କରୋନା କାଳରେ ସରକାର ଦେଇଥିବା ମାଗଣା ରାସନ ଚାଉଳ ହରିଲୁଟ୍ । କଣାସ ବିଡିଓଙ୍କୁ ଭେଟି ଅଭିଯୋଗ କଲେ ଶତାଧିକ ହିତାଧିକାରୀ ।

143

କନକ ବ୍ୟୁରୋ: ହିତାଧିକାରୀଙ୍କ ରାସନ ସାମଗ୍ରୀ ହଡପ ଅଭିଯୋଗ । କରୋନା କାଳରେ ମିଳିଥିବା ୩ ମାସର ରାସନ ଚାଉଳ ଓ ଡାଲି ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପୁରୀ ଜିଲ୍ଲା କଣାସ ବ୍ଲକ ନାନାକେରା, ଶିମିଳିପାଟଣା, ମାଟିଆପଡା ଗ୍ରାମବାସୀ । କୋଭିଡ ସମୟରେ ୮ ମାସର ମାଗଣା ରାସନ ଦେବା ପାଇଁ ସରକାର ନିର୍ଦେଶ ଦେଇଥିଲେ । କିନ୍ତୁ ପାଣ୍ଡିଆକେରା ପଂଚାୟତରେ ଡିଲର ୫ମାସର ମାଗଣା ରାସନ ଦେଇ, ୩ ମାସର ଚାଉଳ-ଡାଲି ଆତ୍ମସାତ କରିଥିବା କଣାସ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି ଲୋକେ । ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

ହିତାଧିକାରୀଙ୍କ ରାସନ ହରିଲୁଟ୍ । ୮ ମାସର ସାମଗ୍ରୀରୁ ୫ ମାସରେ ଦେଇ ୩ ମାସର ଚାଉଳ-ଡାଲି ଖାଇ ଯାଇଛନ୍ତି ରାସନ ଯୋଗାଉଥିବା ଡିଲର । ଏନେଇ କଣାସ ବିଡିଓଙ୍କ ପାଖରେ ଫେରାଦ ହୋଇଛନ୍ତି ପାଣ୍ଡିଆକେରା ପଂଚାୟତର ନାନାକେରା, ଶିମିଳିପାଟଣା, ମାଟିଆପଡା ଗାଁର ଶତାଧିକ ଲୋକ । ଲୋକଙ୍କ କହିବା ଅନୁସାରେ, ସରକାରଙ୍କ ନିର୍ଦେଶ ଅନୁସାରେ ହିତାଧିକାରୀଙ୍କୁ ୮ ମାସର ରାସନ ମାଗଣାରେ ଦିଆଯିବ । କିନ୍ତୁ ଏସବୁ ଗାଁରେ ୫ ମାସର ମାଗଣାରେ ଦିଆଯାଇଛି । ଆଉ ୩ ମାସ ଚାଉଳ କିଏ ନେଲା, କୁଆଡେ ଗଲା ବୋଲି ବିଡିଓଙ୍କୁ ପଚାରିଛନ୍ତି ଗ୍ରାମବାସୀ ।

ସ୍ଥାନୀୟ ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ଥାନୀୟ ଡିଲର । ସେପଟେ ବିଡିଓ କହିଛନ୍ତି ଲୋକଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ କରାଯିବ । ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ତେବେ, କେବେ ମାଗଣା ରାସନ ଗାଏବ ଘଟଣାର ତଦନ୍ତ ହୋଇ ସତ ସାମ୍ନାକୁ ଆସିବ ଆଉ ହିତାଧିକାରୀ ତାଙ୍କ ଚାଉଳ ପାଇବେ ତାହା ଆଗାମୀ ଦିନରେ ଜଣାପଡିବ ।