ଟିକାୟତଙ୍କ ‘ସଂସଦ ମାର୍ଚ୍ଚ’ ଧମକ ପରେ ନରମିଲା କୃଷିମନ୍ତ୍ରୀଙ୍କ ସ୍ୱର । କହିଲେ ଆଲୋଚନା ପାଇଁ ସର୍ବଦା ପ୍ରସ୍ତୁତ ଅଛନ୍ତି ସରକାର

149

କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଦୀର୍ଘ ୩ ମାସ ହେବ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହା ସହ କୃଷକ ସଂଗଠନ ମାନଙ୍କ ପକ୍ଷରୁ ବିଭିନ୍ନ ରାଜ୍ୟରେ ମହାପଂଚାୟତ କରାଯାଉଛି । ଏନେଇ ଚାଷୀନେତା ରାକେଶ ଟିକାୟତ କହିଛନ୍ତି କି ସରକାର ଯଦି କୃଷକ ମାନଙ୍କର ଦାବିକୁ ମାନି ନ ନିଅନ୍ତି ତାହେଲେ ଏଥର କୃଷକ ମାନେ ୪୦ ଲକ୍ଷ ଟ୍ରାକ୍ଟର ନେଇ ସଂସଦ ଭବନ ମାର୍ଚ୍ଚ କରିବେ ।

ଟିକାୟତଙ୍କ ଏଭଳି ଧମକ ପରେ କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାର ମୁହଁ ଖୋଲିଛନ୍ତି । ତୋମାର କହିଛନ୍ତି କି ସରକାର ଚାଷୀମାନଙ୍କ ଦାବି ଉପରେ କୃଷକ ସଂଗଠନ ମାନଙ୍କ ସହ ଆଲୋଚନା କରିବାକୁ ସର୍ବଦା ପ୍ରସ୍ତୁତ ଅଛନ୍ତି ଓ ସେମାନଙ୍କ କଲ୍ୟାଣ ଲାଗି ସରକାର ସର୍ବଦା ପ୍ରତିଶୃତିବଦ୍ଧ ।

ଏହାସହ ତୋମାର କହିଥିଲେ କି କୃଷକଙ୍କ ସ୍ୱାର୍ଥ ଲାଗି ବିଜେପି ନେତୃତ୍ୱାଧିନ କେନ୍ଦ୍ରସରକାର ସର୍ବଦା ସଂକଳ୍ପ ବଦ୍ଧ, ଚାଷୀଙ୍କ ଆୟ କିଭଳି ଦ୍ୱିୁଣା ହେବ ସେ ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଏପର୍ଯ୍ୟନ୍ତ ଚାଷୀ ନେତାଙ୍କ ସହ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହୋଇଛି । ସେମାନେ ଯଦି ଚାହିଁବେ ତେବେ ପୁଣି ଆଲୋଚନା ଲାଗି ସରକାର ପ୍ରସ୍ତୁତ ଥିବା କଥା ତୋମାର କହିଛନ୍ତି ।

କହିରଖୁ କି ମଙ୍ଗଳବାର ଦିନ କୃଷକ ନେତା ରାକେଶ ଟିକାୟତ ରାଜସ୍ଥାନରେ ଏକ ମହାପଞ୍ଚାୟତ କରିଥିଲେ । ଏହି ମହାପଂଚାୟତରେ ଶ୍ରୀ ଟିକାୟତ କହିଥିଲେ କି ସରକାର ଯଦି କୃଷକ ମାନଙ୍କର ଦାବି ଉପରେ ବିଚାର ନକରନ୍ତି ତାହେଲେ ପୁଣିଥରେ ଟ୍ରାକ୍ଟର ମାର୍ଚ୍ଚ କରିବାକୁ ପଡିବ । ପୂର୍ବଥର ତୁଳନାରେ ଏଥର ୪୦ ଲକ୍ଷ ଟ୍ରାକ୍ଟର ଆସିବ ଓ ତାହା ସଂସଦ ଭବନ ଆଗରେ ରାଲି କରିବ । ଏହା ସହ ସଂସଦ ଭବନ ପାର୍କରେ ହଳ କରି ସେଠାରେ ଗହମ ଓ ମକା ଫସଲ ଚାଷ କରାଯିବ ।
ସୂଚନା ଥାଉକି କେନ୍ଦ୍ରସରକାର ଦ୍ୱାରା ସଂଶୋଧିତ କୃଷି ଆଇନକୁ ବିରୋଧ କରି ଦେଶର ହଜାର  ହଜାର ଚାଷୀ ୨୬ ନଭେମ୍ବର ୨୦୨୦ ଠାରୁ ଦିଲ୍ଲୀର ବିଭିନ୍ନ ସୀମାକୁ ଘେରାଉ କରି ଧାରଣାରେ ବସିଛନ୍ତି ।