ଗ୍ରାମପଞ୍ଚାୟତର ଶେଷ ସୀମାରେ ସରକାର ଖୋଲିବେ ସେଲୁନ । ସମାଜ କଲ୍ୟାଣ ପାଣ୍ଠିରୁ ମିଳିବ ଅର୍ଥ । ଗ୍ରାମପଞ୍ଚାୟତ ଅଧିକାରୀ ନେବେ ଦାୟିତ୍ୱ

3,470

କନକ ବ୍ୟୁରୋ : ଏବେ ବି ଗାଁ ଗହଳି ଜାତି ପ୍ରଥାକୁ ନେଇ ଅନେକ ଅନ୍ଧ ବିଶ୍ୱାସ ଲାଗି ରହିଛି । ଯେମିତି କି ଦଳିତ ଲୋକଙ୍କ ଘରେ ସବର୍ଣ୍ଣ ଲୋକମାନେ ପାଣି ନପିଇବା । ସେମାନଙ୍କୁ ଛୁଇଁଲେ ଲୁଗା ଧୋଇବା । ସେମାନଙ୍କୁ ଘର ଭିତରକୁ ପ୍ରବେଶ କରିବାକୁ ନଦେବା । ମନ୍ଦିର ଭିତରକୁ ଯାଇ ସେମାନଙ୍କୁ ପୂଜା କରିବାକୁ ନଦେବା ଆଦି ପ୍ରଥା ଆଜି ବି ବଞ୍ଚିଛି । ହେଲେ ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଆପଣଙ୍କୁ ଚକିତ କରିଦେବ ।
ଆପଣ ଯେବେ ବି ବାଳ ବା ଦାଢି କାଟିବାକୁ ସହରର କୌଣସି ସେଲୁନକୁ ଯା’ନ୍ତି ସେଠି ବାରିକ କେବେ ବି ଆପଣଙ୍କୁ ଜାତି ଗୋତ୍ର ବା ଧର୍ମ ପଚାରି ଖିଅର କରେ ନାହିଁ । ଯେ କେହି ବି ଗଲେ ବାରିକ ଆପଣାଛାଏଁ ଖିଅର କରିଦିଏ । ହେଲେ ଗାଁ ମାନଙ୍କରେ ଏସବୁ ଉପରେ କିଛି କିଛି କଟକଣା ଥାଏ । ଏଭଳି କଟକଣାର ଉଗ୍ରରୂପ ଦେଖିବାକୁ ମିଳିଛି କର୍ଣ୍ଣାଟକର କିଛି ଗ୍ରାମୀଣ ଇଲାକାରେ । ଏଠାରେ ବାରିକ ମାନେ ଦଳିତ ଲୋକମାନଙ୍କୁ ଖିଅର କରିବାକୁ ରାଜି ହେଉ ନାହାନ୍ତି । ଫଳରେ ଦଳିତ ଲୋକମାନେ ଖିଅର ହେବାକୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୂୁ ନଜରରେ ରଖି ସେଠିକାର ସରକାର ସରକାରୀ ସେଲୁନ ଖୋଲିବାକୁ ନିସ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକ ପୂର୍ବରୁ କେରଳରେ ବି ଏଭଳି ଘଟଣା ଦେଖିବାକୁ ମିଳିଥିଲା ।
ସୂଚନା ମୁତାବକ ଏହି ପ୍ରସ୍ତାବରେ କୁହାଯାଇଛି କି ଯେଭଳି ଭାବେ ଦଳିତ ମାନଙ୍କୁ ବାରିକ ମାନେ ସେମାନଙ୍କ ସେବାରୁ ବଞ୍ଚିତ କରୁଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଥାନାରେ ମାମଲା ରୁଜୁ ହେଉଛି । ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରତି ଗ୍ରାମପଞ୍ଚାୟତର ସୀମାରେ ଏକ ସରକାରୀ ସେଲୁନ ଖୋଲାଯାଉ । ଯାହାର ଦାୟିତ୍ୱ ଗ୍ରାମପଞ୍ଚାୟତ ହାତରେ ରହୁ । ଏହି ସେଲୁନ୍ ଖୋଲିବା ପାଇଁ ସମାଜ କଲ୍ୟାଣ ବିଭାଗ ତାଙ୍କ ପାଣ୍ଠିରୁ ଅର୍ଥଦାନ କରନ୍ତୁ ।
ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୂପା ଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜାତି, ଜନଜାତି ଅତ୍ୟାଚାର ଅଧିନିୟମ ଉପରେ ଚାଲିଥିବା ସମୀକ୍ଷା ବୈଠକରେ ଏହାକୁ ଏକ ଏଜେଣ୍ଡା ଭାବେ ଉପସ୍ଥାପିତ କରାଯାଇଛି ।