ସୁଧୁରୁନି ଗୋରଖପୁର ଡାକ୍ତରଖାନାର ଅବ୍ୟବସ୍ଥା ! ଶିଶୁମଡ଼କ ପୁଣି ଜାରି

18

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଗୋରଖପୁର ସ୍ଥିତ ବାବା ରାଘବ ଦାସ ମେଡିକାଲ କଲେଜରେ ଲାଗି ରହିଥିବା ଅବ୍ୟବସ୍ଥା ସୁଧୁରିବାର ନାଁ ଧରୁନି। ଗତ ୭୨ ଘଣ୍ଟାରେ ପୁଣି ୬୧ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ତିନି ସପ୍ତାହ ତଳେ ଏଠାରେ ଅମ୍ଳଜାନ ଅଭାବରୁ ୭୦ରୁ ଅଧିକ ଶିଶୁଙ୍କର ପ୍ରାଣହାନି ଦେଶବ୍ୟାପୀ ଆଲୋଡ଼ନ ଆଣିିଥିବା ବେଳେ ପୁଣି ଏହାର ପୁନରାବୃତ୍ତି ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗର କର୍ତ୍ତବ୍ୟ ସମ୍ପାଦନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟ ଏକ ଘଟଣାକ୍ରମରେ ଗତ ୧୦ ତାରିଖ ଶିଶୁ ମୃତ୍ୟୁ ଘଟଣା ପରେ ନିଲମ୍ବନ ପରେ ଇସ୍ତଫା ଦେଇଥିବା ତତ୍କାଳୀନ ମେଡିକାଲ ଅଧ୍ୟକ୍ଷ ଡାକ୍ତର ରାଜୀବ ମିଶ୍ରଙ୍କୁ ଉତ୍ତର ପ୍ରଦେଶ ସ୍ପେସାଲ ଟାକ୍ସ ଫୋର୍ସ ଗତକାଲି କାନପୁରରୁ ଗିରଫ କରିଛି।

ସୂଚନାନୁଯାୟୀ, ଏହି ତିନି ଦିନ ଭିତରେ ଆଖି ବୁଜିଥିବା ୬୧ଜଣ ଶିଶୁଙ୍କ ମଧ୍ୟରୁ ୧୧ଜଣ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଥିବା ବେଳେ ଅନ୍ୟମାନଙ୍କର ଭିନ୍ନଭିନ୍ନ କାରଣରୁ ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ଜଣାପଡ଼ିଛି। ନିଓନାଟାଲ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟରେ ୨୫ଜଣ ଓ ପେଡିଆଟ୍ରିକ୍‌ ଇଣ୍ଟେନ୍‌ସିଭ କେୟାର ୟୁନିଟରେ ୨୫ଜଣ ଶିଶୁ ପ୍ରାଣ ହରାଇଛନ୍ତି। ଅପରପକ୍ଷେ, ଅନେକ ଶିଶୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନା ଆସୁଥିବାରୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଘଣ୍ଟାଏ ବା ତାଠାରୁ କମ୍‌ ସମୟ ମଧ୍ୟରେ ପ୍ରାଣ ହରାଉଛନ୍ତି ବୋଲି ମେଡିକାଲ ଅଧ୍ୟକ୍ଷ ଡା.ପିକେ ସିଂହ କହିଛନ୍ତି। ଡାକ୍ତରଖାନା ତେବେ ଏହାକୁ ନେଇ ଚିନ୍ତିତ ଥିବା ବେଳେ କର୍ତ୍ତବ୍ୟରେ କୌଣସି ଅବହେଳା କରାଯାଇନଥିବା ସେ ସଫେଇ ଦେଇଛନ୍ତି। ଏଥି ସହିତ ଆଗକୁ ଯେପରି ମୃତ୍ୟୁସଂଖ୍ୟା ନବଢ଼ିବ, ସେଥିପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯିବ ବୋଲି ଡା.ସିଂହ କହିଛନ୍ତି।

