ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ଶୁଣାଣି: ସିଜ୍ ହୋଇଥିବା ଗାଡ଼ିଗୁଡିକୁ ଛାଡ଼ି ଦେବାକୁ ଗୋବିନ୍ଦଙ୍କ ଓକିଲ କଲେ ଯୁକ୍ତି

904

କନକ ବ୍ୟୁରୋ: କଂଟାବାଂଝି ଏଡିଜେ କୋର୍ଟରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ସାଙ୍ଗରେ ଅଛନ୍ତି ଅନ୍ୟତମ ଅଭିଯୁକ୍ତ ଗୋବିନ୍ଦଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀ । ୨୦୨୧ ଅକ୍ଟୋବର ମାସରେ ହୋଇଥିବା ଏହି ରୋମଟାଙ୍ଗୁରା ହତ୍ୟାକାଣ୍ଡର ଆରମ୍ଭ ହୋଇଛି ଶୁଣାଣୀ ।

ସୂଚନା ମୁତାବକ ଗତ ୮ ତାରିଖରେ ପ୍ରଥମ ଦିନ ଶୁଣାଣିରେ ହତ୍ୟାକାଣ୍ଡ ଓ ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡିକୁ ଖଲାସ କରିବା ପାଇଁ କୋର୍ଟରେ ଯୁକ୍ତି ରଖିଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢୀ । ଆଉ ଯାହାକୁ ବିରୋଧ କରିଥିଲେ ସ୍ପେଶାଲ ପ୍ରୋସେକ୍ୟୁଟର ଅମରେନ୍ଦ୍ର ମିଶ୍ର ।

ଗୋବିନ୍ଦଙ୍କ ଓକିଲ ଦୁର୍ଗା ପ୍ରସାଦ ପାଢୀଙ୍କ ଯୁକ୍ତି ଥିଲା କେସରେ ବ୍ୟବହୃତ ଗାଡ଼ି ଗୁଡ଼ିକୁ ଛାଡ଼ି ଦିଆଯାଉ, ନହେଲେ ଗାଡ଼ି ଗୁଡ଼ିକ ନଷ୍ଟ ହୋଇଯିବ । ତେବେ ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ର କହିଥିଲେ, ଜବତ ଯାନବାହନ ଗୁଡ଼ିକ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା, ଛାଡିଦେଲେ ପ୍ରମାଣ ନଷ୍ଟ ହୋଇଯିବ । ତେବେ ମାନ୍ୟବର କୋର୍ଟ ଏହା ଉପରେ କୈାଣସି ନିଷ୍ପତି ନେଇନଥିବା ସୂଚନା ମିଳିଛି । ମମିତାଙ୍କୁ ହତ୍ୟା କରିବା ପରେ ଗୋବିନ୍ଦ ଓ ରାଧେଶ୍ୟାମ ନିଜ ମାରୁତି ୱାଗନଆର କାରରେ ତାଙ୍କ ମୃତ ଦେହକୁ ଆଣି କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ କଲେଜ ପଡିଆରେ ପୋଡିବା ଓ ପୋତିବା ଅଭିଯୋଗ ହୋଇଥିଲା । ତଦନ୍ତ କରେ ପୋଲିସ ଗୋବିନ୍ଦଙ୍କ ମାରୁତି କାର, ମୃତଦେହ ପୋତିବାରେ ବ୍ୟବହୃତ ଜେସିବି ଓ ଟ୍ରାକ୍ଟର ଓ ମମିତାଙ୍କ ସ୍କୁଟିକୁ ଜବତ କରିଥିଲା ପୋଲିସ ।

ସୂଚନା ଅନୁସାରେ ପ୍ରାଥମିକ ପର୍ଯ୍ୟାୟରେ ଶୁଣାଣି ପାଇଁ ୭ ଜଣ ସାକ୍ଷୀଙ୍କୁ ସମନ କରିଛନ୍ତି କୋର୍ଟ । ଆସନ୍ତା ୨୯ ଓ ୩୦ ତାରିଖରେ ସାକ୍ଷ୍ୟ ପ୍ରଦାନ ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।