ମମିତାଙ୍କ ଶବ ପୋଡ଼ିବା ପାଇଁ ଗୋବିନ୍ଦ ସାହୁ କିଣିଥିଲା ପୁରୁଣା ଟାୟାର। ଟାୟାର ଦୋକାନୀ ବିବେକ ଅଗ୍ରୱାଲଙ୍କ ରେକର୍ଡ ହେଲା ବୟାନ ।

179

କନକ ବ୍ୟୁରୋ: ମମିତା ମେହେରଙ୍କୁ ହତ୍ୟା କରିବା ପରେ ମୃତଦେହକୁ କେମିତି ନଷ୍ଟ କରାହେବ ସେଥିପାଇଁ ପ୍ଲାନ କରିଥିଲା ଗୋବିନ୍ଦ । ଟାୟାରରେ ସେ ମୃତଦେହକୁ ପୋଡିବା ପାଇଁ ଯୋଜନା କରି ନିକଟସ୍ଥ ଏକ ଦୋକାନୀକୁ ପୁରୁଣା ଟାୟାର ମାଗିଥିଲା । ସେହି ବ୍ୟକ୍ତି ଜଣକ ପୋଲିସକୁ ବୟାନ ଦେଇ କହିଛନ୍ତି ଗୋବିନ୍ଦ ସାହୁ ତାଙ୍କୁ ପୁରୁଣା ଟାୟାର ମାଗିଥିଲା ଓ ସେହି ଟାୟାର ନେବା ପାଇଁ ଆସିଥିଲା ରାଧେ ।

ଜଣେ ନୀରିହ ଝିଅକୁ ଅତି ନୃଶଂସତାର ସହ ହତ୍ୟା କରିଥିବା ଅପରାଧୀ ଗୋବିନ୍ଦ ସାହୁ ଭଲ ଭାବେ ପ୍ଲାନ କରିଥିଲା ଯେ ମମିତାଙ୍କ ମୃତ ଦେହକୁ ସେ କେମିତି ପୋଡିବ । ବୋଧହୁଏ ତା ମନରେ ବି ଚାଲିଥିଲା ଏମିତି ପୋଡିବ ଯେମିତି କେହି ଟେର ପାଇବେନି । ଆଉ ସେ ଜାଣିଥିଲା ନିଶ୍ଚୟ ଯେ ଟାୟାର ବହୁତ ସମୟ ଯାଏ ଜଳେ ଏବଂ ଟାୟାରର ଗନ୍ଧ ମୃତ ଦେହର ଗନ୍ଧକୁ ବାରିବାରେ ବାଧା ଦେଇପାରେ ।

ତେଣୁ ଟାୟାର କିଣିବା ପାଇଁ ଗୋବିନ୍ଦ ଦୋକାନୀ ବିବେକ ଅଗ୍ରୱାଲଙ୍କୁ ଫୋନ୍ କରିଥିଲା । ଗୋବିନ୍ଦର ନିର୍ଦ୍ଦେଶକ୍ରମେ ଡ୍ରାଇଭର ରାଧେଶ୍ୟାମ ଚଣ୍ଡି ଦୋକାନକୁ ଯାଇ ଟାୟାର କିଣିଥିଲା । ପୁଲିସକୁ ଟାୟାର ଦୋକାନୀ ବିବେକ ଅଗ୍ରୱାଲ ଏହି ବୟାନ ଦେଇଛନ୍ତି । ଅନ୍ୟପଟେ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ଜଗତସିଂହପୁର ବିଜେପି ଥାନା ଘେରାଉ କରିଛି । ଶତାଧିକ ବିଜେପି କର୍ମୀ ଜଗତସିଂହପୁର ଥାନା ଘେରାଉ କରି ମମିତାଙ୍କୁ ଶୀଘ୍ର ନ୍ୟାୟ ଦେବାକୁ ଦାବି କରିଛନ୍ତି । ନ୍ୟାୟ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ବିଜେପି କହିଛି । ସୂଚନାଯୋଗ୍ୟ ଯେ, ମମିତା ମେହେର ହତ୍ୟା ମାମଲାରେ ଏଯାବତ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଛିି । କିନ୍ତୁ ଏହି ହତ୍ୟା ମାମଲା ସହ ଯୋଡି ହୋଇରହିଥିବା ଅନେକ ପ୍ରଶ୍ନ ଏବେ ବି ରହସ୍ୟ ଘେରରେ ରହିଛି ।