ଡାକ୍ତରଖାନାକୁ ଆସି ଚିକିତ୍ସିତ ହେଉଥିବା ଶିଶୁଙ୍କ ଏପରି ମୃତ୍ୟୁହାର ରାଜ୍ୟ ସ୍ୱାସ୍ଥ୍ୟ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଡା. ସିଂହଙ୍କ ସୂଚନାନୁଯାୟୀ, ଏହି ଅଗଷ୍ଟ ମାସରେ କେବଳ ୨୯୦ଜଣ ଶିଶୁ ପ୍ରାଣ ହରାଇବା ଘଟଣରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ସରକାରକୁ ତୀବ୍ର ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଛି। ଚଳିତ ମାସରେ ଆଖି ବୁଜିଥିବା ଶିଶୁଙ୍କ ମଧ୍ୟରୁ ନିଓନାଟାଲ ଆସିୟୁ ଓ୍ଵାର୍ଡରେ ୨୧୩ ଜଣ ଓ ଏନ୍‌ସେଫାଲାଇଟିସ୍‌ ଓ୍ଵାର୍ଡରେ ୭୭ଜଣ ପ୍ରାଣ ହରାଇଛନ୍ତି। ସେହିପରି ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏନ୍‌ସେଫାଲାଇଟିସ୍‌ ଓ ଅନ୍ୟାନ୍ୟ ଶିଶୁରୋଗରେ ୧୨୫୦ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ତେବେ ରୋଗାକ୍ରାନ୍ତ ଶିଶୁଙ୍କୁ ତୁରନ୍ତ ମେଡିକାଲ୍‌କୁ ଅଣାଗଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଡା. ସିଂହ କହିଛନ୍ତି।

ଉଲ୍ଲେଖ ଥାଉ କି, ଗତ ୧୦ ତାରିଖରେ ବିଆର୍‌ଡି ମେଡିକାଲ କଲେଜର ଶିଶୁରୋଗ ବିଭାଗରେ ଅମ୍ଳଜାନ ଯୋଗାଣ ବ୍ୟାହତ ହେବା ଫଳରେ ଦୁଇଦିନ ମଧ୍ୟରେ ୭୦ରୁ ଅଧିକ ଶିଶୁ ପ୍ରାଣ ହରାଇଥିଲେ। ରାଜ୍ୟ ସରକାର ଏହାକୁ ନେଇ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ କମିଟି ମାମଲାର ତଦନ୍ତ କରିଥିଲା। ତଦନ୍ତ କମିଟି ରିପୋର୍ଟ ଦାଖଲ ହେବା ପରେ ୯ଜଣଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ହୋଇଥିଲା। ଶିଶୁ ମୃତ୍ୟୁ ଘଟଣା ପରେ ତତ୍କାଳୀନ ମେଡିକାଲ ଅଧ୍ୟକ୍ଷ ଡାକ୍ତର ରାଜୀବ ମିଶ୍ର ଏବଂ ଏନ୍‌ସେଫାଲାଇଟିସ୍‌ ଓ୍ଵାର୍ଡ ମୁଖ୍ୟଙ୍କୁ ନିଲମ୍ବନ କରାଯାଇଥିଲା। ପରେ ଡା. ମିଶ୍ର ନିଜ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହି ମାମଲାରେ ଉତ୍ତର ପ୍ରଦେଶ ସ୍ପେସାଲ ଟାକ୍ସ ଫୋର୍ସ ଗତକାଲି ଡା.ମିଶ୍ର ଏବଂ ତାଙ୍କ ପତ୍ନୀ ଡା. ପୁର୍ଣ୍ଣିମା ଶୁକ୍ଳାଙ୍କୁ କାନପୁରରୁ ଗିରଫ କରିଛି। ଆଜି ସେମାନଙ୍କୁ ତଦନ୍ତ ପାଇଁ ଗୋରଖପୁର ଅଣାଯାଇଥିବା ପୁଲିସ ମହାନିର୍ଦ୍ଦେଶକ (ଜନ ଅଭିଯୋଗ) ବିଜୟ ସିଂହ ମୀନା କହିଛନ୍ତି।