ମଣିଷ ନୁହେଁ ସରକାରଙ୍କର ମରିଯାଉଛି କି ମାନବିକତା ?