ଗୋରଖପୁର ଶିଶୁମୃତ୍ୟୁ ଘଟଣା ! ଯୋଗୀ କହିଲେ, ଦୋଷୀଙ୍କ ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ, ସେପଟେ ନିଲମ୍ବିତ ହେଲେ ବିଆରଡି ମେଡିକାଲ କଲେଜ୍ ଅଧ୍ୟକ୍ଷ

38

କନକ ବ୍ୟୁରୋ: ଶିଶୁଙ୍କ ପାଇଁ ଯମାଳୟ ପାଲଟିଥିବା ଗୋରଖପୁର ସରକାରୀ ମେଡିକାଲ କଲେଜରେ ୪୮ ଘଣ୍ଟା ମଧ୍ୟରେ ୩୩ ଶିଶୁଙ୍କ ମୃତ୍ୟୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ ହୋଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନେତୃତ୍ୱରେ ଏକ ଟିମ୍ ଶିଶୁ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ପରେ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ସାମ୍ନାକୁ ଆସିଥିବାରୁ କଲେଜର ଅଧ୍ୟକ୍ଷ ନିଲମ୍ବିତ କରାଯାଇଛି । ବିଗତ ୫ ଦିନ ମଧ୍ୟରେ ଏହି ହସ୍ପିଟାଲରେ ୬୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । ତେବେ ଅକ୍ସିଜେନ୍ ଅଭାବ ଯୋଗୁଁ ଶିଶୁମାନଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟକୁ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାମଲାର ସବିଶେଷ ଯାଞ୍ଚ ନିର୍ଦ୍ଦେଶ ଦେବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ସଙ୍କେତ ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟର ଜରୁରୀ ବୈଠକ ବସି ଏ ବାବଦରେ ଆଲୋଚନା ହୋଇଥିଲା । ଯେଉଁଥିରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ରାଜ୍ୟ ପ୍ରଶାସନକୁ ଶିଶୁ ମୃତ୍ୟୁ ମାମଲାର ସଂପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ବିଡିଏସ୍ ହସ୍ପିଟାଲ ଗସ୍ତ କରି ତୁରନ୍ତ ଏ ବାବଦ ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଭାବେ ଦୁଃଖିତ ଓ ମର୍ମାହତ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ଏହି ମାମଲା ଉପରେ ନଜର ରଖିବା ସହ ବିହୀତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ।

ଗତକାଲି ଉତ୍ତର ପ୍ରଦେଶ ସ୍ୱାସ୍ଥ୍ୟମନ୍ତ୍ରୀ ସିଦ୍ଧାର୍ଥ ସିଂହ ବିଡିଏସ୍ ହସ୍ପିଟାଲରେ ସ୍ଥିତି ଅନୁଧ୍ୟାନ କରିବା ପରେ କହିଛନ୍ତି ଯେ ମାମଲା ବହୁତ ଗମ୍ଭୀର ରହିଛି । ମୁଖ୍ୟମନ୍ତ୍ରୀ ନିକଟରେ ଏହି ହସ୍ପିଟାଲ ଗସ୍ତ କରିଥିଲେ ମଧ୍ୟ ଅକ୍ସିଜେନ ଯୋଗାଣ ସଂପର୍କିତ ସମସ୍ୟା ନେଇ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା । ତେବେ ସମସ୍ତ ମୃତ୍ୟୁକୁ ଅକ୍ସିଜେନ୍ ଅଭାବଜନିତ ମୃତ୍ୟୁଭାବେ ଗ୍ରହଣ କରିବା ଉଚିତ ହେବନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ଅଂଚଳରୁ ଉଦବେଗଜନକ ସ୍ଥିତିରେ ଶିଶୁମାନେ ଏହି ହସ୍ପିଟାଲରେ ଭର୍ତ୍ତି ହୋଇଥାନ୍ତି ।

୨୦୧୪ରେ ଏହି ମେଡିକାଲ କଲେଜରେ ଦୈନିକ ହାରାହାରି ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୫ରେ ଦିନକୁ ୨୨ ଏବଂ ୨୦୧୬ରେ ଦୈନିକ ହାରାହାରି ୧୯ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ସେ କହିଥିଲେ । ଅକ୍ସିଜେନ୍ ଯୋଗାଣ ବନ୍ଦ ସଂପର୍କରେ ହୋଇଥିବା ପ୍ରାରମ୍ଭିକ ତଦନ୍ତ ରିପୋର୍ଟର ତଥ୍ୟ ମୁତାବକ ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଅକ୍ସିଜେନ ସିଲିଣ୍ଡର ଚାଲିଥିଲା । ରାତି ସାଢ଼େ ୧୧ରୁ ସାଢ଼େ ୧ଟା ମଧ୍ୟରେ ଅକ୍ସିଜେନ ଯୋଗାଣ ହୋଇଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି ଶିଶୁର ମୃତ୍ୟୁ ହୋଇନାହିଁ । ହସ୍ପିଟାଲରେ ଅକ୍ସିଜେନର ଅଭାବ ନଥିଲା ବୋଲି ସେ କହିଛନ୍ତି ।

ତେବେ ହସ୍ପିଟାଲକୁ ତରଳ ଅକ୍ସିଜେନ ଯୋଗାଣ ଗୁରୁବାରଠାରୁ ବନ୍ଦ ଥିଲା ଏବଂ ଶୁକ୍ରବାରରୁ ସମସ୍ତ ସିଲିଣ୍ଡର ଶେଷ ହୋଇଯାଇଥିଲା ବୋଲି କୁହାଯାଉଛି । ଏନସେଫିଲାଇଟିସ ଓ୍ଵାର୍ଡରେ ସ୍ଥିତି ଉଦବେଗଜନକ ହେବାପରେ ଅକ୍ସିଜେନ ଯୋଗାଣ ହେଉନଥିବା ଜଣାପଡ଼ିନଥିଲା । ହସ୍ପିଟାଲକୁ ଅକ୍ସିଜେନ ଯୋଗାଉ ଥିବା ସଂସ୍ଥାର ୬୯ ଲକ୍ଷ ଟଙ୍କା ବକେୟା କର୍ତ୍ତୃପକ୍ଷ ପୈଠ କରିନଥିବାରୁ ଯୋଗାଣ ବନ୍ଦ ପାଇଁ ସଂପୃକ୍ତ ସଂସ୍ଥା ଲିଖିତ ଭାବେ ଜଣାଇଥିଲେ ।

ବିଆରଡି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଶିଶୁ ମୃତ୍ୟୁ ମାମଲା କୌଣସି ଅବହେଳା ଘଟଣା ନୁହେଁ, ଏହା ଗଣହତ୍ୟା ମାମଲା ବୋଲି ନେବେଲ ବିଜେତା କୈଳାସ ସତ୍ୟାର୍ଥୀ କହିଛନ୍ତି । ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ବୁଡ଼ି ରହିଥିବା ସରକାରୀ ସ୍ୱାସ୍ଥ୍ୟସେବାରେ ସୁଧାର ଆଣିବା ପାଇଁ ସରକାର ତତ୍ପରତାର ସହ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଗତକାଲି କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କ ନେତୃତ୍ୱରେ ଦଳୀୟ ପ୍ରତିନିଧି ଦଳ ହସ୍ପିଟାଲ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ଘଟଣାରେ ନୈତିକ ଦାୟିତ୍ୱ ବହନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ କଂଗ୍ରେସ ଦାବି କରିଥିଲେ । ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ମାୟାବତୀ ମଧ୍ୟ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି ସରକାରଙ୍କ ଦାୟିତ୍ୱହୀନତା ପାଇଁ ଏଭଳି ଘଟଣା ଘଟିଥିବାରୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ଗ୍ରହଣ କରିବାକୁ ଦାବି କରିଥିଲେ ।