ରାଜ୍ୟର ଏକାଧିକ ଜିଲ୍ଲାରେ ହଠାତ୍ ବଢୁଛି କରୋନା ସଂକ୍ରମଣ : ଶୀର୍ଷରେ ରହିଛି ଖୋର୍ଦ୍ଧା, ୬ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ନେଇ ସତର୍କ କଲା କେନ୍ଦ୍ର

ଓଡ଼ିଶା ସମେତ ୫ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ

1,182

କନକ ବ୍ୟୁରୋ : ଓମିକ୍ରନ୍‌ ଭୟ ମଧ୍ୟରେ ଦେଶରେ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବଢ଼ିଛି। ଓଡ଼ିଶା, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ଧରି ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି । ଏହି ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ରାଜ୍ୟମାନଙ୍କରେ ୧୩ଟି ଜିଲ୍ଲାରେ ଗତ ଗୋଟିଏ ମାସ ଧରି ସଂକ୍ରମଣ ବଢିଛି । ଏପଟେ ଓଡ଼ିଶାରେ ମଧ୍ୟ ଦୈନିକ କରୋନା ସଂକ୍ରମଣ ୨୦୦ ଉପରେ ରହୁଛି । କିଛି ଦିନ ହେବ ଏକାଧିକ ଜିଲ୍ଲାରେ କରୋନା ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି ।

ନଭେମ୍ବର ୨୬ରୁ ଡିସେମ୍ବର ୩ ତାରିଖ ମଧ୍ୟରେ ରାଜ୍ୟରେ ନମୁନା ପରୀକ୍ଷା ୩ ଦଶମିକ ୧ ପ୍ରତିଶତ ହ୍ରାସ ପାଇଛି । ଆରଟିପିସିଆର ଟେଷ୍ଟ ମଧ୍ୟ ୩୬ ପ୍ରତିଶତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛି । ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଶେ୍ ଚିନ୍ତାଜନକ ରହିଛି । ଗତ ସପ୍ତାହରେ ଜିଲ୍ଲାରୁ ୯୦୦ କରୋନା ଆକ୍ରାନ୍ତ ବାହାରିଛନ୍ତି । ଗତକାଲି ସୁଦ୍ଧା ଗୋଟିଏ ମାସରେ ରାଜ୍ୟରେ ୭ ହଜାର ୪୪୫ କୋଭିଡ୍ ଆକ୍ରାନ୍ତ ହୋଇଛନ୍ତି । ଏ ଦୃଷ୍ଟିରୁ ସଂକୟମଣକୁ ନିୟନ୍ତ୍ରଣ କରିବା ସହ ମୃତ୍ୟୁ ହାର ରୋକିବା ପାଇଁ କୋଭିଡ୍ ନିୟମାବଳୀ ପାଳନ କରିବା ଉପରେ ଗୁରୁତ୍ୱ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରରେ ହାଟ, ବଜାର, ମଲ୍‌ଗୁଡ଼ିକରେ ଏମିତି ଅସମ୍ଭାଳ ଗହଳି ହେଉଛି, ଯେମିତି କରୋନା ଚାଲି ଯାଇଛି । ବିଭିନ୍ନ ସ୍ଥାନରେ ପ୍ରବଳ ଭିଡ଼ ହେବା ସହ କେହି ମାସ୍କ ଠିକ୍‌ ଢଙ୍ଗରେ ବ୍ୟବହାର କରୁନାହାନ୍ତି । ଏନ୍‌ଫୋର୍ସମେଣ୍ଟରେ ବିଏମ୍‌ସି ସହ କମିସନରେଟ୍‌ ପୁଲିସ ମଧ୍ୟ କୋହଳ କରି ଦେଇଛି । କଟକଣା ରହୁ ନଥିବାରୁ ଯିଏ ଯେମିତି ପାରୁଛି, କୋଭିଡ୍‌ କଟକଣା ଉଲ୍ଲଂଘନ କରୁଛି । ହୋଟେଲ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ଲୋକେ ପାଖାପାଖି ବସିବା ସହ ମାସ୍କ ବି ପିନ୍ଧୁ ନାହାନ୍ତି । ହାଟ ବଜାରରେ ମଧ୍ୟ କଟକଣାକୁ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଖୋର୍ଦ୍ଧା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଚେତାଇ ଦେବା ପରେ ତନାଘନା ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟାର ୫୦ପ୍ରତିଶତ କେବଳ ବିଏମ୍‌ସି ଅଞ୍ଚଳରେ ଅଛନ୍ତି ।

ନଭେମ୍ବର ୨୭ରୁ ଡିସେମ୍ବର ୩ର ତଥ୍ୟ ମୁତାବକ, କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୭ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲାରେ ୨୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭୫ ବଢ଼ି ୧୬୩୯ ହୋଇଥିଲା । ସେହିଭଳି ଭୁବନେଶ୍ବର(ବିଏମ୍‌ସି ଅଞ୍ଚଳ)ରେ ୨୭ ତାରିଖ ଦିନ ୯୬ ଜଣ ଚିହ୍ନଟ ହୋଇଥିବା ବେଳେ ୭ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୪୫ ରହିଥିଲା । ଅର୍ଥାତ୍‌ ଜିଲ୍ଲାରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ସଂଖ୍ୟାର ଅଧାରୁ ବେଶି ଭୁବନେଶ୍ବରରୁ ଚିହ୍ନଟ ହେଉଛନ୍ତି। କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ପୁଣି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ ଭୁବନେଶ୍ବରରେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା ଅଧିକ ରହିବା ଆଶ୍ବସ୍ତିକର ବିଷୟ ବୋଲି କୁହାଯାଉଛି ।