ପୁରୀ ପାଇଁ ୫୦୦ କୋଟିର ପ୍ୟାକେଜ । ମାଳତୀପାଟପୁରରୁ ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ହେବ ଟ୍ରମ୍ପପେଟ ବ୍ରିଜ୍, ଜାଣନ୍ତୁ ଭକ୍ତଙ୍କୁ କଣ ମିଳିବ ଫାଇଦା ।

467

କନକ ବ୍ୟୁରୋ : ପୁରୀ ହେବ ବିଶ୍ୱସ୍ତରୀୟ ଐତିହ୍ୟସ୍ଥଳୀ । ଏଥିପାଇଁ ୫୦୦ କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ପ୍ରକଳ୍ପ ଜରିଆରେ ଶ୍ରୀକ୍ଷେତ୍ରକୁ ଦେଶର ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ ଭାବେ ଠିଆ କରିବାକୁ ଦୀର୍ଘମିଆଦି ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଛି । ଏଥିରେ ପୁରୀରେ ଟ୍ରମ୍ପ ପେଡ୍ ଓଭରବ୍ରିଜ ସମେତ ନୂଆ ରାସ୍ତା, ସେତୁ, ବହୁତଳ ପାର୍କିଂ, ମଠ ମନ୍ଦିର ଓ ତୀର୍ଥ ପୁଷ୍କରଣୀ ଗୁଡିକର ପୁନରୁଦ୍ଧାର କରାଯିବ ।

୨ ବର୍ଷ ପରେ ଝଲସି ଉଠିବ  ଜଗନ୍ନାଥଧାମ । ବଦଳିଯିବ ଶ୍ରୀକ୍ଷେତ୍ରର ନକ୍ସା । ବଡଦାଣ୍ଡଠାରୁ ଆରମ୍ଭ କରି ମନ୍ଦିର ଚତୁର୍ପାଶ୍ୱରେ ଥିବା ବିଭିନ୍ନ ଭିତିଭୂମି ବଦଳିବା ସହ ହେବ ନବୀକରଣ । ଆଉ ଏହାର ନୀଳ ନକ୍ସା ପ୍ରସ୍ତୁତ କରିଛନ୍ତି ସରକାର । ଆଉ ୨ ବର୍ଷ ପରେ ଏହି ଡିପିଆର ବାସ୍ତବ ରୂପ ନେବ । ଜଗନ୍ନାଥଧାମକୁ ବିଶ୍ୱ ପ୍ରସିଦ୍ଧ ଐତିହ୍ୟସ୍ଥଳି କରିବା ପାଇଁ  ମୁଖ୍ୟମନ୍ତ୍ରୀ ୫ ଶହ କୋଟି ଟଙ୍କାର ପ୍ୟାକେଜ  ଘୋଷଣା କରିଛନ୍ତି । ଯାହା ଦ୍ୱାରା ଭିତିଭୂମି ବିକାଶ,  କ୍ଷତିଗ୍ରସ୍ତଙ୍କୁ ଥଇଥାନ, ମଠଗୁଡିକର ପୁନରୁଦ୍ଧାର କରାଯିବ ।

ମାଳତିପାଟପୁରରୁ ଜଗନ୍ନାଥ ବଲ୍ଲଭକୁ ସଂଯୋଗ କରିବ ଟ୍ରମ୍ପପେଟ ସେତୁ । ଏ ହେଉଛି, ଟ୍ରମ୍ପେଟ୍ ବ୍ରିଜର ବ୍ଲୁ-ପ୍ରିଣ୍ଟ । ଏପରି ବ୍ରିଜ୍ ଓଡିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି । ଏଥିପାଇଁ ଖର୍ଚ୍ଚ ହେବ ୧୯୦ କୋଟି ଟଙ୍କା । ଏହାଦ୍ୱାରା ଜଗନ୍ନାଥ ବଲ୍ଲଭ ମଠ ପର୍ଯ୍ୟନ୍ତ ଯାତ୍ରୀମାନେ ସିଧା ସଳଖ ପହଁଚିପାରିବେ ।

  • ଜଗନ୍ନାଥ ବଲ୍ଲଭ ଠାରେ ହେବ ବହୁତଳ ପାର୍କିଂ ବ୍ୟବସ୍ଥା
  • ୧୦ ହଜାର ଭକ୍ତ ପାଇଁ ହେବ ଧ୍ୟାନ କେନ୍ଦ୍ର
  • ଧ୍ୟାନ କେନ୍ଦ୍ର ଓ  ମାର୍କେଟ କମ୍ପେକ୍ସ ପାଇଁ ଖର୍ଚ୍ଚ ହେବ ୧୮୦ କୋଟି ଟଙ୍କା
  • ମୂଷା ନଦୀର ହେବ ପୁନରୁଦ୍ଧାର, ଏଥିପାଇଁ ଖର୍ଚ୍ଚ ହେବ ୮୫ କୋଟି ଟଙ୍କା
  • ଅଠରନଳାର ହେବ ସୌନ୍ଦର୍ଯ୍ୟକରଣ, ଏଥିପାଇଁ ପାଇଁ ଖର୍ଚ୍ଚ ହେବ ୫ କୋଟି ଟଙ୍କା
  • ପୁରୀରେ ୨୮ ଏକର ଜମିରେ ହେବ ଏକ ବୃହତ  ହ୍ରଦ, ଏଥିପାଇଁ ଖର୍ଚ୍ଚ ହେବ ୩୫ କୋଟି

ଗୋଟିଏ ପଟେ ପୁରୀକୁ ବିଶ୍ୱ ଐତିହ୍ୟସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ, ଅନ୍ୟପଟେ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ସରକାର । ବିଭିନ୍ନ ଧର୍ମପୀଠକୁ  ଆତଙ୍କୀ ହମଲାର ଆଶଙ୍କା ଥିବାରୁ ଶ୍ରୀମନ୍ଦିର ଚାରିପାଖର ସିକ୍ୟୁରିଟି ଜୋନରେ ଥିବା ଘର, ମଠକୁ ଭାଗିଂବା ପାଇଁ ନିଷ୍ପତି ନିଆଯାଇଛି । ଭଙ୍ଗା ଯାଉଥିବା  ଘର, ଦୋକାନ ଓ ମଠର ସହାୟତା ରାଶି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ଅପିଲ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ।  ପୁରୀର ନକ୍ସାକୁ ବଦଳାଇ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ବଡ଼ ଯୋଜନା ରଖିଥିବା ବେଳେ କିନ୍ତୁ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ ।