ମୋଦିଙ୍କୁ ପଛରେ ପକାଇଲେ ରାହୁଲ ! ୨୦୧୮ରେ ଗୁଗୁଲରେ ଅଧିକ ଥର ପାଇଁ ରାହୁଲଙ୍କୁ ପଡିଛି ଖୋଜା

475

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଛରେ ପକାଇଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଇଣ୍ଟରନେଟ ସର୍ଚ୍ଚ ଇଞ୍ଜିନ ଗୁଗୁଲରେ ଅଧିକ ଖୋଜା ଯାଇଥିବା ରାଜନେତାଙ୍କ ମଧ୍ୟରେ ମୋଦିଙ୍କୁ ପଛରେ ପକାଇ ଫ୍ରଣ୍ଟଫୁଟକୁ ଆସିଛନ୍ତି କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ । ଗୁଗୁଲ ଟ୍ରେଣ୍ଡ ଅନୁଯାୟୀ, ୧ ଜାନୁଆରୀ ୨୦୧୮ରୁ ୬ ଜାନୁଆରୀ ୨୦୧୯ ମଧ୍ୟରେ ଗୁଗୁଲରେ ଖୋଜା ପଡିଥିବା ନେତାଙ୍କ ମଧ୍ୟରେ ରାହୁଲ ୧୦୦ ପଏଣ୍ଟରୁ ୪୫ ହାସଲ କରିଥିବା ବେଳେ ମୋଦି ମାତ୍ର ୩୪ ପଏଣ୍ଟରେ ସୀମିତ ରହିଛନ୍ତି ।

ଡିସେମ୍ବର ୨୦୧୮ର ଟ୍ରେଣ୍ଡରେ ମଧ୍ୟ ମୋଦିଙ୍କୁ ମାତ୍ ଦେଇ ରାହୁଲ ଉପରେ ରହିଛନ୍ତି । ଏହି ସମୟରେ ଗୁଗୁଲ ନ୍ୟୁଜରେ ଖୋଜା ପଡିଥିବା ନେତାଙ୍କ ମଧ୍ୟରେ ରାହୁଲଙ୍କୁ ବିଶ୍ୱସ୍ତରର ଟ୍ରେଣ୍ଡ ଅନୁଯାୟୀ ୪୪ ପଏଣ୍ଟ ମିଳିଥିବା ବେଳେ ଭାରତରେ ୪୯ ପଏଣ୍ଟ ମିଳିଛି । ସେହିଭଳି ମୋଦିଙ୍କୁ ବିଶ୍ୱସ୍ତରରେ ୩୫ ପଏଣ୍ଟ ମିଳିଥିବା ବେଳେ ଭାରତରେ ୩୮ ପଏଣ୍ଟ ମିଳିଛି । ଆଉ ଏହା ଦର୍ଶାଉଛି କିଭଳି ସମୟ ବିତିବା ସହ ରାହୁଲଙ୍କ ଲୋକପ୍ରିୟତା ବଢୁଛି । ଆଉ ଏହାମଧ୍ୟ ସ୍ପଷ୍ଟ ଦର୍ଶାଉଛି ଯେ, ୨୦୧୯ ସାଧାରଣ ନିର୍ବାଚନ ଯୁଦ୍ଧ ମୋଦିଙ୍କ ପାଇଁ ଏତେ ସହଜ ହେବ ନାହିଁ । ୨୦୧୪ରେ ଯେଉଁଭଳି ଲୋକପ୍ରିୟତାର ଶୀର୍ଷରେ ରହି ମୋଦି ଏକପାଖିଆ ନିର୍ବାଚନରେ ବାଜିମାତ୍ କରିଥିଲେ ତାହାର ପୁନରାବୃତ୍ତି ୨୦୧୯ରେ ଦେଖିବାକୁ ମିଳିବ ନାହିଁ ।

ମୋଦି ଓ ରାହୁଲଙ୍କ ନାଁ ନେଇ ନେଇ ୟୁଜର୍ସ ସର୍ଚ୍ଚ କରିଥିବାର ପୂରା ଡାଟା ଓ ରେକର୍ଡକୁ ଗ୍ରାଫ ଚାର୍ଟ  ମାଧ୍ୟମରେ ଦର୍ଶାଯାଇଛି । ଆଉ ସର୍ଚ୍ଚ ଅନୁଯାୟୀ, ଏହି ଦୁଇ ହେଭିୱେଟ ନେତାଙ୍କୁ ୦ରୁ ୧୦୦ ମଧ୍ୟରେ ରେଟିଂ ଦିଆଯାଇଛି ।

୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟ ନେତା ଭାବେ ୧୦୦ରୁ ୩୭ ରେଟିଂ ପାଇଥିଲେ । ତେବେ ମୋଦିଙ୍କ ତୁଳନାରେ ସେତେବେଳେ ରାହୁଲ ଏହି ରେସରେ ବହୁତ ପଛରେ ପଡିଯାଇଥିଲେ । ମାତ୍ର ୪ ପଏଣ୍ଟ ରେଟିଂ ସହ ମୋଦିଙ୍କ ଠାରୁ ବହୁତ ପଛରେ ଥିଲେ । ସେତେବେଳେ ସୋସିଆଲ ମିଡିଆରେ ରାହୁଲଙ୍କୁ ‘ପପୁ’ ବୋଲି କୁହାଯାଉଥିଲା । କିନ୍ତୁ ମୋଦି ପ୍ରଧାନମନ୍ତ୍ରୀ ହେବାର ସାଢେ ୪ ବର୍ଷ ପରେ ଏହି ଟ୍ରେଣ୍ଡରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ଟ୍ୱିଟରରେ ରାହୁଲଙ୍କର ବଢିଛି ଲୋକପ୍ରିୟତା : 

