ଦିଲ୍ଲୀ ସରକାର ବନାମ କେନ୍ଦ୍ର ସରକାର। ଏକ୍ସସାଇଜ ପଲିସିକୁ ନେଇ ପଲିଟିକ୍ସ, ବିଜେପି ଓ ଆପ୍ ମୁହାଁମୁହିଁ।

105

କନକ ବ୍ୟୁରୋ: ଯେବେଠୁ ଦିଲ୍ଲୀ ସରକାରଙ୍କ ନୂଆ ଅବକାରୀ ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର, ସେବେଠୁ ଆରମ୍ଭ ହୋଇଛି କେନ୍ଦ୍ର ବନାମ କେଜ୍ରିୱାଲ ସରକାର । ସିିବିଆଇ ତଦନ୍ତକୁ ଆମ ଆଦମୀ ପାର୍ଟି ରାଜନୈତିକ ଷଡଯନ୍ତ୍ରର ନାଁ ଦେଇ କେନ୍ଦ୍ର ଉପରେ ବର୍ଷିଛି । ଏପରିକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଆପର ଲୋକପ୍ରିୟତାକୁ ବିଜେପି ହଜମ କରିପାରୁନି । ତେଣୁ ଭଳିକି ଭଳି ଷଡଯନ୍ତ୍ର କହି ଦଳର ନେତାଙ୍କୁ ଗିରଫ କରୁଛି ।

କେଜ୍ରିୱାଲ ଏକଥା ମଧ୍ୟ କହିଛନ୍ତି ସତେନ୍ଦ୍ର ଜୈନଙ୍କ ପରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ଗିରଫ ପାଇଁ ଚାଲ ଚଳାଇଛି ବିଜେପି । ତେଣୁ ମିଛ ମାମଲାର ଅଭିଯୋଗ ଆଣିଛି । ସେପଟେ ଆଜି ସିସୋଦିଆ ଓ କେଜ୍ରିୱାଲଙ୍କ ସରକାରୀ ବାସଭବନ ନିକଟରେ ଜୋରଦାର ପ୍ରଦର୍ଶନ କରିଛି ବିଜେପି । ଅବକାରୀ ନୀତିକୁ ବିରୋଧ କରି ଶହ ଶହ ବିଜେପିକର୍ମୀ ପ୍ରଦର୍ଶନ କରିଛନ୍ତି ।

ଆମ୍ ଆଦମୀ ପାର୍ଟି ଏହାକୁ ଏକ ଷଡଯନ୍ତ୍ରର ନାଁ ଦେଉଥିବାବେଳେ ବିଜେପି ଅଭିଯୋଗ କରିଛି କି ମଦ ମାଫିଆଙ୍କୁ ଲାଭ ଦେବାକୁ କ୍ୟାବିନେଟରେ ବିନା ଅନୁମତିରେ ଏହି ଅବକାରୀ ନୀତିକୁ ଅଣାଯାଇଛି । ଦିଲ୍ଲୀ ରାଜକୋଷରୁ ୧ହଜାର କୋଟି ଟଙ୍କା ମନ ମାଫିଆ ଲୁଟି ନେଇଛନ୍ତି ।

ଦିଲ୍ଲୀ ଉପରାଜ୍ୟପାଳଙ୍କ ଅଭିଯୋଗ
• ଆଇନ ଭଙ୍ଗ ସହିତ ଲାଇସେନ୍ସ ପାଇଥିବା ବ୍ୟକ୍ତିଙ୍କୁ ଅହେତୁକ ଅନୁକମ୍ପା ପ୍ରଦାନ କରାଯାଇଛି ।
• ମନିଷ ସିସୋଦିଆ ଆଇନର ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି ।
• ଦିଲ୍ଲୀ ରାଜକୋଷର ବଡ କ୍ଷୟକ୍ଷତି ହୋଇଛି ।
• ବଡ ନେତାଙ୍କୁ ମିଳିଛି କୋଟି କୋଟି ଟଙ୍କାର ଫାଇଦା

ଏହାକୁ ବିରୋଧ କରି ତଦନ୍ତ ପାଇଁ ଉପରାଜ୍ୟପାଳଙ୍କ ନିକଟରେ ଉଭୟ ବିଜେପି ଓ କଂଗ୍ରେସ ଦାବି କରିଥିଲେ । ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ମଧ୍ୟ କିଛି ଦୁର୍ନୀତି ହୋଇଥିବା ସହେନ୍ଦ କରି ଉପରାଜ୍ୟପାଳ ବିନୟ କୁମାର ସକସେନା ପ୍ରାଥମିକ ଯାଞ୍ଚ ପରେ ସିିବିଆଇ ଯାଞ୍ଚ ପାଇଁ କେନ୍ଦ୍ରକୁ ସୁପାରିଶ କରିଥିଲେ । ୨୦୨୧ ନଭେମ୍ବରରୁ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ ହୋଇଛି । ନୂଆ ନୀତିରେ ୩୨ଜୋନରେ ଓ ୮୪୯ଟି ମଦ ବିକ୍ରି ଲାଇସେନ୍ସ ଦିଆଯାଇଛି