ସେଲଟର ହୋମକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ : ବିଭାଗୀୟ ମନ୍ତ୍ରୀ କହିଲେ ଚୁପ୍ ବସି ନାହାନ୍ତି ସରକାର, ଚାଲିଛି କାର୍ଯ୍ୟାନୁଷ୍ଠାନ

137

କନକ ବ୍ୟୁରୋ : ଢ଼େଙ୍କାନାଳ ସେଲଟର ହୋମ ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଆଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍ ମୁଖ୍ୟ ଫୟାଜ ରହେମାନ । ହେଲେ ତାହାରି ଆଢ଼ୁଆଳରେ ଚାଲିଥିଲା ଭୟଙ୍କର ବ୍ୟଭିଚାର । ଏଥିସହ ସେଲଟର ହୋମକୁ ଆସୁଥିବା ବିଦେଶୀ ଅତିଥିମାନେ ମଧ୍ୟ ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା ।

ତେବେ ଏହି ଘଟଣାର ପର୍ଦ୍ଦାଫାଶ ପରେ ଘଟଣାର କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଗତକାଲି ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରାଯିବା ପରେ ଏହି ସଂସ୍ଥା ଅଧୀନରେ ପରିଚାଳିତ ଅନ୍ୟ ସେଲଟର ହୋମ ଗୁଡିକ ଉପରେ ଚଢ଼ାଉ କରାଯାଉଛି । ତେବେ ଏ ପ୍ରସଙ୍ଗରେ ବିରୋଧୀ ଦଳ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦିବା ସହ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ।

prafulla samal

ତେବେ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି ଏ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ସରକାର ଚୁପ୍ ବସିନାହାନ୍ତି । କିଛି ସେଲଟର ହୋମକୁ ବନ୍ଦ ମଧ୍ୟ କରିଦିଆଯାଇଛି । ୩ ଜଣକୁ ଗିରଫ ମଧ୍ୟ କରାଯାଇଛି । ଏହା ବ୍ୟତୀତ ଲୋକେ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ତେବେ ଏହି ଘଟଣାରେ ସେ ମର୍ମାହତ । ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ତଦନ୍ତ ପାଇଁ କଡ଼ା ନିର୍ଦ୍ଦେଶ ଦେବା କଥା ମଧ୍ୟ କହିଛନ୍ତି । ଅନ୍ୟପଟେ ରାଜ୍ୟସଭା ପ୍ରଶାନ୍ତ ନନ୍ଦ କହିଛନ୍ତି, ସରକାର ଏନେଇ ତଦନ୍ତ କରୁଛନ୍ତି । ଖୁବ ଶୀଘ୍ର ସତ୍ୟ ସାମ୍ନାକୁ ଆସିବ । ବିରୋଧୀ ଦଳ କେବଳ ଏହାର ବିରୋଧ କରିବେ । ସେଲଟର ହୋମରେ କ’ଣ ହେଉଥିଲା ସେକଥା ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ।

ସେପଟେ ଏ ପ୍ରସଙ୍ଗରେ ଡିଜି କହିଛନ୍ତି, ରାଜ୍ୟରେ ଥିବା ସମସ୍ତ ସେଲଟର ହୋମ୍ ପ୍ରସଙ୍ଗରେ ତଦନ୍ତ କରାଯିବ । ଜିଲ୍ଲା ପ୍ରଶାସନ ଏନେଇ ତଦନ୍ତ କରିପାରିବେ । ଯେଉଁଠି ସନ୍ଦେହ ହେଉଛି କିମ୍ବା କିଛି ବି ସନ୍ଦେହ ଘେରକୁ ଆସୁଛି ସେନେଇ ତଦନ୍ତ କରାଯିବ ।

ତେବେ ଏନେଇ ବିରୋଧୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା ଅଭିଯୋଗ କରିଛନ୍ତି ମନ୍ତ୍ରୀ ଓ ପ୍ରଶାସନର ଜାଣତରେ ଚାଲିଥିଲା ଯୌନ ନିର୍ଯାତନା । ପ୍ରଶାସନିକ ଓ ରାଜନୈତିକ ସହାୟତା ବିନା ଏପରି କାମ ହୋଇପାରିବ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।

ମହିଳା କଂଗ୍ରେସ ସଭାନେତ୍ରୀ ସୋନାଲି ସାହୁ ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ମହିଳା ସମ୍ପର୍କୀତ ମାମଲାକୁ ଚପାଇଦେବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାହିର  । ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ତତ୍ୱାବଧାନରେ ଏହି ଘଟଣାର ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।