ମିଚିଗାନ ବିଶ୍ୱବିଦ୍ୟାଳୟର ରିପୋର୍ଟ ଅନୁଯାୟୀ, ଜାନୁଆରୀରୁ ଏପ୍ରିଲ ୨୦୧୮ ମଧ୍ୟରେ ରାହୁଲଙ୍କ ଟ୍ୱିଟକୁ ମୋଦିଙ୍କ ଟ୍ୱିଟ୍ ତୁଳନାରେ ଲଗାତାର ଭାବେ ଅଧିକଥର ରିଟ୍ୱିଟ୍ କରାଯାଇଛି । ଯେତେବେଳେ କି ମୋଦିଙ୍କର ଟ୍ୱିଟର ଫଲୋଅର୍ସ ୪୪ ମିଲିୟନ ଥିବା ବେଳେ ରାହୁଲ ଗାନ୍ଧୀଙ୍କର ଟ୍ୱିଟର ଫଲୋଅର୍ସ ମାତ୍ର ୭.୬ ମିଲିୟନ ରହିଛି ।

ସୋସିଆଲ ମିଡିଆରେ ଦବଦବା ବଜାୟ ରଖୁଥିବା ମୋଦି ୨୦୧୪ରେ ଏହାର ଜବରଦସ୍ତ ଫାଇଦା ପାଇଥିଲେ । ପ୍ରଥମ ରାଜନେତା ଭାବେ ସୋସିଆଲ ମିଡିଆରେ ପାଦ ରଖିଥିବା ମୋଦି ୨୦୧୪ ନିର୍ବାଚନ ସୋସିଆଲ ମିଡିଆ ବଳରେ ଲଢି ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚିବାକୁ ସକ୍ଷମ ହୋଇଥିଲେ । ତେବେ ସମୟ ବିତିବା ସହ ଏହି ଟ୍ରେଣ୍ଡରେ କଂଗ୍ରେସ ମଧ୍ୟ ନିଜକୁ ସାମିଲ କରି ନେଇଛି ।

ରାହୁଲ ମଧ୍ୟ ଏବେ ସୋସିଆଲ ମିଡିଆକୁ ନିଜର ସାଥୀ ଭାବେ ବାଛି ନେଇଛନ୍ତି । ଯାହାର ଉଦାହରଣ ଗତ କିଛି ଦିନ ପୂର୍ବେ ଦେଖିବାକୁ ମିଳିଥିଲା । ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜୟ ପରେ ଏଠାରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ ୭ ଲକ୍ଷ ୩୦ ହଜାର କାର୍ଯ୍ୟକତାଙ୍କ ପାଇଁ ଏକ ଅଡିଓ ମେସେଜ ସୋସିଆଲ ମିଡିଆରେ ଦେଇଥିଲେ । ଯେଉଁଥିରେ ଦଳୀୟ କର୍ମୀ ମାନେ ମୁଖ୍ୟମନ୍ତ୍ରୀ ଭାବେ କାହାକୁ ବାଛିବାକୁ ଚାହୁଁଛନ୍ତି ସେନେଇ ଉତ୍ତର ଦେବାକୁ କହିଥିଲେ ରାହୁଲ । ଆଉ ଏଭଳି କରି ସୋସିଆଲ ମିଡିଆରେ ଖୁବ କମ ସମୟ ମଧ୍ୟରେ ଦଳୀୟ କର୍ମୀଙ୍କ ପାଖରେ ପହଞ୍ଚି ପାରିଥିଲେ ରାହୁଲ ।

୨୦୧୭ ଓ ୨୦୧୮ ମଧ୍ୟରେ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ଲଗାତାର ଭାବେ ପଶ୍ଚିମ ଓ ମଧ୍ୟ ଭାରତରେ ବଢିଚାଲିଛି । ଯାହାର ଝଲକ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନ ନିର୍ବାଚନର ଫଳାଫଳରେ ଦେଖିବାକୁ ମିଳିଛି । ଗୁଜରାଟରେ ମୋଦିଙ୍କର ଲୋକପ୍ରିୟତା ବଢୁଥିବା ବେଳେ ଦେଶର ଅନ୍ୟ ରାଜ୍ୟ ଯେପରିକି ତାମିଲନାଡୁ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଓ ହରିୟାଣାରେ ରାହୁଲଙ୍କ ଲୋକପ୍ରିୟତା ମୋଦିଙ୍କ ଅପେକ୍ଷା ବଢି ଚାଲିଛି ।  ତେବେ ଏହି ଗୋଟିଏ ବର୍ଷ ମଧ୍ୟରେ ଗୁଗୁଲରେ ରାହୁଲଙ୍କୁ ଅଧିକ ଥର ଖୋଜା ଯାଇଥିବା ବେଳେ ଏବେ ମଧ୍ୟ ଗୁଗୁଲ ଟ୍ରେଣ୍ଡର ସବୁଠାରୁ ଅଧିକ ଥର ଖୋଜା ଯାଇଥିବା ନେତାଙ୍କ ମଧ୍ୟରେ ମୋଦିଙ୍କ ନାଁ ଶୀର୍ଷରେ ରହିଛି ।