ଟିକାକୁ ନେଇ ହରିଆଣା ସରକାରଙ୍କ କଡା ଚେତାବନୀ,ଉଭୟ ଖୋରାକ ନେଇ ନଥିଲେ ଏସବୁ ବନ୍ଦ

127

କନକ ବ୍ୟୁରୋ : ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ସବୁ ରାଜ୍ୟ ସରକାରମାନେ ସଜାଗ ହେବାରେ ଲାଗିଛନ୍ତି । କେନ୍ଦ୍ର ସରକାର ବି ଏନେଇ ସଚେତନତା ବାର୍ତ୍ତା ଦେଉଛନ୍ତି । ବଢୁଥିବା ଓମିକ୍ରନ ସଂକ୍ରମଣକୁ ନେଇ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବା ନେଇ ସୂଚନା ମିଳିଛି । ହେଲେ କରୋନାରୁ ରକ୍ଷା ପାଇବା ପାଇଁ ସରକାରଙ୍କ ପାଖରେ ଗୋଟିଏ ମାତ୍ର ବିକଳ୍ପ ରହିଛି ଟିକା । ହେଲେ ଦେଶରେ ଏବେ ବି ଅନେକ ଲୋକ ଟିକା ନେବାରୁ ବଞ୍ଚିତ ଅଛନ୍ତି ବା କିଛି ଲୋକ ଏହାକୁ ଖାମଖିଆଲ କରି ଟିକା ନେବାରେ ଅବହେଳା କରିଛନ୍ତି ।

ଏହି ପରିପେକ୍ଷୀରେ ଟିକାକୁ ନେଇ ହରିଆଣା ସରକାର କଠୋର ହୋଇଛନ୍ତି । ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି କି ଟିକା ନେଇ ନଥିବା ଲୋକମାନେ ସବୁଠାରୁ ବିପଦ । ତେଣୁ ଯେଉଁମାନେ ଟିକା ନେଇ ନାହାଁନ୍ତି ତାହେଲେ ସେମାନେ ତୁରନ୍ତ ଟିକା ନେବାକୁ ଚେଷ୍ଟା କରନ୍ତୁ । ନହେଲେ ଟିକାର ଉଭୟ ଖୋରାକ ନେଇ ନଥିବା ଲୋକମାନଙ୍କୁ ବସ୍ ଷ୍ଟେସନ, ରେଳ ଷ୍ଟେସନ, ମଲ କିମ୍ବା ହୋଟେଲରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

ଏହି କ୍ରମରେ ଅନିଲ ବିଜ୍ କହିଛନ୍ତି କି କରୋନାରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିବାରକୁ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦିଆଯାଉଛି । ଏହାସହ ହରିଆଣାରେ ମୋଟ ୬ ଜଣ ଲୋକ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଥିବା ନେଇ ବିଜ୍ ବିଧାନସଭାର ଶୀତକାଳୀନ ଅଧିବେଶନରେ ସୂଚନା ଦେଇଛନ୍ତି ।