ନେତାଙ୍କ ନାଁ ବିକି ନେତା ହେବାକୁ ସ୍ୱପ୍ନ ଦେଖୁଥିଲେ ଗୋଲଡେନ୍ ବାବା! ନୂଆବର୍ଷ ପୂର୍ବରୁ ଚାରିଆଡେ ଲଗାଇଥିଲେ ପୋଷ୍ଟର ଓ ହୋର୍ଡିଂ, ନୂଆବର୍ଷରେ ପସିଲେ ଜେଲରେ

335

କନକ ବ୍ୟୁରୋ : ନେତାଙ୍କ ନାଁ ବିକି ନେତା ବନିବାକୁ ସ୍ୱପ୍ନ ଦେଖୁଥିଲେ ଗୋଲଡେନ୍ ବାବା । ନିର୍ବାଚନରେ ଠିଆ ହେବା ପାଇଁ ପ୍ରସ୍ତୁତି ବି କରୁଥିଲେ । ଏଥିପାଇଁ ନେତାଙ୍କ ଫଟୋ ଲଗାଇ ସେଥିରେ ନିଜ ଫଟୋ ରଖି ରାଜଧାନୀର ସାହି-ଗଳିରେ ଛାଇଦେଇଥିଲେ ପୋଷ୍ଟର ଆଉ ବ୍ୟାନର । ଏବେ ଏହି ଗୋଲଡେନ୍ ବାବାଙ୍କୁ ପୁଲିସ ଜେରା କରୁଛି । ଆଶା କରାଯାଉଛି, ପୋଲିସର ଜେରାରୁ ବଡ ଗୁମର ଫିଟିବ ।

ଠକ ସାଜିଥିଲା ସମାଜସେବୀ । ଭଦ୍ର ଚେହେରା ତଳେ ଲୁଚି ରହିଥିଲା ୪୨୦ର କଳା କାରନାମା । ୨୦୧୯ରେ ଉତର ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢି ବିଧାୟକ ହେବାର ସ୍ୱପ୍ନ ଦେଖିଥିଲା ଏହି ଗୋଲଡେନ ବାବା । କାନ୍ଥ ବାଡରୁ ଆରମ୍ଭ କରି, ରାଜଧାନୀର ରାଜରାସ୍ତାରେ ଲାଗିଥିଲା ହୋଡିଂ ଓ ବ୍ୟାନର । ବ୍ୟାନରରେ ଥିଲେ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ୱର ମେୟର । ଗଣମାଧ୍ୟମରେ ରିପୋର୍ଟ ପ୍ରସାରଣ ପରେ, ଏହି ବ୍ୟାନର ଓ ପୋଷ୍ଟରକୁ ହଟାଇ ଦେଉଛନ୍ତି ବିଏମସି କର୍ମଚାରୀ ।

ଏକ କମ୍ପାନୀ ସହ ୧୧୦ କୋଟିର ଡିଲକୁ ନେଇ ପୁଲିସ ହାତରେ ଧରା ପଡିବା ପରେ, ଦେହ ସାରା ସୁନାରେ ଛାଉଣୀ କରିଥିବା ଏହି ଗୋଲଡେନ୍ ବାବାର ପୋଲ ଧିରେ ଧିରେ ଖୋଲିବାରେ ଲାଗିଛି । ଆଉ ତା ସହ ତାଳ ଦେଇ ରହସ୍ୟ ବଢିବାରେ ଲାଗିଛି । କେଉଁଠୁ ଗୋଲଡେନ ବାବା ଆଣୁଥିଲେ କୋଟି କୋଟି ଟଙ୍କା? ଗୋଲଡେନ ବାବାର ଥିଲା କି ପଲିଟିକାଲ ଲିଙ୍କ୍  । ଏଭଳି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି । ତେବେ ଗୋଲଡେନ୍ ବାବାକୁ ରିମାଣ୍ଡରେ ଆଣି ପଚରା ଉଚରା କରିବା ପରେ, ତାଙ୍କର ପଲିଟିକାଲ ଲିଙ୍କ ସହ ବହୁ ହେଭିୱେଟଙ୍କ ଗୁମର ଖୋଲିବ ପୁଲିସ ।